ନୂଆଦିଲ୍ଲୀ: ଟିକା ନେଇଥିବା ଭାରତୀୟଙ୍କ ପାଇଁ କରୋନା କଟକଣା ନିୟମକୁ ବ୍ରିଟେନ କିଛିମାତ୍ରାରେ କୋହଳ କରିଛି। ଏଥିସହିତ ବ୍ରିଟେନ ଏବଂ ଆମେରିକା ଆଦି ଦେଶରେ ନୂଆ ପାଠପଢ଼ା ସିଜନ୍ ଆରମ୍ଭ ହୋଇଛି। ଗୋଟିଏ ପଟେ ଦୀର୍ଘଦିନ ହେଲା ଘରେ ବନ୍ଦ ହୋଇ ରହିଥିବା ବ୍ୟକ୍ତିମାନେ ବିଦେଶ ଯିବାକୁ ବାହାରିବା ଏବଂ ଅନ୍ୟପଟେ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ସମୟ ଆରମ୍ଭ ହୋଇଯାଇଥିବାରୁ ଏହାର ସିଧାସଳଖ ପ୍ରଭାବ ବିମାନସେବା ଶିଳ୍ପ ଉପରେ ପଡ଼ିଛି। ଏଥିଯୋଗୁ ବିମାନ ଯାତ୍ରା ଚାହିଦା ବଢ଼ିଯାଇଛି। ଯାତ୍ରା ଚାହିଦା ବଢ଼ିଯିବା ଦ୍ବାରା ବିମାନ ଭଡ଼ା ଆକାଶଛୁଆଁ ହୋଇଯାଇଛି, ଯାହାକି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।
ବିଶେଷକରି ଲଣ୍ଡନକୁ ବିମାନ ଭଡ଼ା ମାତ୍ରାଧିକ ବଢ଼ିଛି। କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ସରକାରୀ ଅଧିକାରୀ ବିମାନ ଭଡ଼ା ବୃଦ୍ଧି ସଂପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଶନିବାର ସତର୍କ କରାଇ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଚଳିତ ସପ୍ତାହରେ ଭାରତ ପାଇଁ ବ୍ରିଟେନ ଲାଗୁ କରିଥିବା ରେଡ୍ ଲିଷ୍ଟକୁ ଅମ୍ବର ଲିଷ୍ଟକୁ ବଦଳାଇ ଦେଇଛି। ଅର୍ଥାତ୍ ସଂପୂର୍ଣ୍ଣ ଟିକା ନେଇଥିବା ଭାରତୀୟମାନଙ୍କୁ ଆଉ ବ୍ରିଟେନରେ ୧୦ ଦିନ ପାଇଁ ହୋଟେଲ୍ରେ ସଂଗରୋଧରେ ରହିବାର ଆବଶ୍ୟକତା ନାହିଁ। ଭାରତ ସମେତ ସଂଯୁକ୍ତ ଆରବ ଏମିରେଟ୍ସ, କତାର ଏବଂ ବାହାରିନକୁ ଅମ୍ବର ତାଲିକାରେ ବ୍ରିଟେନ ରଖିଛି। ୮ ତାରିଖଠାରୁ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ବ୍ରିଟେନର ବାଣିଜ୍ୟ ମନ୍ତ୍ରୀ ଗ୍ରାଣ୍ଟ୍ ସାପ୍ସ ଘୋଷଣା କରିଛନ୍ତି।
ଯାତ୍ରା କଟକଣାକୁ ବ୍ରିଟେନ କୋହଳ କରିବା ପରେ ଏହା ଭାରତୀୟଙ୍କ ପାଇଁ ଖୁସିର ଖବର ଆଣିଥିଲେ ମଧ୍ୟ ବିମାନ ଭଡ଼ାରେ ମାତ୍ରାଧିକ ବୃଦ୍ଧି ଏବେ ଚିନ୍ତାର କାରଣ ପାଲଟିଛି। ଗୁଗୁଲ୍ ଟ୍ରାଭେଲ୍ରୁ ଜଣାଯାଇଛି ଯେ ଆସନ୍ତା ୨୬ ତାରିଖରେ ଦିଲ୍ଲୀରୁ ଲଣ୍ଡନକୁ ବିମାନ ଭଡ଼ା ୩ ଲକ୍ଷ ୯୫ ହଜାର ଟଙ୍କା ରହିଛି। ଏୟାର ଇଣ୍ଡିଆ, ଏୟାର ଭିସ୍ତାରା ଆଦି ଏୟାରଲାଇନ୍ସରେ ମଧ୍ୟ ଭଡ଼ା ୧ ଲକ୍ଷ ୨୦ ହଜାର ଟଙ୍କାରୁ ୨ ଲକ୍ଷ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିଯାଇଛି।
ଏହି ଉଚ୍ଚ ବିମାନ ଭଡ଼ାର ସ୍କ୍ରିନ ସଟ୍କୁ ସାମାଜିକ ଗଣମାଧ୍ୟମରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ସଚିବ (ଆଇଏସ୍ସିଏସ୍) ସଂଜୀବ ଗୁପ୍ତା ସେୟାର କରିଛନ୍ତି। ବିଦେଶରେ କଲେଜ ନାମଲେଖା ସମୟରେ ଇକୋନୋମି ଶ୍ରେଣୀର ବିମାନ ଭଡ଼ା ଏତେ ଅଧିକ ରହିବାକୁ ନେଇ ସେ ଚିନ୍ତାବ୍ୟକ୍ତ କରିଛନ୍ତି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ସଚିବଙ୍କୁ ଏନେଇ ସୂଚନା ଦେଇଛନ୍ତି ବୋଲି ଶ୍ରୀ ଗୁପ୍ତା ତାଙ୍କ ଟ୍ବିଟ୍ରେ କହିଛନ୍ତି। ଶ୍ରୀ ଗୁପ୍ତାଙ୍କ ଟ୍ବିଟ୍ ଉପରେ ଏୟାର ଇଣ୍ଡିଆ ପ୍ରତିକ୍ରିୟା ରଖିଛି। ଏହି ବିମାନ ଭଡ଼ାର ଉତ୍ସ କ’ଣ ତାହା ଜାଣିବାକୁ ଉଦ୍ୟମ କରାଯାଉଛି ବୋଲି ଏୟାର ଇଣ୍ଡିଆ କହିଛି। ଏୟାର ଇଣ୍ଡିଆର ଅଫିସିଆଲ ୱେବସାଇଟ୍ରେ ଦିଲ୍ଲୀରୁ ଲଣ୍ଡନକୁ ବିମାନ ଭଡ଼ା ପାଖାପାଖି ୧ ଲକ୍ଷ ୧୫ ହଜାର ଟଙ୍କା ରହିଛି ବୋଲି କୁହାଯାଇଛି।
ଆମେରିକାକୁ ଛାତ୍ରଛାତ୍ରୀଙ୍କ ବିମାନ ଯାତ୍ରା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ବିମାନ ଉଡ଼ାଣ ସଂଖ୍ୟାକୁ ଦୁଇଗୁଣା କରିଛି। ବର୍ତ୍ତମାନ ସୁଦ୍ଧା ଭାରତରୁ ଆମେରିକାକୁ ପ୍ରତି ସପ୍ତାହରେ ଏୟାର ଇଣ୍ଡିଆର ୧୦ଟି ବିମାନ ଉଡ଼ାଣ କରୁଥିବାବେଳେ ଏହାକୁ ୨୧କୁ ବଢ଼ାଇ ଦିଆଯାଇଛି। ଆମେରିକାକୁ ମଧ୍ୟ ବିମାନ ଭଡ଼ାରେ ୫୦ରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, କରୋନା ପୂର୍ବରୁ ମୁମ୍ବାଇରୁ ନ୍ୟୁୟର୍କକୁ ବିମାନ ଭଡ଼ା ପ୍ରାୟ ୮୦ ହଜାରରୁ ୯୦ ହଜାର ଟଙ୍କା ରହୁଥିଲା। କିନ୍ତୁ ବର୍ତ୍ତମାନ ଏହା ୧ ଲକ୍ଷ ୩୦ ହଜାର ଟଙ୍କାରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହୁଛି। କିଛି ବିମାନରେ ଭଡ଼ା ଅଢ଼େଇ ଲକ୍ଷ ଟଙ୍କା ରହୁଛି। ଆସନ୍ତା ୨୫ ଓ ୨୬ ତାରିଖ ପାଇଁ ଭଡ଼ା ଏହା ରହିଛି। ଉଲ୍ଲେଖଯୋଗ୍ୟ ଆମେରିକାରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବିଶ୍ବବିଦ୍ୟାଳୟ ଖୋଲୁଛି। ଆମେରିକା କିନ୍ତୁ ଯାତ୍ରୀଙ୍କ ପାଇଁ କରୋନା କଟକଣା ନିୟମକୁ କୋହଳ କରି ନଥିଲେ ମଧ୍ୟ ପାଠ ପଢ଼ିବା ପାଇଁ ଅନେକ ଭାରତୀୟ ଛାତ୍ରଛାତ୍ରୀ ଆମେରିକା ଯିବାକୁ ବାହାରିଛନ୍ତି। ଏଥିପାଇଁ ଆମେରିକାକୁ ମଧ୍ୟ ବିମାନ ଭଡ଼ା ବଢ଼ିଛି ବୋଲି କୁହାଯାଉଛି।