୫୬୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବ ବିମାନ ଯାତ୍ରା !
ନୂଆଦିଲ୍ଲୀ : ଦେଶରେ ବିମାନ ଭଡ଼ା ବଢିବାର ସମ୍ଭାବନା ରହିଛି । ସରକାର ବିମାନ ଭଡ଼ାର ସର୍ବନିମ୍ନ ଓ ସର୍ବୋଚ୍ଚ ପ୍ରାଇସ ବ୍ୟାଣ୍ଡ୍ ବୃଦ୍ଧି କରିଛନ୍ତି । ସର୍ବନିମ୍ନ ଭଡ଼ା ୧୦ ପ୍ରତିଶତ ଓ ସର୍ବୋଚ୍ଚ ଭଡ଼ା ୩୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏହା ଫଳରେ ଘରୋଇ ବିମାନ ଯାତ୍ରା ୫୬୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବା ସମ୍ଭାବନା ରହିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ବର୍ଷ ମେ ମାସରେ ବିମାନ ଚଳାଚଳ ଉପରେ ଲାଗୁ କଟକଣା ସାମାନ୍ୟ କୋହଳ କରାଯିବା ପରେ ଡିଜିସିଏ ପକ୍ଷରୁ ବିମାନ ଭଡ଼ାର ସର୍ବନିମ୍ନ ଓ ସର୍ବୋଚ୍ଚ ପ୍ରାଇସ ବ୍ୟାଣ୍ଡ୍ କୁ ହ୍ରାସ କରିଥିଲେ । ଏହାର ଅର୍ତ ହେଉଛି ବିମାନ କମ୍ପାନିମାନେ ନିର୍ଦ୍ଦିଷ୍ଟ ଅବଧିର ଯାତ୍ରା ପାଇଁ ଏକ ନିର୍ଦ୍ଦିଷ୍ଟ ପରିମାଣଠାରୁ ଅଧିକ ମୂଲ୍ୟର ଭଡ଼ା ଆଦାୟ କରିପାରିବେ ନାହିଁ । କଟକଣା କୋହଳ ପରେ ଅଳ୍ପ ବିମାନ ଚଳାଚଳ କରୁଥିବାରୁ କମ୍ପାନିମାନେ ଯେପରି ଅଧିକ ଭଡ଼ା ଲାଗୁ ନକରନ୍ତି ସେଥିପାଇଁ ଏହି ନିୟମ ଲାଗୁ କରାଯାଇଥିଲା । କିନ୍ତୁ ଏବେ ଘରୋଇ କ୍ଷେତ୍ରରେ ବିମାନ ଚଳାଚଳ ସ୍ବାଭାବିକ ହୋଇଥିବାରୁ ସରକାର ପୁଣି ବିମାନ ଭଡ଼ାର ପ୍ରାଇସ ବ୍ୟାଣ୍ଡ୍ ବଢାଇ ତାହାକୁ ଲକଡାଉନ ପୂର୍ବ ସ୍ତରକୁ ନେଇଯାଇଛନ୍ତି ।
ସରକାରଙ୍କ ଏହି ନିଷ୍ପତ୍ତି ପରେ ବିମାନ କମ୍ପାନି ଲାଭରେ ରହିବେ କିନ୍ତୁ ଯାତ୍ରୀମାନଙ୍କୁ ଅଧିକ ଭଡ଼ା ଦେବାକୁ ପଡ଼ିବ । କେତେକ କ୍ଷେତ୍ରରେ ବିମାନ ଭଡ଼ା୫୬୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି ।