୬୯ ବର୍ଷ ପରେ ଟାଟା ପାଖକୁ ଫେରିଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ :  ଗୁରୁବାରଦିନ କେନ୍ଦ୍ର ସରକାର ଏୟାର ଇଣ୍ଡିଆକୁ ଟାଟା ଗ୍ରୁପକୁ ହସ୍ତାନ୍ତର କରିଛନ୍ତି । ଫଳରେ ଦୀର୍ଘ ୬୯ ବର୍ଷ ପରେ ପୁଣି ଥରେ ଏୟାରଇଣ୍ଡିଆ ଟାଟା ଗ୍ରୁପ ଅଧିନକୁ ଆସିଛି । ଏହି ହସ୍ତାନ୍ତର ପୂର୍ବରୁ ଆଜି ଟାଟା ସନ୍ସ ଅଧ୍ୟକ୍ଷ ଏନ.ଚନ୍ଦ୍ରଶେଖରନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଗତ ବର୍ଷ ଅକ୍ଟୋବର ମାସରେ ଟାଟା ଗ୍ରୁପ ୧୮ ହଜାର କୋଟି ବିନିମୟରେ ଏୟାର ଇଣ୍ଡିଆ ନିଲାମ ଜିତିଥିଲା ।

ଏୟାର ଇଣ୍ଡିଆ ଟାଟା ଗ୍ରୁପ ଅଧିନକୁ ଆସିବା ପରେ ଟାଟା ସନ୍ସ ଅଧ୍ୟକ୍ଷ ଏନ.ଚନ୍ଦ୍ରଶେଖରନ ଏକ ବାର୍ତ୍ତାରେ କହିଛନ୍ତି ଏୟାର ଇଣ୍ଡିଆ ପୁଣି ଥରେ ଟାଟା ଗ୍ରୁପକୁ ଫେରିଥିବାରୁ ଆମେ ଉତ୍ସାହିତ । ଏହାକୁ ଆମେ ଏକ ବିଶ୍ବସ୍ତରୀୟ ବିମାନସେବା କମ୍ପାନିରେ ପରିଣତ କରିବୁ । ଆମେ ଏୟାର ଇଣ୍ଡିଆର ସବୁ କର୍ମଚାରୀମାନଙ୍କୁ ସ୍ବାଗତ କରୁଛୁ ।

ନିଲାମ ପାଇଁ ରଖାଯାଇଥିବା ସର୍ତ୍ତ ଅନୁସାରେ ଏୟାର ଇଣ୍ଡିଆର ସମସ୍ତ କର୍ମଚାରୀଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ଟାଟା ନିଜ ପାଖରେ ରହିବ। ଦ୍ବିତୀୟ ବର୍ଷ ଠାରୁ ଏହା ସ୍ବେଚ୍ଛାକୃତ ଅବସର ସ୍କିମ୍ (ଭିଆର୍‌ଏସ୍‌) ଘୋଷଣା କରିପାରିବ।

ଏୟାର ଇଣ୍ଡିଆର ଜନ୍ମ :

ଟାଟା ଗ୍ରୁପ୍‌ର ପୂର୍ବତନ ମୁଖ୍ୟ ଜେଆର୍‌ଡି ଟାଟାଙ୍କ ଉଦ୍ୟମରେ ୧୯୩୨ରେ ଏୟାର ଇଣ୍ଡିଆର ଜନ୍ମ ହୋଇଥିଲା। ଟାଟା ଏୟାରଲାଇନ୍ସ ନାମରେ ଟାଟା ତାହାକୁ ପ୍ରତିଷ୍ଠା କରିଥିଲେ। ପାଇଲଟ୍‌ ଭାବେ ପ୍ରଥମ ଲାଇସେନ୍ସ ପାଇଥିବା ଜେଆର୍‌ଡିଙ୍କ ବିମାନ ଚଳାଚଳ ପ୍ରତି ଅହେତୁକ ଆଗ୍ରହ ଥିଲା। ମନ ପ୍ରାଣ ଦେଇ ସେ ଅତି ଯତ୍ନର ସହ ନିଜର ପିଲା ଭଳି ଏୟାର ଇଣ୍ଡିଆକୁ ଗଢ଼ିଥିଲେ। ଭାରତୀୟଙ୍କୁ ଆକାଶରେ ଉଡ଼ିବା ବେଳେ ସବୁଠୁ ଭଲ ଅନୁଭୂତି ପ୍ରଦାନ କରିବା ତାଙ୍କର ଲକ୍ଷ୍ୟ ଥିଲା। ୧୯୪୬ରେ ଟାଟା ଏୟାରଲାଇନ୍ସର ନାମକୁ ପରିବର୍ତ୍ତନ କରି ଏୟାର ଇଣ୍ଡିଆ ରଖାଯାଇଥିଲା। ୧୯୪୮ରେ କଂପାନି ଏହାର ପ୍ରଥମ ଆନ୍ତର୍ଜାତିକ ଉଡ଼ାଣ ଆରମ୍ଭ କରିବା ସହ ୟୁରୋପ ଯାତ୍ରା କରିଥିଲା। ୧୯୫୩ରେ ଜବାହରଲାଲ ନେହେରୁଙ୍କ ଅମଳରେ ଏୟାର ଇଣ୍ଡିଆର ଜାତୀୟକରଣ ହୋଇଥିଲା ଓ ତାହା କେନ୍ଦ୍ର ସରକାରଙ୍କ ହାତକୁ ଚାଲିଯାଇଥିଲା।

ସମ୍ବନ୍ଧିତ ଖବର