ବିମାନ କଂପାନିଗୁଡ଼ିକ ପାଇଁ ୨୦୧୮ ଖରାପ ବର୍ଷ ଥିଲା। ସରକାରୀ କଂପାନି ଏୟାର ଇଣ୍ଡିଆ ଭାଗ୍ୟରେ କୌଣସି ପରିବର୍ତନ ଦେଖିବାକୁ ମିଳିନାହିଁ। ଋଣ ବୋଝ ତଳେ ଦବି ରହିଥିବା ଏହି ସଂସ୍ଥା ବଞ୍ଚି ରହିବାକୁ ସଂଘର୍ଷ କରୁଛି। ଏବେ ବି ଏହା ସରକାରଙ୍କ ପାଣ୍ଠିକୁ ଚାତକ ଭଳି ଅପେକ୍ଷା କରି ରହିଛି। ଏୟାର ଇଣ୍ଡିଆକୁ ବିକ୍ରି କରିବା ପାଇଁ ସରକାର ଅନେକ ଚେଷ୍ଟା କରି ବିଫଳ ହୋଇଛନ୍ତି। ଏକଦା ଭାରତୀୟ ଆକାଶର ଗୌରବ କୁହାଯାଉଥିବା ବିମାନ କଂପାନି ଜେଟ୍ ଏୟାରୱେଜ୍ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହି କଂପାନି ମଧ୍ୟ ବ୍ୟବସାୟରେ ତିଷ୍ଠି ରହିବାକୁ ସଂଘର୍ଷ କରୁଛି।
ବିକ୍ରି ହୋଇଗଲା ହର୍ଲିକ୍ସ, ଭୂଷଣ
ଇ-କମର୍ସରେ ଦେଶର ସବୁଠୁ ବଡ଼ ବୁଝାମଣା ଦେଖିବାକୁ ମିଳିଥିଲା। ଆମେରିକୀୟ କଂପାନି ୱାଲ୍ମାର୍ଟ ଭାରତର ଫ୍ଲିପ୍କାର୍ଟକୁ ୧୬ ବିଲିଅନ୍ ଡଲାରରେ କିିଣିଥିଲା। ସେହିପରି ବର୍ଷ ଶେଷ ଆଡ଼କୁ ହିନ୍ଦୁସ୍ତାନ ୟୁନିଲିଭର ୩୧,୭୦୦ କୋଟି ଟଙ୍କାରେ ଗ୍ଲାକ୍ସୋସ୍ମିଥ୍କକ୍ଲାଇନ୍ କଞ୍ଜ୍ୟୁମର୍ ହେଲ୍ଥକେୟାରର ଭାରତୀୟ ଶାଖାକୁ କିଣିଥିଲା। ଏଥି ସହିତ କଂପାନି ହର୍ଲିକ୍ସ ଭଳି ଲୋକପ୍ରିୟ ବ୍ରାଣ୍ଡ୍କୁ ହାତେଇ ଥିଲା। ସଙ୍କଟରେ ଫସି ରହିଥିବା ଫୋର୍ଟିସ୍ ହେଲ୍ଥକେୟାରକୁ ମାଲେସିଆର କଂପାନି ଆଇଏଚ୍ଏଚ୍ ହେଲ୍ଥକେୟାର ୪୦୦୦ କୋଟି ଟଙ୍କାରେ ଅଧିଗ୍ରହଣ କରିଥିବା ଘୋଷଣା କରିଛି। ଋଣ ସଙ୍କଟରେ ଫସିଥିବା କିଛି କଂପାନିକୁ ମଧ୍ୟ ଚଳିତ ବର୍ଷ ନିଲାମ ଜରିଆରେ ବିକ୍ରି କରାଯାଇଥିଲା। ଭୂଷଣ ଷ୍ଟିଲ୍କୁ ୩୨୫୦୦ କୋଟି ଟଙ୍କାରେ ଟାଟା ଷ୍ଟିଲ୍ କିଣିଥିଲା। ସେହିପରି ୭୯୫୦ ଟଙ୍କାରେ ବିନାନି ସିମେଣ୍ଟ୍କୁ କିଣିଥିଲା ଅଲ୍ଟ୍ରାଟେକ୍ ସିମେଣ୍ଟ୍। ଆମ୍ଟେକ୍ ଅଟୋକୁୁ ୩୨୨୫ କୋଟି ଟଙ୍କାରେ କିଣିଥିଲା ଲିବର୍ଟି ହାଉସ୍।
ଫେରିଲା ସାଣ୍ଟ୍ରୋ
ହୁଣ୍ଡାଇର ସାଣ୍ଟ୍ରୋ ନୂଆ ରୂପରେ ବଜାରକୁ ଫେରିଛି। ଏହା ବ୍ୟତୀତ ୨୦୧୮ରେ ବଜାରକୁ ମାରୁତି ନୂଆ ସ୍ବିଫ୍ଟ, ଟାଟା ଟିଆଗୋ ଜେଟିପି, ମାରୁତି ସିଆଜ୍ ଫେସ୍ଲିଫ୍ଟ, ହୋଣ୍ଡା ଆମେଜ୍ ୨୦୧୮, ଟୟୋଟାର ନୂଆ ୟାରିସ୍ ମଡେଲ୍, ହୁଣ୍ଡାଇର ୨୦୧୮ କ୍ରେଟା, ମହିନ୍ଦ୍ରାର ଏକ୍ସୟୁଭି ୫୦୦ ଫେସଲିଫ୍ଟ, ମାରୁତିର ୨୦୧୮ ଏର୍ଟିଗା ଓ ମହିନ୍ଦ୍ରା ମାରାଜୋ ବଜାରକୁ ଆସିଛି।