ଯାତ୍ରୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବିମାନ କଂପାନି: ସଂସଦୀୟ କମିଟି

ନୂଆଦିଲ୍ଲୀ: ଦେଶର କିଛି ବିମାନ କଂପାନି ଯାତ୍ରୀଙ୍କଠାରୁ ଟିକଟ ବାବଦରେ ମୋଟା ଅଙ୍କର ରାଶି ଆଦାୟ କରୁଛନ୍ତି। ସେମ‌ାନେ ଯାତ୍ରୀଙ୍କୁ ବିଭ୍ରାନ୍ତ କରୁଛନ୍ତି ଓ ଅଧିକ ଟଙ୍କା ଗଣିବାକୁ ବାଧ୍ୟ କରୁଛନ୍ତି ବୋଲି ଏକ ସଂସଦୀୟ ଷ୍ଟାଣ୍ଡିଂ କମିଟି କହିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଦେଇଥିବା ‌ରିପୋର୍ଟରେ କମିଟି ଜଣାଇଛି ଯେ ଘରୋଇ ଏୟାରଲାଇନ୍ସଗୁଡ଼ିକର ୱେବସାଇଟ୍‌ରେ ତ୍ରୁଟିପୂର୍ଣ୍ଣ ସୂଚନା ରହୁଛି। ବିମାନରେ କେତେ ସିଟ୍ ଫାଙ୍କା ଅଛି ଓ ଟିକଟ୍‌ ମୂଲ୍ୟ କେତେ ତାହାର ସଠିକ୍ ସୂଚନା ରହୁନାହିଁ। ବିମାନର ଶେଷ ସିଟ୍ ବିକ୍ରି ହୋଇଯିବା ପରେ ମଧ୍ୟ ସିଟ୍ ଫାଙ୍କା ରହିଛି ବୋଲି ୱେବସାଇଟ୍‌ରେ ପ୍ରଦର୍ଶିତ ହେଉଛି। ବିମାନ ଭଡ଼ାର ଜାତୀୟକରଣ କରିବା ଏବଂ ୱେବସାଇଟ୍‌ରେ ସଠିକ୍ ସୂଚନା‌ ଦେବା ଲାଗି କଂପାନିଗୁଡ଼ିକୁ କହିବା ପାଇଁ କମିଟି ଏହାର ରିପୋର୍ଟରେ ପରାମର୍ଶ ଦେଇଛି।

ଅତି ଶସ୍ତାରେ ଟିକଟ ଉପଲବ୍ଧ କରାଉଥିବା ସଂସ୍ଥାଗୁଡ଼ିକ ସମ୍ପର୍କରେ କଂପାନି କହିଛି ଯେ ପ୍ରଥମେ ଏଭଳି କଂପାନି କମ୍ ଦାମ୍‌ରେ ଟିକଟ ବିକ୍ରି କରି ପ୍ରତିଦ୍ବନ୍ଦ୍ବିତାକୁ ଶେଷ କରୁଛନ୍ତି। ଅନ୍ୟ ସଂସ୍ଥାଗୁଡ଼ିକ ସେଭଳି ଦାମ୍‌ରେ ଟିକଟ ଉପଲବ୍ଧ କରାଇନପାରି ଯାତ୍ରୀ ହରାଉଛନ୍ତି ଏବଂ ଦେବାଳିଆ ହୋଇ ବନ୍ଦ ହୋଇଯାଉଛନ୍ତି। ଏହା ପରେ ଶସ୍ତାରେ ଟିକଟ ଦେଉଥିବା କଂପାନି ମନଇଚ୍ଛା ଦାମ୍ ବଢ଼ାଉଛନ୍ତି। ବିମାନ ଟିକଟ ମୂଲ୍ୟର ଯାଞ୍ଚ କରିବା ଲାଗି ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ) ହସ୍ତକ୍ଷେପ କରୁଛି ନା ନାହିଁ ତାହା କମିଟି ଜାଣିବାକୁ ଚାହିଛି। ଦେଶରେ ସମାନ ରୁଟ୍‌ ପାଇଁ ବିଭିନ୍ନ କଂପାନିର ଟିକଟ ଦାମ୍ ଭିନ୍ନ ଭିନ୍ନ ରହୁଥିବା ନେଇ କମିଟି ଚିନ୍ତା ପ୍ରକଟ କରିଛି।

ସମ୍ବନ୍ଧିତ ଖବର