ଯାତ୍ରୀଙ୍କୁ ଆକୃଷ୍ଟ ଲାଗି ଏୟାରଲାଇନ୍ସଙ୍କ ପ୍ରତିଯୋଗିତା

ନୂଆଦିଲ୍ଲୀ: ଯାତ୍ରୀଙ୍କୁ ଆକୃଷ୍ଟ କରିବା ଲାଗି ଘରୋଇ ଓ ବିଦେଶୀ ଏୟାରଲାଇନ୍ସ ଗୁଡ଼ିକ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଘରୋଇ ଏୟାରଲାଇନ୍ସ ଗୁଡ଼ିକ ଯାତ୍ରୀମାନଙ୍କୁ ଦେଶ ଭିତରେ ଏବଂ ବିଦେଶକୁ ଉଡ଼ାଣ ପାଇଁ ଯଥାକ୍ରମେ ୮୯୯ ଟଙ୍କା ଏବଂ ୩୩୯୯ ଟଙ୍କାରେ ଟିକଟ ଯୋଗାଇ ଦେଉଛନ୍ତି। ସେହିଭଳି ବିଦେଶୀ ଏୟାରଲାଇନ୍ସ ଗୁଡ଼ିକ ମଧ୍ୟ ଭାରତରୁ ବିଦେଶକୁ ଉଡ଼ାଣ ପାଇଁ ଭଡ଼ା ହ୍ରାସ କରିଛନ୍ତି। ମାନ୍ଦା ସିଜନ୍‌ରେ ସିଟ୍ ପୂରଣ କରିବା ସହିତ ଅଗ୍ରିମ ଟିକଟ ବିକ୍ରି କରି ନଗଦ ଅର୍ଥ ସଂଗ୍ରହ ପାଇଁ ଏୟାରଲାଇନ୍ସ ଗୁଡ଼ିକ ସାଧାରଣତଃ ଏଭଳି ରିହାତି ପ୍ରଦାନ କରୁଛନ୍ତି। ବିଦେଶୀ ଏୟାରଲାଇନ୍ସ କତାର ଏୟାରୱେଜ୍ ଏହାର ଇକୋନୋମି ଓ ବିଜନେସ୍ ଶ୍ରେଣୀ ଟିକଟରେ ଯଥାକ୍ରମେ ୩୫% ଏବଂ ୨୫% ରିହାତି ପ୍ରଦାନ କରିଛି। ଜାନୁଆରି ୧୬ ତାରିଖ ପର୍ଯ୍ୟନ୍ତ ରିହାତି ଦରରେ ଯାତ୍ରୀମାନେ ଟିକଟ କ୍ରୟ କରିପାରିବେ। ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ଏହି ଟିକଟରେ ଯାତ୍ରୀମାନେ ବିମାନରେ ଯାତ୍ରା କରିପାରିବେ। ବ୍ରିଟିସ ଏୟାରୱେଜ୍ ଏୟାର ଯାତ୍ରୀମାନଙ୍କୁ ପାଇଁ ଜାନୁଆରି ସେଲ୍ ଆରମ୍ଭ କରିଦେଇଛି। ସେହିଭଳି ଘରୋଇ ଏୟାରଲାଇନ୍ସ ଇଣ୍ଡିଗୋ ମଧ୍ୟ ଜାନୁଆରି ୧୩ ପର୍ଯ୍ୟନ୍ତ ସ୍ବତନ୍ତ୍ର ସେଲ୍ ଘୋଷଣା କରିଛି। ଘରୋଇ ରୁଟ୍‌ରେ ୮୯୯ ଟଙ୍କାରେ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ୩୩୯୯ ଟଙ୍କାରେ ଟିକଟ ବିକ୍ରି ସୁବିଧା ପ୍ରଦାନ କରୁଛି। ଏହି ଟିକଟରେ ଚଳିତମାସ ୨୪ରୁ ଏପ୍ରିଲ ୧୫ ମଧ୍ୟରେ ଯାତ୍ରା କରିବା ସୁବିଧା ରହିଛି। ଏତଦବ୍ୟତୀତ ଗୋ ଏୟାରୱେଜ୍ ଏବଂ ଜେଟ୍ ଏୟାରୱେଜ୍ ପକ୍ଷରୁ ମଧ୍ୟ ରିହାତି ସେଲ୍ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର