ନୂଆଦିଲ୍ଲୀ: ଆସନ୍ତା ବର୍ଷ ଏପ୍ରିଲ୍ରୁ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଏଥିରେ ଏୟାରଲାଇନ୍ଗୁଡ଼ିକ ବାଧ୍ୟତାମୂଳକ ଭାବେ ସେମାନଙ୍କ ଅନ୍ତର୍ଜାତୀୟ ଯାତ୍ରୀଙ୍କ ତଥ୍ୟ ସୀମା ଶୁଳ୍କ ବିଭାଗକୁ ଦେବେ। ନିୟମରେ ଖିଲାପ କଲେ ସେମାନଙ୍କୁ ପ୍ରତି ଥର ଲାଗି ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡ଼ିବ। ଏଥିପାଇଁ ୨୦୨୫ ଜାନୁଆରି ୧୦ ସୁଦ୍ଧା ଭାରତରୁ ଓ ଭାରତକୁ ବିମାନ ସେବା ଯୋଗାଉଥିବା ସମସ୍ତ ଏୟାରଲାଇନ୍କୁ ନ୍ୟାସନାଲ୍ କଷ୍ଟମ୍ସ ଟାର୍ଗେଟିଂ ସେଣ୍ଟର-ପାସେଞ୍ଜରରେ ପଞ୍ଜୀକରଣ କରିବାକୁ କୁହାଯାଇଛି।
ଏପ୍ରିଲ୍ ୧ରୁ ଲାଗୁ ହେବ ନିୟମ
ଖିଲାପ କଲେ ୫୦ ହଜାର ଜରିମାନା
ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଭରିବାର ୨୪ ଘଣ୍ଟା ଭିତରେ ସେଥିରେ ଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କ ମୋବାଇଲ୍ ନମ୍ବର, ଇମେଲ୍ ଠିକଣା, ଟ୍ରାଭେଲ ଏଜେନ୍ସି ନାମ, ବ୍ୟାଗ୍ ବିବରଣୀ, ପେମେଣ୍ଟ ମାଧ୍ୟମ ଓ ଯାତ୍ରା ସାରଣୀ ଦାଖଲ କରିବେ। ସେହି ତଥ୍ୟ ଜରିଆରେ ଯାତ୍ରୀଙ୍କ ତରଫରୁ ଥିବା ବିପଦକୁ ସୀମା ଶୁଳ୍କ ବିଭାଗ ଅନୁଶୀଳନ କରିପାରିବ। ଏହି ନୂଆ ବ୍ୟବସ୍ଥାରେ ଯୋଡ଼ିହେବା ଲାଗି କେତେକ ଏୟାରଲାଇନ୍ ଆଗ୍ରହ ପ୍ରକାଶ କରିଥିବାରୁ ପରୀକ୍ଷାମୂଳକ ଭାବେ ତାହା ଆରମ୍ଭ କରିବାକୁ କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ଯୋଜନା ରଖିଛି।