ନୂଆଦିଲ୍ଲୀ: ବିମାନ ଉଡ଼ାଣରେ ବିଳମ୍ବ ହେଲେ ଏୟାରଲାଇନ୍‌ ପକ୍ଷରୁ ଯାତ୍ରୀମାନଙ୍କୁ ପାନୀୟ, ଜଳଖିଆ କିମ୍ବା ଭୋଜନ ଦେବାକୁ ପଡ଼ିବ। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏୟାରଲାଇନ୍‌ମାନଙ୍କୁ କୁହାଯାଇଛି ଯେ ବିମାନ ଉଡ଼ାଣ ଦୁଇ ଘଣ୍ଟା ପର୍ଯ୍ୟନ୍ତ ବିଳମ୍ବ ହେଲେ ଯାତ୍ରୀଙ୍କୁ ପାନୀୟ, ଦୁଇରୁ ଚାରି ଘଣ୍ଟା ପର୍ଯ୍ୟନ୍ତ ବିଳମ୍ବ ହେଲେ ଜଳଖିଆ ବ୍ୟବସ୍ଥା କରିବାକୁ ପଡ଼ିବ। ଉଡ଼ାଣ ଚାରି ଘଣ୍ଟାରୁ ଅଧିକ ବିଳମ୍ବ ହେଲେ ଯାତ୍ରୀଙ୍କୁ ଭୋଜନ ଦେବାକୁ ହେବ। ବିମାନ ଉଡ଼ାଣରେ ବିଭ୍ରାଟ ଭଳି ସମୟରେ ଯାତ୍ରୀମାନେ ଭୋଗୁଥିବା ସମସ୍ୟାକୁ ଦୂର କରିବା ସହ ସେମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଡିଜିସିଏ ଏହି ମାର୍ଗଦର୍ଶିକା ଜାରି କରିଛି। ଅନ୍ୟ ଏକ ଘଟଣାକ୍ରମରେ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ ପକ୍ଷରୁ ବିଳମ୍ବିତ ବିମାନ ଭିତରେ ବସି ରହିଥିବା ଯାତ୍ରୀଙ୍କ ସୁବିଧା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ବିମାନ ଭିତରୁ ବାହାରିବାକୁ ଯାତ୍ରୀଙ୍କୁ ସୁଯୋଗ ଦିଆଯାଉନଥିଲା। ପାଣିପାଗ କିମ୍ବା ବୈଷୟିକ କାରଣ ଯୋଗୁଁ ବିମାନର ଉଡ଼ାଣ ବିଳମ୍ବ ହେଲେ ସେଥିରେ ଯାତ୍ରୀମାନଙ୍କୁ ପୁନର୍ବାର ଭର୍ତ୍ତି କରିବା ଲାଗି ଅନୁମତି ଦିଆଯାଇଛି।