ଏୟାରଟେଲ୍‌ ୩ଜି ସେବା ବନ୍ଦ କରିବ

ମୁମ୍ବାଇ: ଏୟାରଟେଲ୍‌ ଆସନ୍ତା ୩-୪ ବର୍ଷ ଭିତରେ ଏହାର ୩ଜି ସେବାକୁ ବନ୍ଦ କରିଦେବ। ଦେଶରେ ଯେଉଁଭଳି ଭାବେ ଡାଟା ବ୍ୟବହାର ବୃଦ୍ଧି ପାଇଛି ତାହାକୁ ନଜରରେ ରଖି କଂପାନି ୪ଜି ନେଟଓ୍ଵର୍କକୁ ଅଧିକ ସୁଦୃଢ଼ କରିବା ଉପରେ ମନୋନିବେଶ କରିଛି। କିଛି ବର୍ଷ ପରେ ଏହା କେବଳ ୨ଜି ଏବଂ ୪ଜି ସେବା ଜାରି ରଖିବ। କଂପାନିର ଏମ୍‌ଡି ଏବଂ ସିଇଓ ଗୋପାଳ ଭିଟ୍ଟଲ କହିଛନ୍ତି ଯେ ଆମେ ୩ଜି ସେବାରେ ନିବେଶ ପରିମାଣ ଏକ ପ୍ରକାର ବନ୍ଦ କରିଦେଇଛୁ। ଆମେ ଭାବୁଛୁ ଯେ ଆଗାମୀ ୩-୪ ବର୍ଷ ଭିତରେ ୨ଜି ଅପେକ୍ଷା ୩ଜି ସେବା ଅଧିକ ଦ୍ରୁତ ଗତିରେ ବନ୍ଦ ହେବ। ୨ଜି ସେବା ଜାରି ରହିବ କାରଣ ଏବେ ବି ଭାରତକୁ ଆସୁଥିବା ଫୋନ୍‌ଗୁଡ଼ିକ ମଧ୍ୟରୁ ୫୦% ହେଉଛି ଫିଚର୍‌ ଫୋନ୍‌। କଂପାନିର ମୁଖ୍ୟ ବିତ୍ତ ଅଧିକାରୀ ନିରଞ୍ଜନ ରାୟ କହିଛନ୍ତି ଯେ ଚଳିତ ବର୍ଷ ପାଇଁ ଆମେ ୪ଜି ସେବାର ନିବେଶ ପରିମାଣକୁ ୨୫ ହଜାର କୋଟି ଟଙ୍କାକୁ ବଢ଼ାଇଛୁ। ପୂର୍ବରୁ ଆମେ ଯୋଜନା ରଖିଥିଲୁ ୨୦ ହଜାର କୋଟି ଟଙ୍କା ନିବେଶ କରିବୁ। କିନ୍ତୁ ଦେଶରେ ଡାଟା ବ୍ୟବହାର ବହୁତ ବଢ଼ିଯାଇଥିବାରୁ ଆମେ ୪ଜିରେ ନିବେଶ ପରିମାଣ ବଢ଼ାଇବାକୁ ନିଷ୍ପତ୍ତି ନେଇଛୁ ବୋଲି ସେ କହିଛନ୍ତି।

ଡାଟା ସେବା ପ୍ରଦାନ କରିବାରେ ଏୟାରଟେଲ୍‌ ନିଜକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। କଂପାନି ପାଖରେ ଯେଉଁ ୩ଜି ରେଡିଓ ତରଙ୍ଗ ଏବଂ ଯନ୍ତ୍ରାଂଶ ରହିଛି ତାହାକୁ ୪ଜି ସେବା ପ୍ରଦାନ କରିବାରେ ବ୍ୟବହାର କରାଯିବ। କେତେକ ପୁରୁଣା ୩ଜି ଯନ୍ତ୍ରାଂଶ ୪ଜି ପାଇଁ କାମ ଦେବନାହିଁ। ସେଗୁଡ଼ିକୁ କଂପାନି ସମ୍ପୂର୍ଣ୍ଣ ବଦଳାଇ ଦେବ। ୪ଜି ସେବା ଉପରେ କଂପାନି ଅଧିକ ଗୁରୁତ୍ୱ ପ୍ରଦାନ କରିବ ବୋଲି କହିଛି।

ସମ୍ବନ୍ଧିତ ଖବର