ଏୟାରଟେଲ୍‌ ବଢ଼ାଇଲା ସର୍ବନିମ୍ନ ରିଚାର୍ଜ ମୂଲ୍ୟ

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଟେଲିକମ୍ କଂପାନି ଏୟାରଟେଲ୍‌ ଏହାର ସର୍ବନିମ୍ନ ରିଚାର୍ଜ ପ୍ଲାନ୍‌ର ମୂଲ୍ୟ ବୃଦ୍ଧି କରିଛି। ପୂର୍ବରୁ ଏହାର ସବୁଠୁ କମ୍ ମୂଲ୍ୟର ପ୍ରିପେଡ୍ ପ୍ଲାନ୍ ଦାମ୍ ଥିଲା ୪୯ ଟଙ୍କା। ସେହି ପ୍ଲାନ୍‌କୁ କଂପାନି ବନ୍ଦ କରିଥିବା ବେଳେ ତାହା ସ୍ଥାନରେ ୭୯ ଟଙ୍କିଆ ପ୍ଲାନ୍ ଆଣିଛି। ଏୟାରଟେଲ୍‌ ଏଭଳି ପଦକ୍ଷେପ ନେଇଥିବାରୁ ଆଗାମୀ ଦିନରେ ରିଲାଏନ୍ସ ଜିଓ ଓ ଭୋଡାଫୋନ୍ ଆଇଡିଆ ମଧ୍ୟ ସେଭଳି ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି।ଏୟାରଟେଲ୍‌ର ୭୯ ଟଙ୍କିଆ ପ୍ଲାନ୍‌ରେ ଗ୍ରାହକମାନେ ଚାରି ଗୁଣା ଅଧିକ ଆଉଟ୍‌ଗୋଇଙ୍ଗ୍ ମିନିଟ୍ ଓ ଦୁଇ ଗୁଣା ଅଧିକ ଡାଟା ପାଇବେ। ଏହି ପ୍ଲାନ୍ ଜୁଲାଇ ୨୯ରୁ ଲାଗୁ ହେବ।

ଶେଷ ଥର ଲାଗି ପ୍ରିପେଡ୍ ରିଚାର୍ଜ ମୂଲ୍ୟ ୨୦୧୯ ଡିସେମ୍ବରରେ ବଢ଼ିଥିଲା। ପୂର୍ବରୁ ୪୦୦ ଟଙ୍କାରେ ମିଳୁଥିବା ପ୍ଲାନ୍‌ର ଦାମ୍ ୬୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ଏବେ ପୁଣି ଥରେ ଟେଲିକମ୍ ଶିଳ୍ପରେ ରିଚାର୍ଜ ମୂଲ୍ୟ ବୃଦ୍ଧିର ଧାରା ଆରମ୍ଭ ହୋଇଥିବା ଅନୁମାନ କରାଯାଉଛି। ଟେଲିକମ୍ କଂପାନିଗୁଡ଼ିକ ଖୁବ୍‌ ଶସ୍ତାରେ ଟେଲିକମ୍ ସେବା ଯୋଗାଇ ଦେଉଥିବାରୁ ପ୍ରତି ଗ୍ରାହକ ପିଛା ସେମାନେ ପୂର୍ବରୁ ଯେଉଁ ଆୟ କରୁଥିଲେ ତାହା ହ୍ରାସ ପାଇଛି। ଗ୍ରାହକ ପିଛା ଆୟରେ ବୃଦ୍ଧି ଆଣିବା ଲାଗି କଂପାନିଗୁଡ଼ିକ ରିଚାର୍ଜ ପ୍ଲାନ୍ ମୂଲ୍ୟ ବଢ଼ାଉଛନ୍ତି। ସର୍ବନିମ୍ନ ରିଚାର୍ଜ ମୂଲ୍ୟରେ ବୃଦ୍ଧି କରାଯାଇଥିବାରୁ ଗରିବ ଲୋକମାନେ ପ୍ରଭାବିତ ହେବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର