ନୂଆଦିଲ୍ଲୀ: ଆଗକୁ ବଢ଼ିବା ଲାଗି ସଂଘର୍ଷ କରୁଥିବା ଡାଇରେକ୍ଟ-ଟୁ-ହୋମ୍ (ଡିଟିଏଚ୍) ଶିଳ୍ପରେ ଅଧିଗ୍ରହଣ ଓ ମିଶ୍ରଣ ହେବାକୁ ଯାଉଛି। ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ଟାଟା ପ୍ଲେକୁ (ପୂର୍ବରୁ ଟାଟା ସ୍କାଏ ଥିଲା) କିଣିବା ଲାଗି ସୁନୀଲ ମିତ୍ତଲଙ୍କ କମ୍ପାନି ଏୟାରଟେଲ୍ କଥାବାର୍ତ୍ତା ଆରମ୍ଭ କରିଛି। ଡିଜିଟାଲ୍ ଟିଭି କ୍ଷେତ୍ରରେ ନିଜ ଉପସ୍ଥିତିକୁ ସୁଦୃଢ଼ କରିବା ଲାଗି ଟାଟା ପ୍ଲେକୁ ଅଧିଗ୍ରହଣ କରିବାକୁ ଚାହୁଛି ଏୟାରଟେଲ୍।
ଚାପରେ ଡିଟିଏଚ୍ ଶିଳ୍ପ
ବଞ୍ଚିବାକୁ ମିଶ୍ରଣ, ଅଧିଗ୍ରହଣ ମୁହାଁ କମ୍ପାନି
ଏହି ଖବର ପ୍ରକାଶ ପାଇବା ପରେ ଷ୍ଟକ୍ ବଜାର କର୍ତ୍ତୃପକ୍ଷ ଏୟାରଟେଲ୍କୁ ଜବାବ ମାଗିଥିଲେ। ତାହାର ଉତ୍ତରରେ କମ୍ପାନି ପକ୍ଷରୁ କୁହାଯାଇଛି ଯେ ଏୟାରଟେଲ୍ ଓ ଏହାର ସହାୟକ କମ୍ପାନିଗୁଡ଼ିକ ଅଭିବୃଦ୍ଧି ଲାଗି ମିଶ୍ରଣ, ଅଧିଗ୍ରହଣ ପାଇଁ ପ୍ରୟାସ କରିଥାନ୍ତି। ବର୍ତ୍ତମାନ ସୁଦ୍ଧା ଏଭଳି କୌଣସି ନିଷ୍ପତ୍ତି ହୋଇନାହିଁ ଯାହା ବିଷୟରେ କମ୍ପାନି ଷ୍ଟକ୍ ବଜାରକୁ କିଛି ଅବଗତ କରିବ। ଟାଟା ପ୍ଲେ୍ରେ ଟାଟା ଗ୍ରୁପ୍ର ୭୦ ପ୍ରତିଶତ ଓ ୱାଲ୍ଟ ଡିଜ୍ନି ପାଖରେ ଅବଶିଷ୍ଟ ୩୦ ପ୍ରତିଶତ ଅଂଶଧନ ରହିଛି। ୨୦୧୯ରେ ୨୧ ସେଞ୍ଚୁରି ଫକ୍ସ ସହିତ ୱାଲ୍ଟ ଡିଜ୍ନିର ମିଶ୍ରଣ ପରେ କମ୍ପାନି ଟିଭି ବିତରଣ ବ୍ୟବସାୟରୁ ଓହରିବା ଲାଗି ସୁଯୋଗ ଖୋଜୁଛି। ୨୦୦୬ରେ ଆରମ୍ଭ ହୋଇଥିବା ଟାଟା ପ୍ଲେ ପାଖରେ ୨୦.୭୭ ନିୟୁତ ଗ୍ରାହକ ରହିଛନ୍ତି। ୨୦୧୭ରେ ଟାଟା ଗ୍ରୁପ୍ ଏହାର ଟେଲିକମ୍ ବ୍ୟବସାୟକୁ ଏୟାରଟେଲ୍କୁ ବିକ୍ରି କରି ସେହି କ୍ଷେତ୍ରରୁ ସମ୍ପୂର୍ଣ୍ଣ ଓହରିଯାଇଥିଲା। ଯଦି ଟାଟା ପ୍ଲେ ବିକ୍ରି ହେବ ତେବେ କଣ୍ଟେଣ୍ଟ ଓ ମନୋରଞ୍ଜନ ଶିଳ୍ପରୁ ଟାଟା ସମ୍ପୂର୍ଣ୍ଣ ଓହରିଯିବ।
ଡିଟିଏଚ୍ ଶିଳ୍ପ ଏବେ କଠିନ ସମୟ ଦେଇ ଗତି କରୁଛି। ଲୋକମାନେ ହୋମ୍ ବ୍ରଡ୍ବ୍ୟାଣ୍ଡ୍ ସଂଯୋଗ ନେଇ ଓଭର ଦି ଟପ୍ (ଓଟିଟି) ଷ୍ଟ୍ରିମିଂ ସେବା ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି। ସେଥିପାଇଁ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ସହରଗୁଡ଼ିକରେ ଡିଟିଏଚ୍ ଗ୍ରାହକ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି। ଗ୍ରାମାଞ୍ଚଳରେ ଲୋକମାନେ ଦୂରଦର୍ଶନର ମାଗଣା ଡିସ୍ ସେବା ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। ଗ୍ରାହକ ହରାଉଥିବାରୁ ଡିଟିଏଚ୍ କମ୍ପାନିଗୁଡ଼ିକ ରାଜସ୍ବ ସଂଗ୍ରହ କରିବା ଲାଗି ସଂଘର୍ଷ କରୁଛନ୍ତି।