ଇପିଏଫ୍‌ ସୁଧ ହ୍ରାସକୁ ଏଆଇଟିୟୁସିର ବିରୋଧ: ମାର୍ଚ୍ଚ ୨୮-୨୯ରେ ସର୍ବଭାରତୀୟ ଧର୍ମଘଟ

ନୂଆଦିଲ୍ଲୀ: ଭାରତୀୟ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସୁଧ ହାରକୁ ୮.୧%କୁ ହ୍ରାସ କରିବା ପରେ ତାହାକୁ ନେଇ ଅଲ ଇଣ୍ଡିଆ ଟ୍ରେଡ୍ ୟୁନିଅନ୍ କଂଗ୍ରେସ (ଏଆଇଟିୟୁସି) ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଚଳିତ ମାସ ୨୮-୨୯ରେ ସର୍ବଭାରତୀୟ ଧର୍ମଘଟ କରିବାକୁ ଏହା ଡାକରା ଦେଇଛି। ଏଆଇଟିୟୁସି ପକ୍ଷରୁ କୁହାଯାଇଛି ଯେ ଶିଳ୍ପ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ଦେବା ଦାୟିତ୍ବକୁ ସରକାର ଠିକ ଭାବେ ନିର୍ବାହ କରୁନାହାନ୍ତି। ସେମାନଙ୍କ ଭାଗ୍ୟକୁ ପୁଞ୍ଜି ବଜାର ଉପରେ ଛାଡ଼ି ଦେଇଛନ୍ତି। ଗତକାଲି ଇପିଏଫ୍‌ ସୁଧରେ ହ୍ରାସ ଖବର ପ୍ରକାଶ ପାଇବା ପରେ ସରକାରଙ୍କୁ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଥିଲା। ଏହା ବିଜେପି ବିଜୟର ପାଲଟା ଉପହାର ବୋଲି କଂଗ୍ରେସର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେୱାଲା କହିଥିଲେ।

ଗୌହ୍ବାଟିରେ ଅନୁଷ୍ଠିତ ଇପିଏଫ୍‌ଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ବୈଠକରେ ଅଂଶଗ୍ରହଣ କରିଥିବା ଶ୍ରମିକ ସଂଗଠନର ପ୍ରତିନିଧିମାନେ ୨୦୨୦-୨୧ ବର୍ଷ ପାଇଁ ଦିଆଯାଇଥିବା ୮.୫% ସୁଧକୁ ୨୦୨୧-୨୨ରେ ଜାରି ରଖିବାକୁ ଦାବି କରିଥିଲେ। ବୋର୍ଡର ଅଧ୍ୟକ୍ଷ ୮.୧% ସୁଧର ପ୍ରସ୍ତାବ ଦେଇଛନ୍ତି। ସୁଧରେ ଯେତିକି ହ୍ରାସ ହୋଇଛି ତାହାକୁ ସାମାଜିକ ସୁରକ୍ଷାରେ ସେତିକି ହ୍ରାସ ବୋଲି ବିଚାର କରଯିବ। ବୃଦ୍ଧାବସ୍ଥାରେ ବରିଷ୍ଠ ନାଗରିକମାନେ ନିଜ ସଞ୍ଚୟ ରାଶିର ସୁଧ ଉପରେ ହିଁ ନିର୍ଭରଶୀଳ ରହିଥାନ୍ତି। ଶେଷ ଥର ଲାଗି ୧୯୭୭-୭୮ରେ ଇପିଏଫ୍‌ ସୁଧ ୮% ଥିଲା। ଏହା ପରେ ୨୦୧୧-୧୨ରେ ଦ୍ବିତୀୟ ସର୍ବନିମ୍ନ ୮.୨୫% ରହିଥିଲା। ଗତ ୧୦ ବର୍ଷ ଭିତରେ ଇପିଏଫ୍‌ ସୁଧ ଏତେ ନିମ୍ନ ସ୍ତରକୁ ଖସିନଥିଲା।

ସମ୍ବନ୍ଧିତ ଖବର