ନିର୍ବିରୋଧରେ ବିଶ୍ବବ୍ୟାଙ୍କ ଅଧ୍ୟକ୍ଷ ନିର୍ବାଚିତ ହେବେ ଭାରତ ଜନ୍ମିତ ଅଜୟ ବଙ୍ଗା

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଅଜୟ ବଙ୍ଗା ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ହେବାକୁ ଯାଉଛନ୍ତି । ବୁଧବାର ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଥିବା ବେଳେ ଅନ୍ୟ କୌଣସି ଦେଶ ସାର୍ବଜନୀନ ଭାବେ ବିକଳ୍ପ ପ୍ରାର୍ଥୀ ପ୍ରସ୍ତାବ ଦେଇନାହାନ୍ତି । ବର୍ତ୍ତମାନର ଅଧ୍ୟକ୍ଷ ଡେଭିଡ୍ ମାଲପାସ୍ ପ୍ରାୟ ବର୍ଷେ ତଳେ ଇସ୍ତଫା ଦେବାକୁ ଘୋଷଣା କରିବା ପରେ ଗତ ମାସରେ ମାଷ୍ଟରକାର୍ଡର ପୂର୍ବତନ ମୁଖ୍ୟ କାର୍ୟ୍ୟନିର୍ବାହୀ ବଙ୍ଗାଙ୍କୁ ବିଶ୍ବ ବ୍ୟାଙ୍କ ମୁଖ୍ୟ ପଦ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମନୋନୀତ କରିଥିଲେ । ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ପଦ ପାଇଁ ଅଜୟ ବଙ୍ଗାଙ୍କ ପ୍ରାର୍ଥୀତ୍ୱକୁ ଭାରତ ସମର୍ଥନ କରିଛି ।

୨୦୧୯ରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ମନୋନୀତ ଶ୍ରୀ ମାଲପାସ୍ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଶ୍ବବ୍ୟାଙ୍କ ଅଧ୍ୟକ୍ଷ ହୋଇଥିଲେ । ବିଶ୍ବବ୍ୟାଙ୍କର ଅଧ୍ୟକ୍ଷ ପଦ ପାଇଁ ସର୍ବଦା ଜଣେ ଆମେରିକୀୟ ପ୍ରାର୍ଥୀଙ୍କୁ ବଛାଯାଇଥାଏ । ଆମେରିକା ବ୍ୟତୀତ ଅନ୍ୟ କୌଣସି ଦେଶ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ବିଶ୍ୱ ବ୍ୟାଙ୍କର ନିୟମ ଅନୁଯାୟୀ ସଦସ୍ୟ ରାଷ୍ଟ୍ରମାନେ ବୁଧବାର ଅପରାହ୍ନରେ ଅବଧି ଶେଷ ହୋଇଥିବା ସମୟ ସୀମା ମଧ୍ୟରେ ନାମ ପଞ୍ଜୀକରଣ କରିପାରିବେ। ଏଭଳି ସ୍ଥିତିରେ ଅଜୟ ବଙ୍ଗାଙ୍କ ଆଗରେ କେହି ଛିଡ଼ା ହୋଇନଥିବା ଦେଖିବାକୁ ମିଳୁଛି ।

ଓ୍ଵାଶିଂଟନସ୍ଥିତ ବିଶ୍ୱବ୍ୟାଙ୍କ ଫେବ୍ରୁଆରି ଶେଷ ଭାଗରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ କରି କହିଥିଲା ଯେ ନାମାଙ୍କନ ପତ୍ର ଦାଖଲ ବନ୍ଦ ହେବା ପରେ ଏହାର ବୋର୍ଡ ଶୀର୍ଷପଦ ପାଇଁ ପ୍ରାର୍ଥୀଙ୍କ ଆନୁଷ୍ଠାନିକ ସାକ୍ଷାତକାର ନେବ ଏବଂ ମେ’ ପ୍ରାରମ୍ଭସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ ।

ସମ୍ବନ୍ଧିତ ଖବର