ମେ’ରେ ଆକାଶ ଏୟାରୱେଜ୍‌ର ବିମାନ ଉଡ଼ାଣ

ନୂଆଦିଲ୍ଲୀ: ଦେଶର ବିଶିଷ୍ଟ ନିବେଶକ ରାକେଶ ଝୁନଝୁନୱାଲାଙ୍କ ଦ୍ବାରା ପ୍ରତିଷ୍ଠିତ କମ୍ପାନି ଆକାଶ ଏୟାରୱେଜ୍‌ର ବିମାନ ସେବା ଚଳିତବର୍ଷ ମେ ଶେଷ କିମ୍ବା ଜୁନ ପ୍ରାରମ୍ଭ ବେଳକୁ ଆରମ୍ଭ ହେବ। କମ୍ପାନି ଆସନ୍ତା ଏପ୍ରିଲରେ ବୋଇଂ ୭୩୭ ମାକ୍ସ ବିମାନ ହାସଲ କରିବ। ଏହାପରେ ମେ କିମ୍ବା ଜୁନରେ ଉଡ଼ାଣ ଆରମ୍ଭ କରିବ ବୋଲି କମ୍ପାନିର ସିଇଓ ବିନୟ ଦୁବେ କହିଛନ୍ତି। ଦେଶର ବିମାନ ସେବା ଶିଳ୍ପକୁ ନେଇ ରାକେଶ ଝୁନଝୁନୱାଲ ବେଶ୍ ଆଶାବାଦୀ ଅଛନ୍ତି। ଏଥିପାଇଁ ତାଙ୍କ କମ୍ପାନି ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ମୋଟ ୧୮ଟି ବିମାନ ପାଖରେ ରଖିବା ଆଶା ରଖିଛି। କରୋନା ମହାମାରୀ ପାଇଁ ବିମାନସେବା ଶିଳ୍ପ ଖରାପ ସ୍ଥିତି ଦେଇ ଗତି କରୁଛି। ଏହାସତ୍ତ୍ବେ ସିଇଓ ଦୁବେ ଭାରତକୁ ନେଇ ଅତ୍ୟଧିକ ଆଶାବାଦୀ ଅଛନ୍ତି। ସେ କହିଛନ୍ତି ଭାରତର ବିମାନ ସେବା ଶିଳ୍ପର ଆକାର ବଢ଼ିବାରେ ଲାଗିଛି। ବର୍ତ୍ତମାନ ଯେଉଁ ସମସ୍ୟା ଦେଖାଦେଇଛି ତାହା ଅସ୍ଥାୟୀ ଏବଂ ଏହି ଅବସ୍ଥା ଚାଲିଯିବ। କରୋନା ମହାମାରୀ ଦ୍ବାରା ବେସାମରିକ ବିମାନ ସେବା ଶିଳ୍ପ ସାଂଘାତିକ ମାତ୍ରାରେ କ୍ଷତି ସହିଛି। ଉକ୍ତ ଶିଳ୍ପରେ ସୁଧାର ଆସିବା ବେଳକୁ ଓମିକ୍ରନ ସେଥିରେ ଆଉ ଏକ ପ୍ରତିବନ୍ଧକ ଭାବେ ଠିଆ ହୋଇଛି।

ଉଲ୍ଲେଖଯୋଗ୍ୟ, ଆକାଶ ଏୟାର ବଜେଟ୍ ଏୟାରଲାଇନ୍ସ ଭାବେ ପରିଚାଳିତ ହେବ। କମ୍ପାନି ଏଥିପାଇଁ କମ୍ ଇନ୍ଧନ ବ୍ୟବହାର ହେଉଥିବା ବୋଇଂ ୭୩୭ ମାକ୍ସ ବିମାନରୁ ୭୨ଟି କିଣିବା ଲାଗି ନିଷ୍ପତ୍ତି ନେଇଛି। ପ୍ରାରମ୍ଭିକ ପର୍ଯାୟରେ ଆକାଶର ବିମାନସେବା ମେଟ୍ରୋରୁ ଟାଏର-୨ ଏବଂ ଟାଏର-୩ ସହରକୁ ଆରମ୍ଭ ହେବ। ଏଥିସହିତ ମେଟ୍ରୋରୁ ମେଟ୍ରୋକୁ ମଧ୍ୟ ବିମାନ ଉଡ଼ାଣ କରିବ। ଆକାଶ ଏୟାର ପକ୍ଷରୁ କର୍ମଚାରୀ ନିଯୁକ୍ତି ସମେତ ଅନ୍ୟାନ୍ୟ କାର୍ଯ୍ୟ ଚାଲିଛି। ଆକାଶ ଏୟାରର ବିମାନସଂଖ୍ୟା ୨୦ରେ ପହଞ୍ଚିଲେ ୨୦୨୩ରେ କମ୍ପାନି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ଲକ୍ଷ୍ୟ ରଖିଥିବା ଶ୍ରୀ ଦୁବେ କହିଛନ୍ତି।

ସମ୍ବନ୍ଧିତ ଖବର