ନୂଆଦିଲ୍ଲୀ : ଭାରତୀୟ ଆକାଶରେ ଆଉ ଏକ ବିମାନ ସେବା କମ୍ପାନି ବା ଏୟାରଲାଇନ୍ସର ବିମାନ ଉଡ଼ିବାକୁ ଯାଉଛି । ଏହାର ନାଁ ହେଉଛି ବିଶିଷ୍ଟ ନିବେଶକ ରାକେଶ ଝୁନଝୁନଓ୍ବାଲାଙ୍କ ‘ଆକାଶ ଏୟାର’ । ଏହି ନୂତନ ଏୟାରଲାଇନ୍ସକୁ ଆଜି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକଙ୍କ ପକ୍ଷରୁ ଏୟାର ଅପରେଟର ଲାଇସେନ୍ସ ପ୍ରଦାନ କରାଯାଇଛି ।
ଲାଇସେନ୍ସ ପାଇବା ପରେ ‘ଆକାଶ ଏୟାର’ ଦେଶର ୮ମ ଘରୋଇ ବିମାନ ସେବା କମ୍ପାନିରେ ପରିଣତ ହୋଇଛି । ବର୍ତ୍ତମାନ ଦେଶରେ ଏୟାର ଇଣ୍ଡିଆ, ଇଣ୍ଡିଗୋ, ସ୍ପାଇଶଜେଟ୍, ଗୋଏୟାର, ଭିସ୍ତାରା, ଏୟାରଏସିଆ ବିମାନସେବା ଯୋଗାଉଛନ୍ତି । ସେହିପରି ଜେଟ ଏୟାରଓ୍ବେଜ ଖୁବ ଶୀଘ୍ର ସେବା ଆରମ୍ଭ କରିବାକୁ ଯାଉଛି । ଏହି କମ୍ପାନିକୁ ଗତ ମେ ମାସରେ ଏୟାର ଲାଇସେନ୍ସ ମିଳିଥିଲା । ସେବା ଆରମ୍ଭ କରିବା ପରେ ଆକାଶ ଏୟାର ଦେଶର ୮ମ କମ୍ପାନି ହେବ ।
ଗୋଟିଏ ବିମାନ ସେବା କମ୍ପାନିକୁ ଉଡାଣ ଲାଇସେନ୍ସ ପ୍ରଦାନର ଅର୍ଥ ହେଉଛି ଏହା ସବୁପ୍ରକାରର ଆଇନଗତ ଓ ଅନ୍ୟାନ୍ୟ ବୈଶୟିକ ଆବଶ୍ୟକତାକୁ ପୂରଣ କରିସାରିଛି ଓ ଉଡ଼ାଣ ଆରମ୍ଭ ପାଇଁ ପ୍ରସ୍ତୁତ ଅଛି । ଉଡାଣ ଲାଇସେନ୍ସ ପାଇବା ପରେ ଚଳିତ ମାସରେ ହିଁ ନିଜର ବିମାନ ସେବା ଆରମ୍ଭ କରିବାକୁ ଆକାଶ ଏୟାର ଲକ୍ଷ୍ୟ ରଖିଛି ।
ଏସଏନଭି ଆଭିଏସନ ଭାରେ ପଂଜୀକୃତ ଆକାଶ ଏୟାର ଗତ ବର୍ଷ ୭୨ଟି ବୋଇଙ୍ଗ ୭୩୭ ମାକ୍ସ ବିମାନ ଖରିଦ ପାଇଁ ଅର୍ଡର ଦେଇଥିଲା ।