୩ ତାରିଖ ସୁଦ୍ଧା ସରକାରୀ ଘର ଛାଡିବେ ଅଖିଳେଶ, ମୁଲାୟମ

ଲକ୍ଷ୍ନୌ : ଆସନ୍ତା ୩ ତାରିଖ ସୁଦ୍ଧା ନିଜର ସରକାରୀ ବାସଭବନ ଖାଲି କରିପାରନ୍ତି ସମାଜବାଦୀ ନେତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । ତାଙ୍କ ପିତା ମଧ୍ୟ ସରକାରୀ କ୍ୱାର୍ଟର ଛାଡିବାର ସମ୍ଭାବନା ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀମାନେ ସରକାରୀ ବାସଭବନ ଖାଲି କରିବାକୁ ଉତ୍ତରପ୍ରଦେଶ ସରକାର ନୋଟିସ ଜାରି କରିଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟସରକାର ଏହି ପଦକ୍ଷେପ ନେଇଥିଲେ । ଅଖିଳେଶ ଲକ୍ଷ୍ନୌର ୪-ବିକ୍ରମାଦିତ୍ୟ ମାର୍ଗରେ ଅବସ୍ଥିତ ଏକ ସରକାରୀ କ୍ୱାର୍ଟରରେ ମୁଖ୍ୟମନ୍ତ୍ରୀ ହେବା ଦିନଠାରୁ ରହୁଛନ୍ତି । ଗତ ବର୍ଷ ତାଙ୍କ ଦଳ ନିର୍ବାଚନରେ ହାରିବା ପରେ ସେ ମୁଖ୍ୟମନ୍ତ୍ରୀ ପଦ ତ୍ୟାଗ କରିଥିଲେ ମଧ୍ୟ ସରକାରୀ ବାସଭବନକୁ ଖାଲି କରିନଥିଲେ । କେବଳ ସେ ନୁହେଁ ତାଙ୍କ ପିତା ମୁଲାୟମ ସିଂ ଯାଦବ, ବହୁଜନ ସମାଜବାଦୀ ପାର୍ଟି ନେତ୍ରୀ ମାୟାବତୀ ମଧ୍ୟ ନିଜର ସରକାରୀ ବସଭବନରେ ରହୁଛନ୍ତି । ଏ ସମସ୍ତଙ୍କୁ କ୍ୱାର୍ଟର ଖାଲି କରିବାକୁ କୁହାଯାଇଛି । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ମୁଲାୟମ ସିଂ ଯାଦବ ଓ ଅଖିଳେଶ ଆଉ କିଛି ଦିନ ସମୟ ମାଗିଥିଲେ ମଧ୍ୟ କୋର୍ଟ କୌଣସି ରିହାତି ଦେବାକୁ ମନା କରିଦେଇଛନ୍ତି । ଏ ସଂପର୍କରେ ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି ଯେ ଅଖିଳେଶ ଶେଷ ତାରିଖ ପୂର୍ବରୁ ସରକାରୀ କ୍ୱାର୍ଟର ଛାଡି ବ୍ୟକ୍ତିଗତ ଘରକୁ ଚାଲିଯିବେ ।

ସମ୍ବନ୍ଧିତ ଖବର