ଭୁବନେଶ୍ୱର: ଅାଜି ଅକ୍ଷୟ ତୃତୀୟା। ଏଥିପାଇଁ ରାଜ୍ୟ ବଜାରକୁ ପାଖାପାଖି ୭ କ୍ୱିଣ୍ଟାଲରୁ ଅଧିକ ସୁନା ଆସିଛି। ଗହଣା ବଜାର ସହ ଜଡ଼ିତ ଜଣେ ପୁରୁଖା ବ୍ୟବସାୟୀ ନିଜ ନାମ ଗୋପନ ରଖିବା ସର୍ତରେ ଏହା କହିଛନ୍ତି। ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ସୁନା ମୂଲ୍ୟ ମଙ୍ଗଳବାର ୩୧,୨୪୦ ଟଙ୍କା ଥିଲା । ବର୍ତମାନର ମୂଲ୍ୟରେ ରାଜ୍ୟ ବଜାରକୁ ଆସିଥିବା ଏହି ସୁନାର ମୂଲ୍ୟ ପ୍ରାୟ ୨୦୦ କୋଟି ଟଙ୍କା ହେବ।

Advertisment

ଗତ ବର୍ଷ ଅକ୍ଷୟ ତୃତୀୟାରେ ସୁନା ମୂଲ୍ୟ ୨୮,୭୦୦ ଟଙ୍କା ପାଖାପାଖି ରହିଥିଲା। ବର୍ଷକ ମଧ୍ୟରେ ସୁନା ମୂଲ୍ୟ ପାଖାପାଖି ଅଢ଼େଇ ହଜାର ଟଙ୍କା ବୃଦ୍ଧି ପାଇଛି। ତେଣୁ ଗତବର୍ଷ ଅକ୍ଷୟ ତୃତୀୟାରେ ସୁନାରେ ନିବେଶ କରିଥିବା ଗ୍ରାହକମାନେ ଯଥେଷ୍ଟ ଲାଭବାନ ହୋଇଛନ୍ତି। ଅନ୍ୟପକ୍ଷରେ ଆମେରିକା ଓ ଚୀନ୍‌ ମଧ୍ୟରେ ଏବେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ସମେତ ସିରିୟା ସଙ୍କଟ କାରଣରୁ ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ବୃଦ୍ଧି ଘଟୁଛି। ଏହାର ପ୍ରଭାବ ଘରୋଇ ବଜାର ଉପରେ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଯେଉଁମାନେ ଆଉ କିଛିଦିନ ପରେ ସୁନା କିଣିଥାନ୍ତେ ସେମାନେ ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ପସନ୍ଦ କରିବେ ବୋଲି ଅନେକ ବ୍ୟବସାୟୀ ମତ ଦେଇଛନ୍ତି।

publive-image

ଅକ୍ଷୟ ତୃତୀୟାରେ ସୁନା ଓ ଅନ୍ୟ ମୂଲ୍ୟବାନ ଧାତୁ କିଣିଲେ ଘରକୁ ଲକ୍ଷ୍ମୀ ଆସିଥାନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ସୋ’ରୁମ୍‌ ଗୁଡ଼ିକ ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛନ୍ତି। ସୋ’ରୁମ୍‌ ଗୁଡ଼ିକ ସେମାନଙ୍କ ଥାକରେ ଭଳିକି ଭଳି ଗହଣା ସଜେଇ ରଖିଥିବାବେଳେ ବାହାରେ ଅଫରକୁ ନେଇ ଆକର୍ଷଣୀୟ ତୋରଣମାନ ନିର୍ମାଣ କରିଛନ୍ତି । ଆଗକୁ ବିବାହ ଋତୁ ରହିଛି। ବିବାହ ଋତୁ ସମୟରେ ଗ୍ରାହକମାନେ ଯେଉଁ ଗହଣା କିଣିଥାନ୍ତେ ଏବେ ଅଫର୍‌ ଚାଲିଥିବାରୁ ଅକ୍ଷୟ ତୃତୀୟା ଭଳି ଶୁଭ ଦିନରେ ଗହଣା କିଣିବାକୁ ଆଗଭର ହେବେ ବୋଲି ବ୍ୟବସାୟୀମାନେ ମତ ଦେଇଛନ୍ତି।

ରାଜଧାନୀର ଜଣେ ଗହଣା ବ୍ୟବସାୟୀଙ୍କ କହିବାନୁଯାୟୀ, ବିଭାଘର ଓ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଗ୍ରାହକମାନେ ସୁନା ଓ ଅନ୍ୟ ଗହଣା ତ କିଣିବେ। ଏତଦ୍‌ବ୍ୟତୀତ ଅନ୍ୟ ନିବେଶ ତୁଳନାରେ ସୁନାରେ ନିବେଶ କରିବା ଏବେ ବି ଏକ ଉତ୍ତମ ବିକଳ୍ପ ବୋଲି ବିବେଚନା କରି ଗ୍ରାହକମାନେ ଅକ୍ଷୟ ତୃତୀୟାରେ ଅଧିକ ଗହଣା କିଣିବେ ବୋଲି ଆଶା କରାଯାଉଛି।

publive-image Window display of jewelry shop

ସେନ୍‌କୋ ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶକ ଶୁଭଙ୍କର ସେନ୍‌ କୁହନ୍ତି, ବର୍ଷକ ମଧ୍ୟରେ ସୁନା ମୂଲ୍ୟରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି ଘଟିଛି। ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଅକ୍ଷୟ ତୃତୀୟାରେ ୫ ପ୍ରତିଶତ ଅଧିକ ପରିମାଣର ଗହଣା ବିକ୍ରି ଆଶା ରହିଛି ବୋଲି ସେ କହିଛନ୍ତି। ଟାଇଟନ୍‌ କମ୍ପାନି ଲିମିଟେଡ( ଗହଣା ଡିଭିଜନ୍‌)ର ଉପସଭାପତି (ବିପଣନ ଓ ଖୁଚୁରା) ସନ୍ଦୀପ କୁଲ୍‌ହାଲି କୁହନ୍ତି, ଚଳିତବର୍ଷର ଅକ୍ଷୟ ତୃତୀୟାରେ ବିକ୍ରି ଗତବର୍ଷ ତୁଳନାରେ ଭଲ ରହିବ। ଆଗକୁ ବିବାହ ଋତୁ ଥିବାରୁ ଟାୟର-୨ ଏବଂ ଟାୟର-୩ ସହର ଗୁଡ଼ିକରେ ଗହଣା ବିକ୍ରି ଭଲ ରହିବ ବୋଲି ସେ କହିଛନ୍ତି। ସେହିଭଳି ରୀତା ଆଣ୍ଡ୍‌ ସନ୍ସର ଅଶ୍ୱିନୀ ପାତ୍ର କୁହନ୍ତି, ଗତବର୍ଷ ଅକ୍ଷୟ ତୃତୀୟା ତୁଳନାରେ ଚଳିତ ବର୍ଷ ୧୦ରୁ ୨୦ ପ୍ରତିଶତ ଅଧିକ ଗହଣା ବିକ୍ରି ହେବ ବୋଲି ଆଶା ରଖାଯାଇଛି।