ନୂଆଦିଲ୍ଲୀ: ସମସ୍ତ ପ୍ରକାର ଆଲ୍କହଲ୍ଭିତ୍ତିକ ହ୍ୟାଣ୍ଡ୍ ସାନିଟାଇଜର୍ ଉପରେ ୧୮% ଜିଏସ୍ଟି ଲାଗୁ ହେବ ବୋଲି ‘ଅଥରିଟି ଫର୍ ଆଡ୍ଭାନ୍ସ୍ ରୁଲିଙ୍ଗ୍’ (ଏଏଆର୍) କହିଛି।
ଏଥିରେ ପ୍ରତିବାଦ କରି ସ୍ପ୍ରିଙ୍ଗ୍ଫିଲ୍ଡ୍ ଇଣ୍ଡିଆ ଡିଷ୍ଟିଲରିଜ୍ ‘ଅଥରିଟି ଫର୍ ଆଡ୍ଭାନ୍ସ୍ ରୁଲିଙ୍ଗ୍’ର ଗୋଆ-ଖଣ୍ଡପୀଠରେ ଆବେଦନ କରିଛି। କମ୍ପାନି ଦ୍ବାରା ଯୋଗାଇ ଦିଆଯାଉଥିବା ବିଭିନ୍ନ ପ୍ରକାର ହ୍ୟାଣ୍ଡ୍ ସାନିଟାଇଜର୍ର ବର୍ଗିକରଣ ପ୍ରସଙ୍ଗରେ ଖଣ୍ଡପୀଠଙ୍କୁ ଅବଗତ କରାଇବା ସହ ଯୁକ୍ତି ବାଢ଼ିଥିଲା ଯେ, ଉତ୍ପାଦ ଉପରେ ୧୨% ଟ୍ୟାକ୍ସ ପଡୁଛି।
/sambad/media/post_attachments/wp-content/uploads/2020/07/sani.jpg)
ସମ୍ପ୍ରତି ସାନିଟାଇଜର୍ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ଏହା ଉପରୁ ଜିଏସ୍ଟି ଛାଡ଼ କରିବାକୁ କମ୍ପାନି ଦାବି କରିଥିଲା। ରାୟ ଶୁଣାଇ ‘ଅଥରିଟି ଫର୍ ଆଡ୍ଭାନ୍ସ୍ ରୁଲିଙ୍ଗ୍’ କହିଲେ ଯେ, ଯେହେତୁ ଆବେଦନକାରୀ ପ୍ରସ୍ତୁତ କରୁଥିବା ହ୍ୟାଣ୍ଡ୍ ସାନିଟାଇଜର୍ ସବୁ ‘ଆଲ୍କହଲ୍-ଭିତ୍ତିକ ହ୍ୟାଣ୍ଡ୍ ସାନିଟାଇଜର୍’ ବର୍ଗର, ସେଥିପାଇଁ ଏହା ଉପରେ ୧୮% ଜିଏସ୍ଟି ଲାଗୁ ହେବ।
‘ଅଥରିଟି ଫର୍ ଆଡ୍ଭାନ୍ସ୍ ରୁଲିଙ୍ଗ୍’ ଆହୁରି କହିଲେ କି, ହ୍ୟାଣ୍ଡ୍ ସାନିଟାଇଜର୍ସକୁ ଖାଉଟି ବ୍ୟାପାର ମନ୍ତ୍ରାଳୟ ଅତ୍ୟାବଶ୍ୟକ ଦ୍ରବ୍ୟ ଶ୍ରେଣୀଭୁକ୍ତ କରିଛି। କିନ୍ତୁ, ଟିକସ ଛାଡ଼ ସାମଗ୍ରୀ ପାଇଁ ଜିଏସ୍ଟି ପୃଥକ୍ ତାଲିକା କରିଛି।