ଭୁବନେଶ୍ବର : ଚଳିତ ବର୍ଷ ଅଗଷ୍ଟରେ ପେଟ୍ରୋଲିୟମ୍ ଉତ୍ପାଦ ଯଥା ପେଟ୍ରୋଲ୍ ଓ ଡିଜେଲ୍ ଆଦି ବିକ୍ରିରୁ ୭୨୭.୯୫ କୋଟି ଟଙ୍କାର ଭାଟ୍ ସଂଗ୍ରହ କରାଯାଇଛି ଯାହା ପୂର୍ବବର୍ଷର ୫୬୫.୭୯ କୋଟି ଟଙ୍କା ସଂଗ୍ରହ ତୁଳନାରେ ୨୮.୬୬ ପ୍ରତିଶତ ଅଧିକ। ସେହିପରି ମଦ ବିକ୍ରିରୁ ଏହି ମାସରେ ୧୫୭.୨୬ କୋଟି ଟଙ୍କାର ଭାଟ୍ ସଂଗ୍ରହ ହୋଇଛି। ମଦରୁ ସଂଗ୍ରହ ହୋଇଥିବା ଭାଟ୍ରେ ୨୮୯.୪୭ ପ୍ରତିଶତର ବୃଦ୍ଧି ହୋଇଛି। ୨୦୨୦ ଅଗଷ୍ଟରେ ମଦରୁ ୪୦.୩୭ କୋଟି ଟଙ୍କାର ଭାଟ୍ ମିଳିଥିଲା। ଚଳିତ ଆର୍ଥିକ ବର୍ଷର ବର୍ତ୍ତମାନ ସୁଦ୍ଧା ଏହା ହେଉଛି ସର୍ବାଧିକ ଅଣ ଜିଏସ୍ଟି ଟିକସ ସଂଗ୍ରହ। ଅଗଷ୍ଟ ମାସରେ ରାଜ୍ୟରେ ମୋଟ୍ ୮୮୫.୨୧ କୋଟି ଟଙ୍କାର ଭାଟ୍ ସଂଗ୍ରହ ହୋଇଛି। ଏହା ପୂର୍ବବର୍ଷ ଅଗଷ୍ଟରେ ସଂଗ୍ରହ ହୋଇଥିବା ୬୦୬.୧୬ କୋଟି ଟଙ୍କା ତୁଳନାରେ ୪୬.୦୩% ଅଧିକ।
ବାଣିଜ୍ୟ କର ଓ ଜିଏସ୍ଟି କମିସନରେଟ୍ ଜାରି କରିଥିବା ତଥ୍ୟ ଅନୁଯାୟୀ, ୨୦୨୧ ଅଗଷ୍ଟରେ ରାଜ୍ୟର ୩୩୧୬.୫୫ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ ହୋଇଛି ଯାହା ୨୦୨୦ର ଅଗଷ୍ଟ ମାସରେ ହୋଇଥିବା ୨୩୪୮.୨୮ କୋଟି ଟଙ୍କାର ସଂଗ୍ରହ ତୁଳନାରେ ୪୧.୨୩% ଅଧିକ। ଏଥି ମଧ୍ୟରୁ ରାଜ୍ୟ ଜିଏସ୍ଟି ଭାବେ ୯୫୬.୪୭ କୋଟି ଟଙ୍କା, କେନ୍ଦ୍ରୀୟ ଜିଏସ୍ଟି ଭାବେ ୭୯୨.୯୩ କୋଟି ଟଙ୍କା, ସମନ୍ବିତ ଜିଏସ୍ଟି ଭାବେ ୯୪୮.୨୧ କୋଟି ଟଙ୍କା ଓ ସେସ୍ ଭାବେ ୬୧୮.୯୪ କୋଟି ଟଙ୍କା ସଂଗ୍ରହ ହୋଇଛି। ଓଡ଼ିଶା ଜିଏସ୍ଟି ସଂଗ୍ରହରେ ୩୯.୪ ପ୍ରତିଶତ, କେନ୍ଦ୍ରୀୟ ଜିଏସ୍ଟିରେ ୪୭.୧୪ ପ୍ରତିଶତ, ସମନ୍ବିତ ଜିଏସ୍ଟିରେ ୫୦.୪୮ ପ୍ରତିଶତ ଓ ସେସ୍ ସଂଗ୍ରହରେ ୨୫.୫୩ ପ୍ରତିଶତ ବୃଦ୍ଧି ଘଟିଛି। ଅଗଷ୍ଟ ମାସରେ ୩୨.୩୮ ପ୍ରତିଶତ ବୃଦ୍ଧି ସହ ୧୪.୩୫ ଲକ୍ଷ ଇ-ୱେ ବିଲ୍ ଜାରି ହୋଇଛି। ଲୁହା, ଇସ୍ପାତ ଓ ଖଣିଜ ପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁଁ ରାଜ୍ୟରେ ଜିଏସ୍ଟି ସଂଗ୍ରହ ବୃଦ୍ଧି ପାଇଛି ବୋଲି କୁହାଯାଇଛି।
ଚଳିତ ଆର୍ଥିକ ବର୍ଷର ଅଗଷ୍ଟ ମାସ ସୁଦ୍ଧା ରାଜ୍ୟରେ ୧୬,୯୭୭.୯୨ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ ହୋଇଛି ଯାହା ଗତବର୍ଷ ଏହି ସମୟରେ ହୋଇଥିବା ୯୮୮୮.୯୯ କୋଟି ଟଙ୍କା ତୁଳନାରେ ୭୧.୬୯ ପ୍ରତିଶତ ଅଧିକ। ଏଭଳିକି ୨୦୧୯-୨୦ ଆର୍ଥିକ ବର୍ଷର ଅଗଷ୍ଟ ମାସ ସୁଦ୍ଧା ଯେଉଁ ୧୩,୦୧୧ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଥିଲା ତା’ଠାରୁ ଚଳିତ ବର୍ଷର ସଂଗ୍ରହ ଅଧିକ ରହିଛି। ଇତି ମଧ୍ୟରେ ୧୭,୩୩୦ ନୂଆ ଡିଲର୍ଙ୍କୁ ଜିଏସ୍ଟି ପରିସରରେ ସାମିଲ କରାଯାଇଛି। ତ୍ରୁଟିପୂର୍ଣ୍ଣ ରିଟର୍ଣ୍ଣଗୁଡ଼ିକୁ ଚିହ୍ନଟ କରି ସେମାନଙ୍କ ଠାରୁ ସଠିକ୍ ଟିକସ ସଂଗ୍ରହ କରିବା ଲାଗି ରାଜ୍ୟ ବାଣିଜ୍ୟ କର ଓ ଜିଏସ୍ଟି କମିସନର ସୁଶିଲ କୁମାର ଲୋହାନି ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/alcohol.jpg)