ନୂଆଦିଲ୍ଲୀ : ଏମିତି ବି ଘଟେ !  ସମାନ ନାଁ ପାଇଁ ଆଖିପିଛୁଳାକେ ବୁଡ଼ିଲା ୧ ଲକ୍ଷ ୯୭ ହଜାର ୮୮୭ କୋଟି । ମାତ୍ର କେଇ ମିନିଟରେ ଏତେ ବଡ଼ ପରିମାଣର ଅର୍ଥ ହରାଇଲା କମ୍ପାନୀ । ଏହା ଶୁଣିବା ପରେ ହୁଏତ ମନରେ ପ୍ରଶ୍ନ ଉଠିପାରେ- ନାଁରେ ଏମିତି କ’ଣ ଅଛି ଯେ ଲକ୍ଷଲକ୍ଷ କୋଟି ଟଙ୍କା କ୍ଷତି ହୋଇଗଲା? ତେବେ ଏକଥା ଆଲିବାବାର ପ୍ରତିଷ୍ଠାତା ଜ୍ୟାକ ମା ଆଜି ଭଲ ଭାବେ ବୁଝିଯାଇଛନ୍ତି । ସମାନ ନାଁ ପାଇଁ ଗୋଟିଏ ଝଟ୍କାରେ ଆଲିବାବାକୁ ହରାଇବାକୁ ପଡିଛି ୨୬ ଅରବ ଡଲାର, ଯାହା ଭାରତୀୟ ମୁଦ୍ରାରେ ହେବ ୧ ଲକ୍ଷ ୯୭ ହଜାର ୮୮୭ କୋଟି ଟଙ୍କା । ତେବେ କାହିଁକି ଏଭଳି ଘଟିଲା, କ’ଣ ରହିଛି ଏହା ପଛର କାରଣ ଆସନ୍ତୁ ଜାଣିବା ।

Advertisment

କିଛି ବର୍ଷ ପୂର୍ବରୁ ଆଲିବାବାର ପ୍ରତିଷ୍ଠାତା ଜ୍ୟାକ ମା ଥିଲେ ଏସିଆ ମହାଦେଶର ସବୁଠୁ ଧନୀ ବ୍ୟକ୍ତି । ତେବେ ଚୀନ ସରକାରଙ୍କ ସହିତ ବିବାଦ କାରଣରୁ ଏବେ ତାଙ୍କର ସମ୍ପତ୍ତି ପରିମାଣ କମିବାରେ ଲାଗିଛି । ଆଉ ଏତିକି ବେଳେ ମଙ୍ଗଳବାର ତାଙ୍କୁ ମିଳିଛି ଏକ ବଡ ଝଟକା, ଯାହାକୁ ସେ ଜୀବନରେ କେବେ ବି ଭୁଲିପାରିବେନି । ଘଟଣା ଏମିତି। ମଙ୍ଗଳବାର ଚୀନର ସରକାରୀ ଗଣମାଧ୍ୟମ ସିସିଟିଭିରେ ଖବର ପ୍ରସାରିତ ହେଲା କି ଜାତୀୟ ସୁରକ୍ଷା ଦୃଷ୍ଟିରୁ ହାଙ୍ଗଝୁ ସହରରୁ ମା ନାମଧାରୀ ଜଣେ ବ୍ୟକ୍ତିଙ୍କୁ ୨୫ ଏପ୍ରିଲରୁ ଅଟକ ରଖାଯାଇଛି । ମା ନାମଧାରୀ ସେହି ବ୍ୟକ୍ତିଙ୍କ ବିରୋଧରେ ଦେଶ ବିରୋଧୀ ଶକ୍ତିଙ୍କ ସହ ମିଶି ଚୀନ ସରକାରଙ୍କ ବିରୋଧରେ ଷଡଯନ୍ତ୍ର କରୁଥିବାର ଅଭିଯୋଗ ରହିଛି । ଏହି ମା ନାମଧାରୀ ଅଟକ ରହିଥିବା ହାଙ୍ଗଝୁ ସହରରେ ରହିଛି ଆଲିବାବାର ମୁଖ୍ୟ କାର୍ଯ୍ୟାଳୟ । ଯେହେତୁ ପୂର୍ବରୁ ଆଲିବାବା ଏବଂ ଚୀନ ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି, ତେଣୁ ଲୋକେ ଭାବିଥିଲେ ବୋଧହୁଏ ଜ୍ୟାକ୍ ମାଙ୍କୁ ଅଟକ ରଖାଯାଇଛି । ଏହି ଖବର ପ୍ରସାରିତ ହେବା ପରେ ବିଭିନ୍ନ ଷ୍ଟକ ଏକ୍ସଚେଞ୍ଜରେ କମ୍ପାନୀର ସେୟାର ମୂଲ୍ୟ ୯.୪ ପ୍ରତିଶତ କମିଯାଇଥିଲା । ଫଳରେ କମ୍ପାନୀକୁ ୨୬ ଅରବ ଡଲାକ ହରାଇବାକୁ ପଡିଥିଲା ।

ପରବର୍ତୀ ସମୟରେ ଚୀନର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ଅଟକ ବ୍ୟକ୍ତି ଆଲିବାବାର ପ୍ରତିଷ୍ଠାତା ଜ୍ୟାକ ମା ନୁହନ୍ତି, ଅନ୍ୟ ଜଣେ ବ୍ୟକ୍ତି । ହେଲେ ଏହି ସ୍ପଷ୍ଟୀକରଣ ଆସିବା ବେଳକୁ ଆଲିବାବାର ବିପୁଳ ପରିମାଣର କ୍ଷତି ହୋଇସାରିଥିଲା । ଜଣେ ସ୍କୁଲ ଶିକ୍ଷକରୁ କୋଟିପତି ବ୍ୟବସାୟୀ ବନିଥିବା ଜ୍ୟାକ ମା ଦିନେ ଚୀନ ଲୋକଙ୍କର ପ୍ରେରଣା ପାଲଟିଥିଲେ, ହେଲେ ଯେବେଠାରୁ ସେ ଚୀନ ସରକାରଙ୍କ ନୀତିକୁ ସମାଲୋଚନା କରିଛନ୍ତି, ଦେଶରେ ତାଙ୍କର ସମସ୍ୟା ବଢି ଚାଲିଛି । ଏପରି ମଧ୍ୟ କୁହାଯାଉଛି କି, ଜାଣିଶୁଣି ଏହି ପରିସ୍ଥିତି ସୃଷ୍ଟି କରାଗଲା, ଯାହା ଦ୍ୱାରା ଆଲିବାବାକୁ ଏହି କ୍ଷତି ସହିବାକୁ ପଡିଲା ।