ସବୁ କାର୍‌ରେ ଦୁଇଟି ଏୟାରବ୍ୟାଗ୍‌, ଏପ୍ରିଲ୍‌ ୧ରୁ ଲାଗୁ ହେବ

ଗାଡ଼ି ଦାମ୍ ବଢ଼ିବ

ନୂଆଦିଲ୍ଲୀ: କାର୍‌‌ରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲାଗି ସବୁ ପ୍ରକାର ନୂଆ କାର୍‌ ପାଇଁ ଏୟାରବ୍ୟାଗ୍‌କୁ ବାଧ୍ୟତାମୂଳକ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ନୂଆ କାର୍‌ ପାଇଁ ଡୁଆଲ୍ (ଦୁଇଟି) ଏୟାରବ୍ୟାଗ୍ ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ ଦେଇଛି। ୨୦୨୧ ଏପ୍ରିଲ୍ ୧ ପରଠାରୁ ଦେଶରେ ଯେତେ‌ ସବୁ ନୂଆ କାର୍ ତିଆରି କରାଯିବ ସେଥିରେ ସାମ୍ନାର ଦୁଇ ସିଟ୍ ପାଇଁ ଡୁଆଲ୍ (ଦ୍ବୈତ) ଏୟାରବ୍ୟାଗ୍ ରହିବ। ଦୁର୍ଘଟଣା ସମୟରେ ଏହା ଡ୍ରାଇଭର୍‌ ଏବଂ ଡ୍ରାଇଭର୍‌ଙ୍କ ପାର୍ଶ୍ବରେ ଥିବା ଯାତ୍ରୀଙ୍କୁ ସୁରକ୍ଷା ଦେବ। ଏହି ପ୍ରସ୍ତାବ ଉପରେ ମନ୍ତ୍ରାଳୟ ପକ୍ଷରୁ ଲୋକମାନଙ୍କ ମତାମତ ଲୋଡ଼ାଯାଇଛି। ଆସନ୍ତା ଏକ ମାସ ଭିତରେ ଏହି ପ୍ରସ୍ତାବ ଉପରେ ବିଭିନ୍ନ ଅଂଶୀଦାର ନିଜର ମତ ଦେଇପାରିବେ। ସବୁ ପ୍ରକାର କାର୍‌ର ଡ୍ରାଇଭର୍‌ ସିଟ୍‌ ପାଇଁ ଏୟାରବ୍ୟାଗ୍‌କୁ ୨୦୧୯ ଜୁଲାଇ ୧ରୁ ବାଧ୍ୟତାମୂଳକ କରାଯାଇଛି। ମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ବ୍ୟୁରୋ ଅଫ୍‌ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ୍‌ ଆକ୍ଟ, ୨୦୧୬ର ଏଆଇଏସ୍‌ ୧୪୫ ଅନୁଯାୟୀ ଏଭଳି ଏୟାରବ୍ୟାଗ୍‌ର ଆବଶ୍ୟକତା ରହିଛି। ଏବେ କେବଳ ଡ୍ରାଇଭରଙ୍କ ପାଇଁ ଏୟାରବ୍ୟାଗ୍‌ର ବ୍ୟବସ୍ଥା ରହିଥିବାରୁ ସାମ୍ନାରେ ବସୁଥିବା ଅନ୍ୟ ଯାତ୍ରୀ ଜଣଙ୍କ ଜୀବନ ପ୍ରତି ବିପଦ ରହୁଛି। ବେଗ ବିଷୟରେ ସତର୍କ ସୂଚନା ଦେବା ବ୍ୟବସ୍ଥା ଠାରୁ ଆରମ୍ଭ କରି ରିଭର୍ସ ପାର୍କିଂ ସେନ୍‌ସର୍‌ ଓ ସିଟ୍ ବେଲ୍‌ଟ ରିମାଇଣ୍ଡର୍‌ ଭଳି ବ୍ୟବସ୍ଥା ଏବେ ପ୍ରାୟ ସବୁ ଗାଡ଼ିରେ ମିଳୁଥିବା ବେଳେ ଜୀବନ ରକ୍ଷାକାରୀ ଏୟାରବ୍ୟାଗ୍‌ ଏପର୍ଯ୍ୟନ୍ତ ବାଧ୍ୟତାମୂଳକ ହୋଇନାହିଁ। କାର୍‌ରେ ଦ୍ବୈତ ଏୟାରବ୍ୟାଗ୍‌ର ଅଭାବ ଥିବାରୁ ବିଶ୍ବସ୍ତରୀୟ ସୁରକ୍ଷା ମାନକ ପରୀକ୍ଷାରେ ଭାରତ ଅନେକ ଲୋକପ୍ରିୟ କାର୍‌ ବିଫଳ ହେଉଛନ୍ତି। ‌କିଛି ମଡେଲ୍‌କୁ ଶୂନ ରେଟିଂ ମଧ୍ୟ ମିଳୁଛି। ଯେଉଁ କିଛି କାର୍‌ରେ ଦ୍ବୈତ ଏୟାରବ୍ୟାଗ୍‌ ରହିଛି ସେଗୁଡ଼ିକ ୪ ଷ୍ଟାର୍‌ ରେଟିଂ ପାଉଛନ୍ତି।

ଗାଡ଼ି ଦାମ୍ ବଢ଼ିବ
ନୂଆଦିଲ୍ଲୀ: ନୂଆ କାର୍‌ ପାଇଁ ଦ୍ବୈତ ଏୟାରବ୍ୟାଗ୍‌ ବାଧ୍ୟତାମୂଳକ କରିବା ଲାଗି କେନ୍ଦ୍ର ସରକାର ଯେଉଁ ପ୍ରସ୍ତାବ ‌ଦେଇଛନ୍ତି ତାହାକୁ ଗାଡ଼ି ଡିଲର୍‌ମାନଙ୍କର ସର୍ବଭାରତୀୟ ସଂଘ ଫାଡା ତରଫରୁ ସ୍ବାଗତ କରାଯାଇଛି। ଫାଡାର ସଭାପତି ଭିଙ୍କେଶ ଗୁଲାଟି କହିଛନ୍ତି ଯେ ବିଶ୍ବସ୍ତରରେ ପ୍ରଚଳିତ ମାନକ ସ୍ତର ପର୍ଯ୍ୟନ୍ତ ପହଞ୍ଚିବା‌ ଲାଗି ଏହି ସୁରକ୍ଷା ନିୟମ ଜରୁରୀ ଥିଲା। ଗାଡ଼ିରେ ଯାତ୍ରା କରୁଥିବା ନାଗରିକମାନଙ୍କ ଜୀବନକୁ ସୁରକ୍ଷିତ ରଖିବା ଲାଗି ସରକାରଙ୍କ ଲକ୍ଷ୍ୟ ବେଶ ପ୍ରଶଂସାଯୋଗ୍ୟ। ମାତ୍ର ଏହାର ପ୍ରଭାବରେ ଗାଡ଼ିଗୁଡ଼ିକର ଦାମ୍ ନିଶ୍ଚିତ ରୂପେ ବଢ଼ିବ। ବିଏସ୍‌-୬ ନିୟମ କାର୍ଯ୍ୟକାରୀ କରାଯିବା ଯୋଗୁଁ ଗାଡ଼ି ଦାମ୍‌ରେ ବୃଦ୍ଧି ହୋଇଛି। ଦ୍ବୈତ ଏୟାରବ୍ୟାଗ୍‌କୁ ବାଧ୍ୟତାମୂଳକ କରାଯାଇଥିବାରୁ ଏଥିପାଇଁ ହେବାକୁ ଥିବା ବ୍ୟୟର ଏକ ବଡ଼ ଭାଗ କଂପାନିଗୁଡ଼ିକ ନିଜେ ସହିଯିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି। କାରଣ ଯଦି ଗାଡ଼ି ଦାମ୍ ବଢ଼ିବ ତେବେ ସ୍ବଳ୍ପମିଆଦୀ ଭିତ୍ତିରେ ତାହା ଶିଳ୍ପ ପାଇଁ ବହୁତ ଖରାପ ହେବ। ଏବେବି ଶିଳ୍ପ କୋଭିଡ୍‌ ମହାମାରୀ ପ୍ରଭାବକୁ ନେଇ ସଂଘର୍ଷ କରୁଛି ବୋଲି ଶ୍ରୀ ଗୁଲାଟି କହିଛନ୍ତି। ଅନ୍ୟ ଏକ ଆକଳନରୁ ଜଣାପଡ଼ିଛି ଯେ ଦ୍ବୈତ ଏୟାରବ୍ୟାଗ୍ ବାଧ୍ୟତାମୂଳକ କରିବା ଦ୍ବାରା କାର୍‌ ଦାମ୍‌ରେ ୫୦୦୦-୮୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବ। ଏତେ କମ୍ ସମୟ ଭିତରେ ଆବଶ୍ୟକ ସଂଖ୍ୟକ ଏୟାରବ୍ୟାଗ୍ ଯୋଗାଡ଼ କରିବା ମଧ୍ୟ କଂପାନିଗୁଡ଼ିକ ଲାଗି କଷ୍ଟକର ହେବ।

ସମ୍ବନ୍ଧିତ ଖବର