ନୂଆଦିଲ୍ଲୀ: ବିଶ୍ବର ଅଗ୍ରଣୀ ଇଣ୍ଟରନେଟ୍‌ କଂପାନି ଗୁଗୁଲ୍ ଉପରେ ଭାରତୀୟ ପ୍ରତି‌ଯୋଗିତା କମିସନ (ସିସିଆଇ) ଲଗାଇଥିବା ୧୩୩୭ କୋଟି ଟଙ୍କା ଜରିମାନାକୁ କଂପାନି ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ୍‌ କରିଛି। ଏହି ମାମଲାର ଶୁଣାଣି ବେଳେ ସରକାର କହିଛନ୍ତି ଯେ ଗୁଗୁଲ୍‌କୁ ନେଇ କ’ଣ ରାୟ ଆସିବ ତାହା ଜାଣିବାକୁ ସାରା ବିଶ୍ବ ଅପେକ୍ଷା କରିଛି। ସେହି ଦୃଷ୍ଟିରୁ ଏହା ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ବିଷୟ। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ଚାଲିଛି। ରାୟ ପ୍ରକାଶ କରିବା ପୂର୍ବରୁ ପୁଣି ଥରେ ଗୁଗୁଲ୍‌ର ପକ୍ଷ ଶୁଣିବାକୁ କୋର୍ଟ ଚାହୁଛନ୍ତି। ସେଥିପାଇଁ ଆସନ୍ତାକାଲି ଏହି ମାମଲାର ଶୁଣାଣି ଜାରି ରହିବ। ଆଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମ୍‌ରେ ରହିଥିବା ଆଧିପତ୍ୟକୁ ଅପବ୍ୟବହାର କରୁଥିବାରୁ ଗୁଗୁଲ୍ ଉପରେ ଜରିମାନା ଲାଗୁ କରାଯାଇଛି। ଏହାକୁ ଗୁଗୁଲ୍‌ କଡ଼ା ବିରୋଧ କରିଛି। ପ୍ରଥମେ କଂପାନି ଏନ୍‌ସିଏଲ୍‌ଏଟିରେ ଏହା ବିରୋଧରେ ଆବେଦନ କରିଥିଲା। ସେଠାରୁ ଆଶ୍ବସ୍ତି ନମିଳିବାରୁ ସୁପ୍ରିମକୋର୍ଟ ଯାଇଛି।