ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ: ଶକ୍ତିକାନ୍ତ

ଶକ୍ତିକାନ୍ତଙ୍କୁ ନିର୍ମଳା, ପୀୟୂଷଙ୍କ ପ୍ରଶଂସା

ମୁମ୍ବାଇ: ଦେଶର ବ୍ୟାଙ୍କଗୁଡ଼ିକରେ ଲୋକମାନେ ଜମା କରିଥିବା ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ବୋଲି ଆଜି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ସେ କହିଲେ, ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ବେଶ ସୁଦୃଢ଼ ଓ ସୁରକ୍ଷିତ ରହିଛି। କରୋନା ଭୂତାଣୁର ପ୍ରଭାବ ଯୋଗୁଁ ଷ୍ଟକ ବଜାରରେ ସୃଷ୍ଟି ହୋଇଥିବା ଝଡ଼ରେ କିଛି ଘରୋଇ ବ୍ୟାଙ୍କର ସେୟାର ମୂଲ୍ୟ କମିଥିଲା। ଏହାକୁ ନଜରରେ ରଖି ଲୋକମାନେ ଘରୋଇ ବ୍ୟାଙ୍କରେ ଥିବା ଟଙ୍କା ଉଠାଇ ନେଉଛନ୍ତି। ସେୟାର ମୂଲ୍ୟ ସହିତ ବ୍ୟାଙ୍କର ଆର୍ଥିକ ସ୍ଥିତିର କୌଣସି ସମ୍ପର୍କ ନାହିଁ ବୋଲି ଶକ୍ତିକାନ୍ତ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ମୁଁ ଅତୀତରେ କହିଥିଲି ଏବଂ ଏବେ ମଧ୍ୟ ଦୋହରାଉଛି ଯେ ଘରୋଇ ବ୍ୟାଙ୍କରେ ଥିବା ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। ସାଧାରଣ ଗ୍ରାହକ କିମ୍ବା ସରକାରୀ ସଂସ୍ଥା କେହି ବି ଏଥିପାଇଁ ଚିନ୍ତିତ ହେବା ଦରକାର ନାହିଁ। ଛାନିଆ ହୋଇ ଘରୋଇ ବ୍ୟାଙ୍କରୁ ଟଙ୍କା ନଉଠାଇବା ଲାଗି ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି। କରୋନା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତି ଆହ୍ବାନପୂର୍ଣ୍ଣ ହୋଇଥିଲେ ମଧ୍ୟ ୨୦୦୮ ବିଶ୍ବ ମାନ୍ଦାବସ୍ଥା ତୁଳନାରେ ସ୍ଥିତି ବହୁତ ଭଲ ଅଛି। ବିତ୍ତୀୟ ନିଅଣ୍ଟ ଓ ଚଳନ୍ତି ଜମା ନିଅଣ୍ଟ ନିମ୍ନ ସ୍ତରରେ ରହିଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଭିତରେ ଥିବା ବେଳେ ଷ୍ଟକ ବଜାରରେ ଯାହା କିଛି ଅସ୍ଥିରତା ଦେଖାଦେଇଛି। ଡଲାର ଓ ଟଙ୍କାର ବିନିମୟ ମୂଲ୍ୟରେ ପ୍ରତିଦିନ ହେଉଥିବା ପରିବର୍ତ୍ତନ ମଧ୍ୟ ନିମ୍ନ ସ୍ତରରେ ରହିଛି ବୋଲି ସେ କହିଛନ୍ତି।

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ସୁଧ ହାର ହ୍ରାସ ସମେତ କରୋନା ସଂକ୍ରମଣରେ ପୀଡ଼ିତ ଅର୍ଥନୀତିକୁ ଟନିକ୍ ଦେବା ପାଇଁ ଅନ୍ୟାନ୍ୟ ପଦକ୍ଷେପ ନେଇଥିବାରୁ ଏହାକୁ ଖୁବ୍ ପ୍ରଶଂସା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣମ। ରିଜର୍ଭ ବ୍ୟାଙ୍କ ରେପୋ ହାରରେ ଯେଉଁ ୦.୭୫ ପ୍ରତିଶତ ହ୍ରାସ ଘୋଷଣା କରିଛି ତାହାର ଲାଭ ତୁରନ୍ତ ଗ୍ରାହକମାନଙ୍କୁ ଦେବା ଲାଗି ଅର୍ଥମନ୍ତ୍ରୀ ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତର ମାକ୍ରୋ ଅର୍ଥନୀତିର ସ୍ଥିତି ଭଲ ଅଛି। ଏପରିକି ୨୦୦୮-୦୯ରେ ଦେଖାଦେଇଥିବା ଅର୍ଥନୈତିକ ମାନ୍ଦାବସ୍ଥା ତୁଳନାରେ ସୁଦୃଢ଼ ଅଛି ବୋଲି ଶକ୍ତିକାନ୍ତ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାକୁ ଢେର୍ ପ୍ରଶଂସା କରିଛନ୍ତି ଅର୍ଥମନ୍ତ୍ରୀ। ଋଣ କିସ୍ତି ପରିଶୋଧ ଏବଂ କାର୍ଯ୍ୟକାରୀ ପୁଞ୍ଜି ଉପରେ ସୁଧ ଛାଡ଼ ଆଦି ରିଜର୍ଭ ବ୍ୟାଙ୍କର ପଦକ୍ଷେପ ଅର୍ଥନୀତିକୁ ଅନେକ ମାତ୍ରାରେ ଆଶ୍ବସ୍ତି ପ୍ରଦାନ କରିବ ବୋଲି ନିର୍ମଳା କହିଛନ୍ତି। କେବଳ ଅର୍ଥମନ୍ତ୍ରୀ ନୁହଁନ୍ତି, ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ମଧ୍ୟ ଶକ୍ତିକାନ୍ତଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ବର୍ତ୍ତମାନ ଭଳି ସମୟରେ ଋଣ କିସ୍ତି ପୈଠ ଉପରେ ୩ ମାସର ମହଲତ ଲୋକ ଏବଂ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକୁ ଅନେକ ମାତ୍ରାରେ ଆଶ୍ବସ୍ତ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର