ସବୁ ଫୋନ୍ ପାଇଁ ଆସିବ ଗୋଟିଏ ପ୍ରକାର ଚାର୍ଜର

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ବିଭିନ୍ନ ପ୍ରକାର ଫୋନ୍, ଟାବଲେଟ୍‌ ଆଦିରେ ଭିନ୍ନ ଭିନ୍ନ ପ୍ରକାରର ଚାର୍ଜର ବ୍ୟବହାର ହେଉଛି। ସେଥିପାଇଁ ଅନେକ ସମୟରେ ଲୋକମାନେ ଅସୁବିଧା ସାମ୍ନା କରୁଛନ୍ତି। ଏହି ସମସ୍ୟା ଦୂର କରିବା ଲାଗି ଦେଶରେ ସବୁ ପ୍ରକାର ଡିଭାଇସ୍ ପାଇଁ ଗୋଟିଏ ପ୍ରକାର ଚାର୍ଜର ବ୍ୟବସ୍ଥା କରିବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏନେଇ ଫୋନ୍ ନିର୍ମାତାମାନଙ୍କ ସହ ସରକାର ଅଗଷ୍ଟ ୧୭ରେ ଆଲୋଚନା କରିବେ।

ଗୋଟିଏ ପ୍ରକାର ଚାର୍ଜର ନୀତି ଜାରି ହେଲେ ଏକାଧିକ ପ୍ରକାର ଚାର୍ଜର ବ୍ୟବସ୍ଥା ଦୂର ହେବ ଏବଂ ଇ-ବର୍ଜ୍ୟର ଯେଉଁ ସମସ୍ୟା ରହିଛି ତାହାର ମଧ୍ୟ ସମାଧାନ ହୋଇପାରିବ। ଗୋଟିଏ ପ୍ରକାର ଚାର୍ଜର ଆଣିବାର କ’ଣ ସମ୍ଭାବନା ରହିଛି ସେ ବିଷୟରେ ଫୋନ୍‌ ନିର୍ମାତା ଓ ଏହି କ୍ଷେତ୍ର ସହ ଜଡ଼ିତ ସଂସ୍ଥାଗୁଡ଼ିକ ସହ ସରକାର ଆଲୋଚନା କରିବେ।
୨୦୨୪ ସୁଦ୍ଧା ସବୁ ପ୍ରକାର ଇଲେକ୍ଟ୍ରୋନିକ୍ସ ଉପକରଣ ପାଇଁ ୟୁଏସ୍‌ବି-ସିକୁ ଏକକ ଚାର୍ଜର ଭାବେ ଗ୍ରହଣ କରିବା ଲାଗି ୟୁରୋପୀୟ ସଂଘ ଘୋଷଣା କରିଛି। ଆମେରିକାରେ ମଧ୍ୟ ସମାନ ଧରଣର ଦାବି ହୋଇଛି। ଯଦି ଆମେରିକା ଓ ୟୁ‌ରୋପରେ କଂପାନିଗୁଡ଼ିକ ସେଭଳି ବ୍ୟବସ୍ଥା କରିପାରିବେ ତେବେ ଭାରତରେ କାହିଁକି ନୁହେଁ ବୋଲି ସରକାର ଭାବୁଛନ୍ତି। ଯଦି ଆନ୍ତର୍ଜାତିକ ବ୍ୟବସ୍ଥା ଅନୁସାରେ ଭାରତ ଆଗକୁ ନବଢ଼ିବ ତେବେ ସେଠାକାର ନିମ୍ନ ମାନର ସାମଗ୍ରୀକୁ ସେମାନେ ଅଳିଆ ଗଦା ଭାବି ଭାରତକୁ ପଠାଇବାର ଆଶଙ୍କା ରହିଛି। ବର୍ତ୍ତମାନ ଲୋକମାନେ ପ୍ରତି ଥର ନୂଆ ଫୋନ୍ କିଣିବା ବେଳେ ଏକ ଚାର୍ଜର କିଣିବାକୁ ବାଧ୍ୟ ହେଉଛନ୍ତି।

ସମ୍ବନ୍ଧିତ ଖବର