ନୂଆଦିଲ୍ଲୀ: ଅକ୍ଟୋବର ମାସରୁ ବ୍ୟାଙ୍କ, ସରକାରୀ ବିଭାଗ ଓ ରେଳବାଇରେ କେତେକ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଅଧିକାଂଶ ନିୟମ ୧ରୁ ଲାଗୁ ହେବ।

Advertisment

ଆଇଆର୍‌ସିଟିସି: ଆସନ୍ତାକାଲିଠାରୁ ଆଇଆର୍‌ସିଟିସି ୱେବସାଇଟ୍‌ ଓ ଆପ୍‌ରେ ଅନ୍‌ଲାଇନ ଟିକଟ ସଂରକ୍ଷଣର ନୂଆ ନିୟମ ଲାଗୁ ହେବ। ଗ୍ରାହକମାନଙ୍କୁ ଆଧାର ଓଟିପି ଜରିଆରେ ପ୍ରମାଣୀକରଣ କରିବାକୁ ପଡ଼ିବ। ଟିକଟ ସଂରକ୍ଷଣ ବ୍ୟବସ୍ଥାର ଅପବ୍ୟବହାର ରୋକିବା ଲାଗି ରେଳବାଇ ଏହି ପଦକ୍ଷେପ ଗ୍ରହଣ କରିଛି।

ସ୍ପିଡ୍‌ ପୋଷ୍ଟ: ପହିଲାରୁ ଦେଶରେ ସ୍ପିଡ୍‌ ପୋଷ୍ଟ ସେବା ମହଙ୍ଗା ହେବ। ଭାରତୀୟ ଡାକ ତରଫରୁ ଏହାର ଚାର୍ଜରେ ସଂଶୋଧନ କରାଯାଇଛି। ଗ୍ରାହକମାନେ ଏଥିରେ ଓଟିପି ଆଧାରିତ ଡେଲିଭରି ସେବା ଚୟନ କରିପାରିବେ। ସ୍ପିଡ୍‌ ପୋଷ୍ଟକୁ ଅଧିକ ଭରସାଯୋଗ୍ୟ, ସୁରକ୍ଷିତ ଓ ବ୍ୟବହାରକାରୀ ମିତବ୍ୟୟୀ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି। 

ୟୁପିଏସ୍‌: ୟୁନିଫାଏଡ୍‌ ପେନ୍‌ସନ୍ ସ୍କିମ୍‌(ୟୁପିଏସ୍‌)କୁ ନେଇ ମଧ୍ୟ ନିୟମ ବଦଳିଛି। ଜାତୀୟ ପେନ୍‌ସନ୍ ବ୍ୟବସ୍ଥା (ଏନ୍‌ପିଏସ୍‌)ରେ ଯୋଡ଼ି ହୋଇଥିବା ଯୋଗ୍ୟ କେନ୍ଦ୍ର ସରକାରଙ୍କ କର୍ମଚାରୀ ୟୁପିଏସ୍‌କୁ ଚୟନ କରିପାରିବେ। ଏହି ବିକଳ୍ପ ଚୟନ କରିବାର ‌ଅବଧିକୁ ସେପ୍ଟେମ୍ବର ୩୦ରୁ ନଭେମ୍ବର ୩୦କୁ ବଢ଼ାଇ ଦିଆଯାଇଛି। 

ଏନ୍‌ପିଏସ୍‌ ଇକ୍ବିଟି: ଅଣ ସରକାରୀ ଏନ୍‌ପିଏସ୍‌ ସବ୍‌ସ୍କ୍ରାଇବର୍‌ମାନେ ଅକ୍ଟୋବର ୧ରୁ ସେମାନଙ୍କ ୧୦୦ ପ୍ରତିଶତ ରାଶିକୁ ଇକ୍ବିଟିରେ ନିବେଶ କରିପାରିବେ। ସେଥିପାଇଁ ଅନୁମତି ଦିଆଯାଇଛି। 

ଚେକ୍ କ୍ଲିୟରିଂ: ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆ ଚେକ୍ କ୍ଲିୟରିଂ ବ୍ୟବସ୍ଥା ଘୋଷଣା କରିଛି ଯାହା ‌ଅକ୍ଟୋବର ୪ରୁ ଲାଗୁ ହେବ। ବ୍ୟାଚ୍‌ କ୍ଲିୟରିଂ ବଦଳରେ ଅବିରତ କ୍ଲିୟରିଂ ବ୍ୟବସ୍ଥା ଲାଗୁ କରାଯିବ। ଏହି ବ୍ୟବସ୍ଥାକୁ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ ଯାହାର ପ୍ରଥମ ପର୍ଯ୍ୟାୟ ଅକ୍ଟୋବର ୪ରୁ ଓ ଦ୍ବିତୀୟ ପର୍ଯ୍ୟାୟ ୨୦୨୬ ଜାନୁଆରି ୩ରୁ ଆରମ୍ଭ ହେବ।

ବ୍ୟାଙ୍କ ଚାର୍ଜ: ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଇମ୍ପରିଆ ଗ୍ରାହକମାନଙ୍କ ପାଇଁ ଯୋଗ୍ୟତାର ନୂଆ ନିୟମ ଘୋଷଣା କରିଛି। ତାହା ଆସନ୍ତାକାଲିଠାରୁ ଲାଗୁ ହେବ। ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ବିଭିନ୍ନ ସେବାର ଶୁଳ୍କରେ ମଧ୍ୟ ପରିବର୍ତ୍ତନ ହେବ। ୟେସ୍ ବ୍ୟାଙ୍କ ପକ୍ଷରୁ ବେତନ ଖାତା ଶୁଳ୍କରେ ପରିବର୍ତ୍ତନ କରାଯାଇଛି।