ଜିଏସ୍‌ଟି ସଂଗ୍ରହରେ ସର୍ବକାଳୀନ ରେକର୍ଡ: ଓଡ଼ିଶାରେ ୪,୯୧୦ କୋଟି, ଦେଶରେ ୧.୬୮ ଲକ୍ଷ କୋଟି

ଭୁବନେଶ୍ବର: ଏପ୍ରିଲ୍ ମାସରେ ଜିଏସ୍‌ଟି ସଂଗ୍ରହରେ ସର୍ବକାଳୀନ ରେକର୍ଡ ହୋଇଛି। ଓଡ଼ିଶାରେ ରେକର୍ଡ ୪,୯୧୦ କୋଟି ଟଙ୍କା ଏବଂ ସର୍ବଭାରତୀୟ ସ୍ତରରେ ୧.୬୮ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି। ୨୦୧୭ ଜୁଲାଇରେ ଜିଏସ୍‌ଟି ଲାଗୁ ହେବା ପରଠାରୁ କୌଣସି ଗୋଟିଏ ମାସରେ ଦେଶ କିମ୍ବା ରାଜ୍ୟ‌ରେ ଏତେ ଅଧିକ ଜିଏସ୍‌ଟି ସଂଗ୍ରହ ହୋଇନଥିଲା। ଏପ୍ରିଲ୍‌ରେ ଓଡ଼ିଶାରେ ୧୭୧୪.୮ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି (ଏସ୍‌ଜିଏସ୍‌ଟି) ସଂଗ୍ରହ ହୋଇଛି ଯାହା ଗତବର୍ଷର ଏପ୍ରିଲ୍‌ରେ ହୋଇଥିବା ୧୧୨୬.୬୭ କୋଟି ଟଙ୍କା ସଂଗ୍ରହ ତୁଳନାରେ ୫୨.୨୦ ପ୍ରତିଶତ ଅଧିକ। ବାଣିଜ୍ୟ କର ଓ ଜିଏସ୍‌ଟି କମିସନରେଟର ତଥ୍ୟ ଅନୁଯାୟୀ, ଏପ୍ରିଲ୍‌ରେ ରାଜ୍ୟରେ ମୋଟ ଜିଏସ୍‌ଟି ସଂଗ୍ରହ ୪,୯୧୦.୨୩ କୋଟି ଟଙ୍କା ରହିଛି ଯାହା ୨୦୨୧ ଏପ୍ରିଲ୍‌ରେ ହୋଇଥିବା ୩୮୪୯.୪୮ କୋଟି ଟଙ୍କା ତୁଳନାରେ ୨୮% ଅଧିକ। ମୋଟ ଜିଏସ୍‌ଟିରୁ ୧୭୧୪.୮ କୋଟି ଟଙ୍କା ରାଜ୍ୟ ଜିଏସ୍‌ଟି ହୋଇଥିବା ବେଳେ ୧୩୮୧ କୋଟି ଟଙ୍କା କେନ୍ଦ୍ରୀୟ ଜିଏସ୍‌ଟି ଓ ୭୨୨.୪୦ କୋଟି ଟଙ୍କା ହେଉଛି ସେସ୍‌। ଆଲୋଚ୍ୟ ମାସରେ ଆନ୍ତଃ ରାଜ୍ୟ ବିକ୍ରିରେ ବୃଦ୍ଧି ଘଟିଥିବାରୁ ସମନ୍ବିତ ଜିଏସ୍‌ଟି ସଂଗ୍ରହରେ ୮୯% ହ୍ରାସ ଘଟିଛି। ଖଣି କ୍ଷେତ୍ରରୁ ୧୭୯ ପ୍ରତିଶତ ଅଧିକ ଓ ମାନୁଫକ୍‌ଚାରିଂରୁ ୨୭୦% ଏବଂ କାରବାର କ୍ଷେତ୍ରରୁ ୧୦୫% ଅଧିକ ଜିଏସ୍‌ଟି ସଂଗ୍ରହ କରାଯାଇଛି। ୨୦୨୨ ଏପ୍ରିଲ୍‌ରେ ମୂଲ୍ୟ ଯୁକ୍ତ ଟିକସ (ଭାଟ୍‌) ଆକାରରେ ୨୩୨.୮୮ କୋଟି ଟଙ୍କା ସଂଗ୍ରହ ହୋଇଛି। ପେଟ୍ରୋଲିୟମ୍ ସାମଗ୍ରୀରୁ ୧୭୬.୫୨ କୋଟି ଟଙ୍କା ଓ ମଦରୁ ୫୬.୩୬ କୋଟି ଟଙ୍କାର ଭାଟ୍ ଆଦାୟ ହୋଇଛି। ପ୍ରଫେସନାଲ୍ ଟିକସ ସଂଗ୍ରହ ୧୯.୪୩ ପ୍ରତିଶତ ବୃଦ୍ଧି ପାଇ ୨୭.୧୭ କୋଟି ଟଙ୍କା ହୋଇଛି। କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କୁ ନିର୍ଦେଶ ଦେଇ ୯୦% ରିଟର୍ଣ୍ଣ ପଇଠ ନିଶ୍ଚିତ କରିବାକୁ ବାଣିଜ୍ୟ କର ଓ ଜିଏସ୍‌ଟି କମିସନର ସୁଶିଲ କୁମାର ଲୋହାନି କହିଛନ୍ତି।

ଚଳିତ ବର୍ଷ ଏପ୍ରିଲ୍‌ରେ ସର୍ବଭାରତୀୟ ସ୍ତରରେ ମଧ୍ୟ ରେକର୍ଡ ପରିମାଣର ଜିଏସ୍‌ଟି ସଂଗ୍ରହ ହୋଇଛି। ଏହି ମାସରେ ୧.୬୮ ଲକ୍ଷ କୋଟି ଟଙ୍କ‌ାର ଜିଏସ୍‌ଟି ସଂଗ୍ରହ କରାଯାଇଛି ଯାହା ମାର୍ଚ୍ଚ ମାସର ସଂଗ୍ରହ ତୁଳନାରେ ୨୫ ହଜାର କୋଟି ଟଙ୍କା ଅଧିକ। ଏହି ମାସରେ ୩୩,୧୫୯ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍‌ଟି, ୧୭୯୩ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି, ୮୧,୯୩୯ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ଓ ୮୫୭ କୋଟି ଟଙ୍କାର ସେସ୍‌ ସଂଗ୍ରହ କରାଯାଇଛି।

ସମ୍ବନ୍ଧିତ ଖବର