ନୂଆଦିଲ୍ଲୀ: ଦେଶରେ ଆସନ୍ତା ବର୍ଷକ ମଧ୍ୟରେ ଟୋଲ୍ ବୁଥ୍ଗୁଡ଼ିକ ଆଉ ରହିବ ନାହିଁ। ଏହାକୁ ଉଠାଇ ଦିଆଯିବ। ଜିପିଏସ୍ ଇମେଜିଂ ମାଧ୍ୟମରେ ଶୁଳ୍କ ଆଦାୟ କରାଯିବ। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ଆଜି ଏହି ପ୍ରତିଶ୍ରୁତି ଦେଇଛନ୍ତି। ଗତମାସ ଫେବ୍ରୁଆରି ୧୫ ତାରିଖରୁ ଦେଶରେ ଫାସଟ୍ୟାଗ୍କୁ ବାଧ୍ୟତାମୂଳକ କରାଯାଇଛି। ଏହାସତ୍ତ୍ବେ ଦେଶରେ ଏବେ ୯୩ ପ୍ରତିଶତ ଗାଡ଼ି ଫାସଟ୍ୟାଗ୍ ମାଧ୍ୟମରେ ଶୁଳ୍କ ପ୍ରଦାନ କରୁଛନ୍ତି। ଫାସ୍ଟ୍ୟାଗ ନଲଗାଇଲେ ଦୁଇ ଗୁଣା ଅଧିକ ଶୁଳ୍କ ଦେବାକୁ ପଡ଼ିବା ସତ୍ତ୍ବେ କିଛି ଗାଡ଼ି ଏପର୍ଯ୍ୟନ୍ତ ଏହାକୁ ବ୍ୟବହାର କରିନାହାନ୍ତି।
ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଲୋକସଭାରେ କହିଛନ୍ତି ଆସନ୍ତା ବର୍ଷକ ମଧ୍ୟରେ ସବୁ ଟୋଲ୍ ପ୍ଲାଜାଗୁଡ଼ିକୁ ହଟାଇ ଦିଆଯିବ। ଜିପିଏସ୍ ଇମେଜିଂ ମାଧ୍ୟମରେ ଟୋଲ୍ ଆଦାୟ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଯେଉଁ ଗାଡ଼ି ଗୁଡ଼ିକ ଫାସଟ୍ୟାଗ୍ରେ ଶୁଳ୍କ ପୈଠ କରୁନାହାନ୍ତି ତାହାର ପୁଲିସ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଗାଡ଼ିରେ ଯଦି ଫାସଟ୍ୟାଗ୍ ନଲାଗୁଛି ତା’ହେଲେ ଶୁଳ୍କ ଚୋରି ଏବଂ ଜିଏସ୍ଟି ଠକେଇ ହେବାର ସମ୍ଭାବନା ରହିଛି। ଫାସ୍ଟ୍ୟାଗ୍ ଜରିଆରେ ଇଲେକଟ୍ରୋନିକ୍ସ ଉପାୟରେ ଶୁଳ୍କ ଆଦାୟ ହେଉଛି। ଗାଡ଼ି ମାଲିକଙ୍କ ବ୍ୟାଙ୍କ ଆକାଉଣ୍ଟ କିମ୍ବା ୱାଲେଟରୁ ଏ ବାବଦ ଅର୍ଥ କଟୁଛି। ଏଥିପାଇଁ ଗାଡ଼ିଗୁଡ଼ିକୁ ଆଉ ଟୋଲ ବୁଥ୍ ଆଗରେ ଘଣ୍ଟା ଘଣ୍ଟା ଧରି ଠିଆ ହେବାକୁ ପଡ଼ୁନାହିଁ। ୨୦୧୬ ମସିହାରୁ ଦେଶରେ ଯଦିଓ ଫାସଟ୍ୟାଗ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି ତଥାପି ଗତମାସ ୧୫ ତାରିଖରୁ ଏହାକୁ ବାଧ୍ୟତାମୂଳକ କରାଯାଇଛି।