ଏଫ୍‌ସିଆର୍‌ଏ ଉଲ୍ଲଂଘନ ଅଭିଯୋଗ: ସିପିଆର୍‌, ଅକ୍ସଫାମ୍‌ରେ ଆୟକର ଚଢ଼ଉ

ନୂଆଦିଲ୍ଲୀ: ଆୟକର ବିଭାଗ ପକ୍ଷରୁ ଆଜି ସେଣ୍ଟର ଫର ପଲିସି ରିସର୍ଚ୍ଚ (ସିପିଆର୍‌), ଦାତବ୍ୟ ଅନୁ‌ଷ୍ଠାନ ଅକ୍ସଫାମ୍ ଇଣ୍ଡିଆ ଓ ଗଣମାଧ୍ୟମକୁ ପାଣ୍ଠି ଯୋଗାଉଥିବା ସଂସ୍ଥା ଇଣ୍ଡେପେଣ୍ଡେଣ୍ଟ୍‌ ପବ୍ଲିକ୍-ସ୍ପିରିଟେଡ୍ ମିଡିଆ ଫାଉଣ୍ଡେସନ (ଆଇଟିଏସ୍‌ଏମ୍ଏଫ୍) ଉପରେ ଚଢ଼ଉ କରାଯାଇଛି। ପଞ୍ଜୀକୃତ ହୋଇଥିବା କିନ୍ତୁ ସ୍ବୀକୃତ ପାଇନଥିବା ୨୦ଟି ରାଜନୈତିକ ଦଳକୁ ପାଣ୍ଠି ଯୋଗାଣ ନେଇ ଆଜି ଦେଶବ୍ୟାପୀ ଚଢ଼ଉ କରାଯାଇଛି। ସେହି ଅଭିଯାନର ଅଂଶ ସ୍ବରୂପ ଏହି ତିନି ସଂସ୍ଥା ଉପରେ ଚଢ଼ଉ କରାଯାଇଥିବା କୁହାଯାଉଛି। ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର, ଗୁଜରାଟର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ବିଦେଶୀ ଅନୁଦାନ ନିୟାମକ ନିୟମ (ଏଫ୍‌ସିଆର୍‌ଏ)କୁ ଏହି ସଂସ୍ଥାଗୁଡ଼ିକ ଉଲ୍ଲଘଂନ କରୁଥିବା ଅଭିଯୋଗ ରହିଛି।

ଦିଲ୍ଲୀର ଚାଣକ୍ୟପୁରୀରେ ଥିବା ସେଣ୍ଟର ଫର ପଲିସି ରିସର୍ଚ୍ଚର କାର୍ଯ୍ୟାଳୟରେ ୧୦ ଜଣରୁ ଅଧିକ ଆୟକର ଅଧିକାରୀମାନଙ୍କ ଏକ ଟିମ୍ ଚଢ଼ଉ କରିଛି। ସେହିପରି ଓଖ୍‌ଲାରେ ଥିବା ଅକ୍ସଫାମ୍‌ର କାର୍ଯ୍ୟାଳୟରେ ମଧ୍ୟ ଚଢ଼ଉ ହୋଇଛି ଯାହା ରାତି ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଉଛି। କୌଣସି କର୍ମଚାରୀଙ୍କୁ ବାହାରକୁ ଛଡ଼ାଯାଉନାହିଁ। ବିଜେପି ସରକାରଙ୍କ ତୀବ୍ର ସମାଲୋଚକ ଭାବେ ପରିଚିତ ପ୍ରତାପ ଭାନୁ ମେହ୍‌ତାଙ୍କ ନେତୃତ୍ବରେ ପୂର୍ବରୁ ସିପିଆର୍‌ ପରିଚାଳିତ ହେଉଥିଲା। ଏବେ ଏହାର ପରିଚାଳନା ବୋର୍ଡର ଅଧ୍ୟକ୍ଷା ଭାବେ କାମ କରୁଛନ୍ତି ଲେଡି ଶ୍ରୀରାମ କଲେଜର ପ୍ରିନ୍‌ସିପାଲ୍ ମିନାକ୍ଷୀ ଗୋପୀନାଥ। ୧୯୭୩ରେ ଏହି ସଂସ୍ଥା ସ୍ଥାପନ ହୋଇଥିଲା। ସେହିପରି ଅକ୍ସଫାମ୍ ଇଣ୍ଡିଆ ହେଉଛି ଏକ ଏନ୍‌ଜିଓ ଯାହା ଏକ ଯୁକ୍ତିଯୁକ୍ତ ଓ ଅନ୍ତର୍ଭୁକ୍ତୀକରଣ ରାଷ୍ଟ୍ର ସୃଷ୍ଟି କରିବା ଲାଗି କାର୍ଯ୍ୟ କରୁଛି। ବେଙ୍ଗାଲୁରୁରେ କାର୍ଯ୍ୟାଳୟ ଥିବା ଟ୍ରଷ୍ଟ୍‌ ଆଇଟିଏସ୍‌ଏମ୍ଏଫ୍ ଦି କାରାଭାନ, ଦି ପ୍ରିଣ୍ଟ୍‌ ଓ ସ୍ବରାଜ ଭଳି ବହୁ ଡିଜିଟାଲ୍ ମିଡିଆକୁ ପାଣ୍ଠି ପ୍ରଦାନ କରୁଛି। ଏହି ସଂସ୍ଥାଗୁଡ଼ିକ ପ୍ରକାଶ କରୁଥିବା ଖବରରେ ସର୍ବଦା ସରକାରଙ୍କୁ ପ୍ରଶ୍ନ କରିବା ଭଳି ଲେଖା ରହୁଛି। ଟ୍ରଷ୍ଟ୍‌ର ମୁଖ୍ୟ ହେଉଛନ୍ତି ସାମ୍ବାଦିକ ଟିଏସ୍‌ ନିନାନ୍। ଏହାର ବୋର୍ଡରେ ଅମୋଲ ପାଲେକର ମଧ୍ୟ ରହିଛନ୍ତି। ପ୍ରେମ୍‌ଜୀ, ଗୋଦରେଜ୍ ଓ ନିଲେକାନିଙ୍କ ପରିବାର ପକ୍ଷରୁ ଏହି ଟ୍ରଷ୍ଟ୍‌କୁ ପାଣ୍ଠି ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ନିକଟରେ ନିର୍ବାଚନ କମିସନ ୮୭ଟି ଅଣ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳକୁ ତାଲିକାରୁ ବାଦ ଦେବାକୁ ସୁପାରିସ କରିଥିଲେ। କ୍ଷେତ୍ର ପରିଦର୍ଶନ ବେଳେ ସେଭଳି କୌଣସି ଦଳ ନଥିବା ଜଣାପଡ଼ିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ନିର୍ବାଚନ କମିସନଙ୍କ ସୁପାରିସର କିଛି ଦିନ ପରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ନିର୍ବାଚନ କମିସନ ୨୦୦୦ରୁ ଅଧିକ ପଞ୍ଜୀକୃତ କିନ୍ତୁ ଅଣସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବିଷୟରେ ବିଚାର କରୁଛନ୍ତି। ଏହି ଦଳଗୁଡ଼ିକ ବିରୋଧରେ ନିୟମ ଉଲ୍ଲଂଘନ ଓ କର୍ମକର୍ତ୍ତାଙ୍କ ନାମ ଓ ଠିକଣାକୁ ଠିକ୍ ଭାବେ ଅପ୍‌ଡେଟ୍‌ କରୁନଥିବା ଅଭିଯୋଗ ରହିଛି। ବହୁ ଦଳ ବିରୋଧରେ ଗୁରୁତର ଆର୍ଥିକ ହେରଫେର ଭଳି ଗମ୍ଭୀର ଅଭିଯୋଗ ରହିଛି।

ସମ୍ବନ୍ଧିତ ଖବର