ଓଡ଼ିଶାରେ ମିଳିବ ଜିଓ,ଏୟାରଟେଲ୍‌ର ୫ଜି ସେବା: ଭୋଡା ଆଇଡିଆ, ଆଦାନି ସ୍ପେକ୍ଟ୍ରମ୍ କିଣିଲେନି

ଭୁବନେଶ୍ବର: ଗତକାଲି ୫ଜି ସ୍ପେକ୍ଟ୍ରମ୍ ନିଲାମ ପ୍ରକ୍ରିୟା ଶେଷ ହେବା ସହ କେଉଁ କଂପାନି କେଉଁ ଟେଲିକମ୍ ସର୍କଲ୍‌ର ସ୍ପେକ୍ଟ୍ରମ୍ ହାସଲ କରିଛନ୍ତି ତାହାର ତାଲିକା ଜାରି ହୋଇଛି। ଓଡ଼ିଶା ପାଇଁ କେବଳ ରିଲାଏନ୍ସ ଜିଓ ଓ ଭାରତୀ ଏୟାରଟେଲ୍‌ ୫ଜି ସ୍ପେକ୍ଟ୍ରମ୍ କିଣିଛନ୍ତି। ଭୋଡାଫୋନ୍ ଆଇଡିଆ ଓ ଆଦାନି ଡାଟା ନେଟ୍‌ୱର୍କସ୍‌ ଓଡ଼ିଶାରେ ସ୍ପେକ୍ଟ୍ରମ୍ ହାସଲ କରିବା ଲାଗି ଆଗ୍ରହ ଦେଖାଇନଥିଲେ। ତେଣୁ ଆଗାମୀ ଦିନରେ ରାଜ୍ୟରେ କେବଳ ଜିଓ ଓ ଏୟାରଟେଲ୍‌ର ୫ଜି ସେବା ଉପଲବ୍ଧ ହେବ।
ଟେଲିକମ୍ ବିଭାଗ ତଥ୍ୟ ଅନୁଯାୟୀ, ମୁକେଶ ଅମ୍ବାନିଙ୍କ ସଂସ୍ଥା ରିଲାଏନ୍ସ ଜିଓ ଓଡ଼ିଶାରେ ୭୦୦ ମେଗାହର୍ଜ, ୧୮୦୦ ମେଗାହର୍ଜ, ୩୩୦୦ ମେଗାହର୍ଜ ଓ ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ର ସ୍ପେକ୍ଟ୍ରମ୍ ହାସଲ କରିଛି। ରାଜ୍ୟରେ ଏହି ସବୁ ବ୍ୟାଣ୍ଡ୍‌ର ସ୍ପେକ୍ଟ୍ରମ୍ ପାଇବା ଲାଗି କଂପାନି ୧୫୯୦ କୋଟି ଟଙ୍କା ବ୍ୟୟ କରିଛି। ୭୦୦ ମେଗାହର୍ଜ ବ୍ୟାଣ୍ଡ୍‌ର ସ୍ପେକ୍ଟ୍ରମ୍ କିଣିବା ଲାଗି କଂପାନି ସର୍ବାଧିକ ୬୨୦ କୋଟି ଟଙ୍କା ଖର୍ଚ୍ଚ କରିଛି। ସେହିପରି, ସୁନିଲ ମିତ୍ତଲଙ୍କ ସଂସ୍ଥା ଏୟାରଟେଲ୍‌ ଓଡ଼ିଶାରେ ୧୮୦୦ ମେଗାହର୍ଜ, ୩୩୦୦ ମେଗାହର୍ଜ ଓ ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ର ସ୍ପେକ୍ଟ୍ରମ୍ କିଣିଛି। ଏଥିପାଇଁ କଂପାନି ୭୭୯ କୋଟି ଟଙ୍କା ଖର୍ଚ୍ଚ କରିଛି।

୭୦୦ ମେଗାହର୍ଜ ବ୍ୟାଣ୍ଡ୍‌କୁ ୫ଜି ସେବା ପାଇଁ ସବୁଠୁ ପ୍ରଭାବୀ ବ୍ୟାଣ୍ଡ୍‌ ଭାବେ ବିଚାର କରାଯାଉଛି। ଆମେରିକା ଓ ୟୁରୋପୀୟ ସଂଘ ଏହି ବ୍ୟାଣ୍ଡ୍‌କୁ ପ୍ରିମିୟମ୍ ବର୍ଗରେ ସ୍ଥାନ ଦେଇଛନ୍ତି। ଓଡ଼ିଶା ପାଇଁ କେବଳ ଜିଓ ଏହି ବ୍ୟାଣ୍ଡ୍‌ର ସ୍ପେକ୍ଟ୍ରମ୍ ହାସଲ କରିଛି। ଏଥିରେ କମ୍ ଟାୱାର ସ୍ଥାପନ କରିବାକୁ ପଡ଼େ। ଗୋଟିଏ ଟାୱାର୍‌ର କଭରେଜ୍ ପ୍ରାୟ ୧୦ କିମି ପର୍ଯ୍ୟନ୍ତ ରହିଥାଏ। ଘର ଭିତରେ, ବ‌ାହାରେ, ଭିଡ଼ ସ୍ଥାନରେ ଓ ଅଧିକ ଡାଟା ବ୍ୟବହାର ହେଉଥିବା ଅଞ୍ଚଳରେ ଏହା ବହୁତ ଭଲ ଭାବେ କାମ କରିଥାଏ।
ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ‌ଯେ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଦେଶରେ ୫ଜି ସେବା ଆରମ୍ଭ ହେବ। ସେହି ସମୟ ଭିତରେ ଓଡ଼ିଶାରେ ମଧ୍ୟ ୫ଜି ଉପଲବ୍ଧ ହେବ ବୋଲି ଆଶା କରାଯାଇପାରେ। ୫ଜି ମୋବାଇଲ୍‌ ସେବାର ସବୁଠୁ ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି ଡାଟାର ସ୍ପିଡ୍‌। ଅତି ଦ୍ରୁତ ଗତିରେ ଡାଟା ପ୍ରବାହ ରହିବ। ‌ଫଳରେ ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଅତି ସହଜରେ ସମ୍ପାଦିତ ହୋଇପାରିବ। ଏହାର ଡାଉନ୍‌ଲୋଡ୍ ସ୍ପିଡ୍‌ ୪ଜି ତୁଳନାରେ ବହୁ ଗୁଣା ଅଧିକ ରହିବ। କିନ୍ତୁ ବାସ୍ତବ ଅନୁଭୂତି କେବଳ ୫ଜି ସେବା ଆରମ୍ଭ ହେବା ପରେ ଜଣାପଡ଼ିବ। ସର୍ବଭାରତୀୟ ସ୍ତରରେ ୫ଜି ସ୍ପେକ୍ଟ୍ରମ୍ ପାଇବା ଲାଗି ଚାରିଟି କଂପାନି ଜିଓ, ଏୟାରଟେଲ୍‌, ଭୋଡାଫୋନ୍ ଆଇଡିଆ ଓ ଆଦାନି ଡାଟା ନେଟ୍‌ୱର୍କସ୍‌ ପ୍ରତିଦ୍ବନ୍ଦ୍ବିତା କରୁଥିଲେ। ଜିଓ ସର୍ବାଧିକ ୮୮,୦୭୮ କୋଟି ଟଙ୍କା, ଏୟାରଟେଲ୍‌ ୪୩,୦୮୪ କୋଟି ଟଙ୍କା,‌ ଭୋଡାଫୋନ୍ ଆଇଡିଆ ୧୮,୭୯୯ କୋଟି ଟଙ୍କା ଓ ଆଦାନି ୨୧୨ କୋଟି ଟଙ୍କାର ୫ଜି ‌ସ୍ପେକ୍ଟ୍ରମ୍‌ କିଣିଛନ୍ତି।

ସମ୍ବନ୍ଧିତ ଖବର