ଭୁବନେଶ୍ବର: ପ୍ରାୟ ୭୬୬ କୋଟି ଟଙ୍କା ନିବେଶରେ କାର୍ଯ୍ୟକାରୀ ହେବାକୁ ଥିବା ୧୩ଟି ନିବେଶ ପ୍ରକଳ୍ପ ଲାଗି ଜମି ଆବଣ୍ଟନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ୮,୬୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଲୋକସେବା ଭବନରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରେ ଜମି ଆବଣ୍ଟନ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକର କାମ ଯେଭଳି ଶୀଘ୍ର ଆରମ୍ଭ ହୋଇ ନିର୍ମାଣ କାମ ଶେଷ ହେବ ତାହାର ତଦାରଖ କରିବାଲାଗି ଇଡ୍କୋକୁ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଛନ୍ତି। ଅଧିକ ଓଡ଼ିଆଙ୍କୁ ନିଯୁକ୍ତି ଦେବା ଉପରେ ଗୁରୁତ୍ବ ଦେବାକୁ ସେ ଶିଳ୍ପ ସଂସ୍ଥାଗୁଡ଼ିକୁ ଆହ୍ବାନ ଦେଇଛନ୍ତି।
ବୟନ ସାମଗ୍ରୀ ଓ ପୋଷାକ, ଲଜିଷ୍ଟିକ୍ ପାର୍କ, ସଫ୍ଟଓୟାର ବିକାଶ ଓ ଡିଜିଟାଲ୍ ମାର୍କେଟିଂ, କ୍ରୀଡ଼ା ଉପକରଣ ନିର୍ମାଣ, ମାନବ ବିହୀନ ବ୍ୟବସ୍ଥା ଉତ୍ପାଦନ, ଖାଦ୍ୟ ପ୍ରକ୍ରିୟାକରଣ, କାର୍ବନ ବ୍ଲକ୍ ନିର୍ମାଣ, ପିଭିସି ଓ ଏଚ୍ଡିପିଇ ନିର୍ମାଣ, ଘରକରଣା ସାମଗ୍ରୀର ଫେବ୍ରିକେସନ ଓ ଡାଟା ସେଣ୍ଟର ସ୍ଥାପନ କରିବା ଲାଗି ଆସିଥିବା ନିବେଶ ପ୍ରକଳ୍ପଗୁଡ଼ିକୁ ଜମି ଆବଣ୍ଟନ କରାଯାଇଛି। ଖୋର୍ଦ୍ଧା ଫୁଡ୍ ପ୍ରୋସେସିଂ ପାର୍କ, ଛତାବର ଶିଳ୍ପାଞ୍ଚଳ, ଚନ୍ଦକା ଇନଫୋସିଟି ଇଷ୍ଟେଟ୍, ଖୋର୍ଦ୍ଧା ସମନ୍ବିତ ଶିଳ୍ପ ବିକାଶ କେନ୍ଦ୍ର ଏବଂ ମୁଣ୍ଡମୁହାଁଣ, ମେଣ୍ଢାଶାଳ, ଗିରିଙ୍ଗାପୁଟ, ଗ୍ରାମଡିହ ଓ ଛତାବର ଆଦି ସ୍ଥାନରେ ଜମି ଆବଣ୍ଟନ କରାଯାଇଛି। ଏହି ଅବସରରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା, ପର୍ଯ୍ୟଟନ ସଚିବ ସୁରେନ୍ଦ୍ର କୁମାର, ଆଇଟି ସଚିବ ମନୋଜ କୁମାର ମିଶ୍ର, ଇପିକଲ୍ ଏମ୍ଡି ଭୁପିନ୍ଦର ସିଂହ ପୁନିଆ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/f564h6fs465fh465fhhfhffh.jpg)