ମୁମ୍ବାଇ: ଇୟରଫୋନ୍, ହେଡଫୋନ୍, ସ୍ପିକର, ଟ୍ରାଭେଲ୍ ଚାର୍ଜର୍, ସ୍ମାର୍ଟ ୱାଚ୍ ନିର୍ମାଣ କରୁଥିବା 'ବୋଟ'କୁ ଏବେ ପରିଚୟ କରାଇବାର ଆବଶ୍ୟକତା ନାହିଁ | ଏହି କମ୍ପାନୀ ଏବେ ଭାରତରେ ବେଶ ଲୋକପ୍ରିୟ ହୋଇଥିବାବେଳେ ୨୦୧୫ ମସିହାରୁ ଆରମ୍ଭ ହୋଇଥିବା ଏହି କମ୍ପାନୀର ବଜାର ମୂଲ୍ୟ ଆଜି ୯୮୦୦ କୋଟିରେ ପହଞ୍ଚିଛି। କିନ୍ତୁ, ଆପଣ ଜାଣନ୍ତି କି 'ବୋଟ' କମ୍ପାନୀର ସହ-ପ୍ରତିଷ୍ଠାତା ଅମନ ଗୁପ୍ତା ଏହା ପୂର୍ବରୁ ପାଞ୍ଚଟି କମ୍ପାନୀ ଆରମ୍ଭ କରିଥିଲେ। ତେବେ ଏହି ପାଞ୍ଚଟି କମ୍ପାନୀ ମଧ୍ୟରୁ ଗୋଟିଏରେ ବି ସଫଳ ହୋଇନଥିଲେ | କିନ୍ତୁ, ବିଫଳ ହେବା ପରେ ବି ଅମନ ନିରାଶ ହୋଇନଥିଲେ ଏବଂ ଉଦ୍ୟୋଗୀ ହେବା ପାଇଁ ନିଜର ସଂକଳ୍ପ ଛାଡି ନଥିଲେ। ଫଳସ୍ୱରୂପ, ଆଜି ସେ ଭାରତର ଏକ ସଫଳ ଷ୍ଟାର୍ଟଅପର ମାଲିକ ହୋଇପାରିଛନ୍ତି । ଏକ ସାକ୍ଷାତକାରରେ ଅମନ ଗୁପ୍ତା କହିଛନ୍ତି ଯେ 'ବୋଟ' ଆରମ୍ଭ କରିବା ପୂର୍ବରୁ ସେ ଗୋଟିଏ ପରେ ଗୋଟିଏ ପାଞ୍ଚଟି କମ୍ପାନୀ ଆରମ୍ଭ କରିଥିଲେ। କିନ୍ତୁ କୌଣସି ବି କମ୍ପାନୀ ଅଧିକ ଦିନ ଚାଲିପାରିନଥିଲା ଓ କମ୍ପାନୀରେ ତାଲା ପକାଇବାକୁ ପଡିଥିଲା |
ଏହି ୫ଟି କମ୍ପାନୀ ବାବଦରେ ଅମନ କହିଛନ୍ତି “ମୁଁ ଭାବି ନଥିଲି ଏବଂ କେବଳ କମ୍ପାନୀ ଆରମ୍ଭ କରିଥିଲି। ଆତ୍ମବିଶ୍ୱାସ ଏବଂ ଅତ୍ୟଧିକ ଆତ୍ମବିଶ୍ୱାସ ମଧ୍ୟରେ ପାର୍ଥକ୍ୟ ଅଛି | କମ୍ପାନୀଗୁଡ଼ିକ ପାଇଁ ବହୁ ସଂଖ୍ୟାରେ କର୍ମଚାରୀ ଓ ବଡ କାର୍ଯ୍ୟାଳୟ ନେଇଥିଲି, କିନ୍ତୁ ପ୍ରତିଯୋଗିତା ବହୁତ ଅଧିକ ଥିଲା | ମୁଁ ଅଫିସ୍ ଏବଂ ଟିମ ପରିଚାଳନାରେ ବହୁତ ସମୟ ବ୍ୟୟ କରୁଥିଲି ଏବଂ ବ୍ୟବସାୟରେ କମ୍ ସମୟ ଅତିବାହିତ କରୁଥିଲି | ଯାହାଦ୍ୱାରା ମୁଁ ବିଫଳ ହୋଇଥିଲି | ଏଥିରୁ ମୁଁ ଶିଖିଲି ଯେ ପ୍ରଥମେ ଏକ ଭଲ ଉତ୍ପାଦ ବା ପ୍ରଡକ୍ଟ ତିଆରି କର, ବାକି ସବୁଜିନିଷ ଅଟୋମେଟିକ ଆସିବ | ଆଜି ମୋ ଅଫିସ୍ ଠିକ୍ କଲେଜ କ୍ୟାଣ୍ଟିନ ପରି ସାନ ହୋଇଥିବାବେଳେ ବ୍ୟବସାୟ କିନ୍ତୁ ବହୁତ ବଡ ହୋଇପାରିଛି।
ଅମନ ଗୁପ୍ତା କହିଛନ୍ତି ଯେ ଜଣେ ସଫଳ ବ୍ୟବସାୟୀ ହେବାକୁ ଚାଁହୁଥିଲେ ବେଶୀ ବିଳମ୍ବ କରିବା ଉଚିତ ନୁହେଁ | କୌଣସି ବି ପରିସ୍ଥିତିରେ ପ୍ରୟାସ ତ୍ୟାଗ କରିବା ଉଚିତ୍ ନୁହେଁ | ଯଦି ଆପଣ ପ୍ରଥମ ପ୍ରୟାସରେ ସଫଳ ହୁଅନ୍ତି ନାହିଁ ଏବଂ ଆପଣଙ୍କର ଉଦ୍ୟୋଗୀ ହେବାର ଇଚ୍ଛା ଅଛି, ତେବେ ଚେଷ୍ଟା ଜାରି ରଖନ୍ତୁ, କଠିନ ପରିଶ୍ରମ କରନ୍ତୁ, ଦିନେ ଆପଣ ଜଣେ ସଫଳ ଉଦ୍ୟୋଗୀ ହେବେ |