ନୂଆଦିଲ୍ଲୀ, ୬/୫: ସମସ୍ୟାକୁ ଦେଖିବାରେ ବିଶ୍ବର ଅନ୍ୟ ନେତାମାନଙ୍କ ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବହୁ ଆଗରେ ରହିଛନ୍ତି ବୋଲି ନୋବେଲ୍ ପୁରସ୍କାର ବିଜେତା ଅର୍ଥନୀତିଜ୍ଞ ଅମର୍ତ୍ୟ ସେନ୍ କହିଛନ୍ତି। ମୋଦୀ ସରକାରଙ୍କ ନୀତିକୁ ସମାଲୋଚନା କରିବାକୁ ପଛାଉନଥିବା ଶ୍ରୀ ସେନ୍ ଭିଡିଓ କନଫରେନ୍ସିଂ ଜରିଆରେ ଇଣ୍ଡିଆ ଟୁଡେ ସହ ଆଲୋଚନା ବେଳେ ଏହା କହିଛନ୍ତି। କୋଭିଡ୍-୧୯ ବିରୋଧ ଲଢ଼େଇରେ ମୋଦୀ କେତେ ଦୂର ସଫଳ ହୋଇଛନ୍ତି ବୋଲି ପ୍ରଶ୍ନ କରାଯିବାରୁ ସେ ଏହି ଉତ୍ତର ଦେଇଛନ୍ତି। ସେ କହିଛନ୍ତି, ସରକାର କେବଳ କରୋନା ଭୂତାଣୁର କିଭଳି ମୁକାବିଲା କରାଯିବ ତାହା ଉପରେ ଧ୍ୟାନ ଦେଉଛନ୍ତି। ଲୋକମାନଙ୍କ ଆୟ ଓ ଜୀବିକାକୁ କିଭଳି ସୁରକ୍ଷିତ ରଖାଯିବ ସେ କ୍ଷେତ୍ରକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ରେଳ ଓ ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ କିଭଳି ଘରକୁ ‌ଫେରିବେ ସେକ୍ଷେତ୍ରରେ ମଧ୍ୟ ଭାରତରେ ସମସ୍ୟା ରହିଛି। କୋଭିଡ୍‌ ସମସ୍ୟାକୁ ଗୁରୁତର ସହ ନେବା ଭଲ କଥା କିନ୍ତୁ ଏହାର ମୁକାବିଲା‌ କରିବା ବେଳେ ସାଧାରଣ ଲୋକଙ୍କ ଦୃଷ୍ଟିକୋଣକୁ ମଧ୍ୟ ଗୁରୁତ୍ବ ଦେବା ଦରକାର ବୋଲି ଶ୍ରୀ ସେନ୍ କହିଛନ୍ତି। ସେ ସମ୍ବିଧାନର ପ୍ରଣେତା ବି ଆର୍‌ ଆମ୍ବେଦକରଙ୍କ ଉଦାହରଣ ମଧ୍ୟ ଦେଇଛନ୍ତି।

Advertisment

ସେ କହିଛନ୍ତି, ସ୍ବାଧୀନତା ପରବର୍ତୀ ସମୟରେ କେରଳ ବିକାଶ ମଡେଲ୍‌କୁ ସମାଲୋଚନା କରାଯାଉଥିଲା କାରଣ ତାହା ଅଧିକ ଅର୍ଥନୈତିକ ଲାଭ ପ୍ରଦାନ କରୁନଥିଲା। କିନ୍ତୁ ଅତ୍ୟଧିକ ଅର୍ଥନନୈତିକ ଲାଭ ପ୍ରଦାନ କରିଥିବା ଗୁଜରାଟ ମଡେଲ୍‌କୁ ବହୁତ ପ୍ରଶଂସା କରାଯାଇଥିଲା। କୋଭିଡ୍‌-୧୯ ସମୟରେ କିନ୍ତୁ ଗୁଜରାଟ ମଡେଲ୍‌ ତୁଳନାରେ କେରଳ ମଡେଲ୍‌ ଅଧିକ ସଫଳ ହୋଇଛି। ଏ ସଂକ୍ରାନ୍ତରେ ପ୍ରଶ୍ନ ହେବାରୁ ଶ୍ରୀ ସେନ୍ କହିଥିଲେ ଯେ, ୧୯୫୦-୬୦ ସମୟରେ କେରଳ ସାର୍ବଜନୀନ ସ୍ବାସ୍ଥ୍ୟ ଓ ଶିକ୍ଷାରେ ନିବେଶ କରିବା ଉପରେ ଧ୍ୟାନ ଦେଇଥିଲା। ସେହି ସମୟରେ କେରଳ ତୃତୀୟ ଗରିବ ରାଜ୍ୟ ଥିଲା। ଏହି ସମୟରେ ଘରୋଇ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀମାନେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଆମକୁ ୟୁରୋପୀୟ ମଡେଲ୍‌ ବଦଳରେ କାନାଡାର ମଡେଲ୍‌ ଆପଣେଇବାକୁ ହେବ ବୋଲି ସେ କହିଛନ୍ତି। ପ୍ରବାସୀ ଶ୍ରମିକମାନେ ଶହ ଶହ ମାଇଲ ଚାଲି ଚାଲି ଘରକୁ ବାହୁଡ଼ୁଥିବା ସମ୍ପର୍କରେ କରାଯାଇଥିବା ପ୍ରଶ୍ନର ଉତ୍ତରରେ ଶ୍ରୀ ସେନ୍ କହିଛନ୍ତି ଯେ, ଭାରତରେ ଅନେକ ଗୁରୁତ୍ବପୂର୍ଣ୍ଣ ସମସ୍ୟାକୁ କିଭଳି ଅଣଦେଖା କରାଯାଉଛି ଏହା ହେଉଛି ତାହାର ଏକ ପ୍ରତିଫଳନ। ଲୋକମାନେ ଖାଦ୍ୟ, ରୋଜଗାର, ଆୟ, ପରିବହନ ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ଦିଆଯାଉନଥିବା ସେ କହିଛନ୍ତି। ବ୍ରିଟେନ୍‌ର ଉଦାହରଣ ଦେଇ ସେ କହିଛନ୍ତି, ୧୯୩୦ ବେଳକୁ ବ୍ରିଟେନ୍‌ରେ ଲୋକମାନଙ୍କୁ ରାସନ ବଣ୍ଟନର ବ୍ୟବସ୍ଥା ଆରମ୍ଭ ହୋଇଥିଲା। ସେହି ସମୟରେ ଲୋକମାନଙ୍କ ମନରେ ବିଶ୍ବାସ ଜାଗ୍ରତ ହୋଇଥିଲା ଯେ ଦେଶର କେହି ଲୋକ ଭୋକିଲା ନରହିବା ଲାଗି ସରକାର ଦାୟିତ୍ବ ନେଇଛନ୍ତି। ୧୯୪୦ ବେଳକୁ ଯେତେବେଳେ ଯୁଦ୍ଧ ଆରମ୍ଭ ହେଲା ଲୋକମାନଙ୍କ ପାଖରେ ଖାଦ୍ୟ ସହିତ ଚିକିତ୍ସା ସେବା ମଧ୍ୟ ସୁବିଧାରେ ପହଞ୍ଚିପାରିଥିଲା ଏବଂ ବ୍ରିଟେନ୍‌ରେ ଅପପୁଷ୍ଟି ବହୁ ମାତ୍ରାରେ ହ୍ରାସ ପାଇଥିଲା ବୋଲି ସେ କହିଛନ୍ତି।