ଅମର୍ତ୍ୟଙ୍କୁ ନୋବେଲ୍‌ ବିଜେତା କରାଇଥିଲା ସାଇକଲ୍‌

ନୂଆଦିଲ୍ଲୀ: ବିଶିଷ୍ଟ ଅର୍ଥନୀତିଜ୍ଞ ଅମର୍ତ୍ୟ ସେନ୍‌କୁ ନୋବେଲ୍‌ ପୁରସ୍କାର ପର୍ଯ୍ୟନ୍ତ ପହଞ୍ଚିବାରେ ଏକ ସାଇକଲ୍ ବିଶେଷ ସହାୟକ ହୋଇଥିଲା। ସେହି ସାଇକଲ୍‌ ଏବେ ସ୍ବିଡେନ୍‌ରେ ଥିବା ନୋବେଲ୍ ସଂଗ୍ରହାଳୟରେ ଶୋଭା ପାଉଛି। ଗତକାଲି ବିଶ୍ବ ସାଇକଲ୍‌ ଦିବସ ଅବସରରେ ନୋବେଲ୍ ପୁରସ୍କାର ଟିମ୍ ପକ୍ଷରୁ ନିଜର ଅଫିସିଆଲ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍‌ରେ ‌ସେହି ସାଇକଲ୍‌ର ଛବି ସହିତ ତା’ ପଛର କାହାଣୀକୁ ପ୍ରକାଶ କରାଯାଇଥିଲା। ଅର୍ଥନୀତି ବିଜ୍ଞାନ ପାଇଁ ସାଇକଲ୍ ଏକ ସାଧାରଣରେ ବ୍ୟବହାର ହେଉଥିବା ଉପକରଣ ନୁହେଁ। କିନ୍ତୁ ଅମର୍ତ୍ୟ ସେନ୍‌ଙ୍କ ସାଇକଲ୍‌ ତାଙ୍କ ଗବେଷଣାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ବୋଲି ନୋବେଲ୍ ଟିମ୍ ଲେଖିଛନ୍ତି। ସମାଜର ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକଙ୍କ ବିଷୟରେ ଅମର୍ତ୍ୟ ଗବେଷଣା କରୁଥିଲେ। ବାଳକ ଓ ବାଳିକାଙ୍କ ଭିତରେ ରହିଥିବା ପ୍ରଭେଦକୁ ଜାଣିବା ଲାଗି ସେ ଏକ ସର୍ବେକ୍ଷଣ କରିଥିଲେ।

ନିଜର ଜଣେ ସହାୟକଙ୍କୁ ସାଇକଲ୍‌ଟିଏ ଦେଇ ସେଥି‌ରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନକୁ ଯାଇ ଶିଶୁମାନଙ୍କ ଓଜନ ମାପିବାକୁ କହିଥିଲେ। ମାତ୍ର ଯେତେବେଳେ ଶିଶୁମାନେ ଓଜନ ହେବାକୁ ଚାହିଲେ ନାହିଁ ସେତେବେଳେ ସମସ୍ୟା ଦେଖାଦେଲା। ଓଲଟା ସେମାନେ ସାଇକଲ୍‌ରେ ଆସିଥିବା ବ୍ୟକ୍ତିଙ୍କୁ କାମୁଡ଼ିଥିଲେ। ଏହାପରେ ନିଜ ଛାତ୍ରଛାତ୍ରୀଙ୍କୁ ତଥ୍ୟ ସଂଗ୍ରହ କରିବା ଲାଗି ଅମର୍ତ୍ୟ କହିଥିଲେ, କିନ୍ତୁ କେହି କ୍ୟାମ୍ପସ ବାହାରକୁ ଯିବାକୁ ଚାହିନଥିଲେ। ତେଣୁ ସେ ନିଜେ ବିଭିନ୍ନ ସ୍ଥାନକୁ ଯାଇ ପିଲାମାନଙ୍କ ଓଜନ କରିଥିଲେ। ସେ ଯେଉଁ ତଥ୍ୟ ସଂଗ୍ରହ କରିଥିଲେ ତାହା ପରବର୍ତୀ ସମୟରେ ମାନବ ବିକାଶ ସୂଚୀ ପ୍ରସ୍ତୁତ କରିବାରେ ସହାୟକ ହୋଇଥିଲା। ସାମାଜିକ ବିକଳ୍ପ, କଲ୍ୟାଣର ମାପ ଏବଂ ଦାରିଦ୍ର୍ୟ ଉପରେ ଗବେଷଣା ପାଇଁ ତାଙ୍କୁ ୧୯୯୮ରେ ନୋବେଲ୍ ପୁରସ୍କାର ଦିଆଯାଇଥିଲା। ଅମର୍ତ୍ୟଙ୍କ ଏହି କାହାଣୀକୁ ଇନଷ୍ଟାଗ୍ରାମ୍‌ରେ ୭୦୦୦ରୁ ଅଧିକ ଲାଇକ୍‌ ମିଳିଛି।

ସମ୍ବନ୍ଧିତ ଖବର