ଭାରତର ଗଣତନ୍ତ୍ରକୁ ଆମାଜନ ମୁଖ୍ୟଙ୍କ ପ୍ରଶଂସା

ଆମାଜନ ମୁଖ୍ୟ ଜେଫ୍ ବେଜୋସ୍‌ଙ୍କୁ ବ୍ୟବସାୟୀଙ୍କ ବିରୋଧ, ନାରାୟଣମୂର୍ତ୍ତୀ ଖପ୍ପା

ନୂଆଦିଲ୍ଲୀ : ବିଶ୍ବର ସର୍ବବୃହତ ଇ-କମର୍ସ କଂପାନି ଆମାଜନ୍‌ର ମୁଖ୍ୟ ଜେଫ୍‌ ବେଜୋସ୍‌ ଭାରତ ଗସ୍ତରେ ଆସିଛନ୍ତି। ସେ ଦୁଇ ଦିନିଆ ‘ସମ୍ଭବ ସମ୍ମିଳନୀ’କୁ ଉଦ୍‌ଘାଟନ କରିବା ସହ ଭାରତର ଗଣତନ୍ତ୍ରକୁ ପ୍ରଶଂସା କରିଛନ୍ତି। ସେ ଆକଳନ କରିଛନ୍ତି, ଏକବିଂଶ ଶତାବ୍ଦୀ ଭାରତର ଶତାବ୍ଦୀ ହେବ। ଦେଶର ଏକ ପ୍ରମୁଖ ବିଶେଷତ୍ବ ହେଉଛି ଏହ‌ାର ଗଣତନ୍ତ୍ର। ଆଗାମୀ ଦିନରେ ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ମଜଭୁତ ହେବ ବୋଲି ସେ ଆକଳନ କରିଛନ୍ତି। ଭାରତ ପାଇଁ ବେଜୋସ୍‌ ବଡ଼ ଯୋଜନା ଘୋଷଣା କରିଛନ୍ତି। ସାରା ଭାରତର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ଏବଂ ବ୍ୟବସାୟୀଙ୍କୁ ଡିଜିଟାଲ୍‌ ବିପ୍ଳବରେ ସାମିଲ କରିବା ଲାଗି ତାଙ୍କ କଂପାନି ଆମାଜନ୍‌ ପାଞ୍ଚ ବର୍ଷ ଭିତରେ ୧୦୦ କୋଟି ଡଲାରରୁ (ପ୍ରାୟ ୭୧୦୦ କୋଟି ଟଙ୍କା) ଅଧିକ ପୁଞ୍ଜିନିବେଶ କରିବ। ଏହା ଜରିଆରେ ୧୦ ନିୟୁତ ଏମ୍‌ଏସ୍‌ଏମ୍‌ଇକୁ ଡିଜିଟାଲ୍ ଜଗତରେ ସାମିଲ କରାଯିବ, ଫଳରେ ସେମାନେ ଅନଲାଇନ୍‌ରେ ସାରା ଦୁନିଆରେ ନିଜ କାରବାରକୁ ବଢ଼ାଇପାରିବେ। ଭାରତର ବିଭିନ୍ନ ସହର ଓ ଗ୍ରାମାଞ୍ଚଳରେ ଡିଜିଟାଲ୍ ହାଟ ସ୍ଥାପନ କରାଯିବ ବୋଲି ସେ କହିଛନ୍ତି।

ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ବେଜୋସ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆହୁରି ଅନେକ ବରିଷ୍ଠ ନେତୃବୃନ୍ଦଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ସେ ଆଜି ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି।

ବ୍ୟବସାୟୀଙ୍କ ବିରୋଧ
ଭୁବନେଶ୍ବର : ଆମାଜନ ମୁଖ୍ୟ ଜେଫ୍ ବେଜୋସ୍‌ଙ୍କୁ ଆଜି ଭାରତରେ ବ୍ୟବସାୟୀମାନେ ବିରୋଧ କରିଛନ୍ତି। ଓଡ଼ିଶାର ୮ଟି ସହରରେ ତାଙ୍କୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଛି। ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ସୂଚନା ଦେଇଛନ୍ତି ଯେ, ଦେଶର ୩୦୦ଟି ସ୍ଥାନରେ ବ୍ୟବସାୟୀମାନେ ‌ଜେଫ୍‌ଙ୍କ ଗସ୍ତକୁ ବ୍ୟବସାୟୀମାନେ ସେଦିନ ବିରୋଧ କରି ପ୍ରତିବାଦ କରିଛନ୍ତି। ଆଦିର ଦିନଟିକୁ ସେମାନେ ପ୍ରତିବାଦ ଦିବସ ଭାବେ ପାଳନ କରିଛନ୍ତି। ଓଡ଼ିଶାର ୮ଟି ସହର ଭୁବନେଶ୍ବର, କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, ଜୟପୁର, ବଲାଙ୍ଗୀର ଏବଂ ‌ବାଲେଶ୍ବରରେ ବ୍ୟବସାୟମାନେ ପ୍ରତିବାଦ କରିଛନ୍ତି।

ନାରାୟଣମୂର୍ତ୍ତୀ ଖପ୍ପା
ଆମାଜନ୍‌ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମ ଦେଢ଼ ଘଣ୍ଟା ବିଳମ୍ବରେ ଆରମ୍ଭ ହେବା ଯୋଗୁଁ ଇନ୍‌ଫୋସିସ୍‌ର ସହ ପ୍ରତିଷ୍ଠାତା ଏନ୍‌ ଆର୍‌ ନାରାୟଣମୂର୍ତ୍ତୀ ବିରକ୍ତି ପ୍ରକାଶ କରିଥିଲେ। ପ୍ରାୟ ୨୦ ମିନିଟ୍‌ର ଭାଷଣ ଦେବା ଲାଗି ପ୍ରସ୍ତୁତ ହୋଇଆସିଥିବା ନାରାୟଣମୂର୍ତ୍ତୀ ପ୍ରାୟ ୫ ମିନିଟ୍‌ରେ ନିଜ ଭାଷଣ ସାରିଥିଲେ। କାହିଁକି ନିଜ ଭାଷଣକୁ କମ୍ କଲେ ତାହାର କାରଣ ମଧ୍ୟ ଦର୍ଶକମାନଙ୍କୁ ଜଣାଇଥିଲେ ଓ ଭାଷଣ ଶେଷ ହେବା ପରେ ମଞ୍ଚରୁ ଓହ୍ଲାଇ ଆସିଥିଲେ।

ସମ୍ବନ୍ଧିତ ଖବର