ଆମାଜନ, ଫ୍ଲିପ୍‌କାର୍ଟକୁ ଧକ୍କା: ତଦନ୍ତ ଅଟକିବନି

ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ, ରାୟକୁ ବ୍ୟବସାୟୀ ମହାସଂଘର ସ୍ବାଗତ

ନୂଆଦିଲ୍ଲୀ: ଦେଶର ଦୁଇ ପ୍ରମୁଖ ଇ-କମର୍ସ କଂପାନି ଆମାଜନ୍ ଓ ଫ୍ଲିପ୍‌କାର୍ଟ ବିରୋଧରେ ଭାରତୀୟ ପ୍ରତିଯୋଗିତ‌ା ଆୟୋଗ (ସିସିଆଇ) ଜାରି ରଖିଥିବା ତଦନ୍ତ ଉପରେ ରୋକ ଲଗାଇବାକୁ ସୁପ୍ରିମ୍‌କୋର୍ଟ ମନା କରିଦେଇଛନ୍ତି। ଏ ସମ୍ପର୍କରେ କର୍ଣ୍ଣାଟକ ହାଇକୋର୍ଟ ଯେଉଁ ରାୟ ଦେଇଥିଲେ ସେଥିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେ ନାହିଁ ‌ବୋଲି କହିଛନ୍ତି। ଆଜି ପ୍ରଧାନ ବିଚାରପତି ଏନ୍‌ ଭି ରମନା ଓ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି ବେଳେ କହିଛନ୍ତି ଯେ ତଦନ୍ତରେ ହସ୍ତକ୍ଷେପ କରିବାର କିଛି କାରଣ ଥିବା ଭଳି ମନେ ହେଉନାହିଁ। ତଥାପି ଏହି ପ୍ରକ୍ରିୟାରେ ସାମିଲ ହେବା ଲାଗି କଂପାନିଗୁଡ଼ିକୁ କୋର୍ଟ ଚାରି ସପ୍ତାହର ସମୟ ଦେଉଛନ୍ତି। ଆମାଜନ୍ ଓ ଫ୍ଲିପ୍‌କାର୍ଟ ଭଳି ବଡ଼ ସଂସ୍ଥା ତଦନ୍ତ ପ୍ରକ୍ରିୟାରେ ସ୍ବେଚ୍ଛାଧୀନ ଭାବେ ସାମିଲ ହେବେ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ପ୍ରତିଯୋଗିତା କମିସନ ଯେଉଁ ତଦନ୍ତ ଆରମ୍ଭ କରିଛନ୍ତି ତାହା ଉପରେ ରୋକ ଲଗାଇବା ଲାଗି ଇ-କମର୍ସ କଂପାନି କର୍ଣ୍ଣାଟକ ହାଇକୋର୍ଟ ଯାଇଥିଲେ। ତଦନ୍ତ ଅଟକିବ ନାହିଁ ବୋଲି ଜୁଲାଇ ୨୩ରେ ହାଇକୋର୍ଟ ରାୟ ଶୁଣାଇଥିଲେ। ହାଇକୋର୍ଟଙ୍କ ରାୟକୁ ଏହି ଦୁଇ କଂପାନି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍‌ କରିଥିଲେ। ଯେହେତୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି ତେଣୁ ଆମାଜନ୍ ଓ ଫ୍ଲିପ୍‌କାର୍ଟ ଲାଗି ଅଡ଼ୁଆ ବଢ଼ିବାର ଆଶଙ୍କା ରହିଛି। କାରଣ ସେମାନଙ୍କୁ ଭାରତରେ ଥିବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ। ଯଦି ତଦନ୍ତ ବେଳେ କଂପାନିଗୁଡ଼ିକ କିଛି ନିୟମ ଉଲ୍ଲଂଘନ କରିଥିବା ପ୍ରମାଣିତ ହେବ ତେବେ ସେମାନଙ୍କ ଉପରେ ମୋଟା ଅଙ୍କର ଜରିମାନା ଲାଗୁ କରାଯିବ। ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଆମାଜନ୍ ଓ ଫ୍ଲିପ୍‌କାର୍ଟ ପକ୍ଷରୁ କୁହାଯାଇଛି।
ଷ୍ଟୋର୍‌ ମାଧ୍ୟମରେ କାରବାର କରୁଥିବା ବ୍ୟବସାୟୀମ‌ାନେ ବହୁ ଦିନରୁ ଇ-କମର୍ସ କଂପାନିଗୁଡ଼ିକର ବ୍ୟବସାୟ ପରିଚାଳନା ଉପରେ ଆପତ୍ତି ଉଠାଇଛନ୍ତି। ବଜାରରେ ପ୍ରତ‌ିଯୋଗିତା ଭେଯଳି ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ସେଭଳି ଢଙ୍ଗରେ କଂପାନିଗୁଡ଼ିକ କାର୍ଯ୍ୟ କରୁଛନ୍ତି। ନିଜ ୱେବସାଇଟ୍‌ରେ ମୋଟା ଅଙ୍କର ରିହାତି ପ୍ରଦାନ କରି ବଜାରର ପ୍ରତିଯୋଗିତାକୁ ନଷ୍ଟ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ବିକ୍ରେତା ଓ ନିର୍ମାତାମାନଙ୍କ ସହ ସ୍ବତନ୍ତ୍ର ଚୁକ୍ତି ସ୍ବାକ୍ଷର କରିବା ଯୋଗୁଁ ଅନ୍ୟ ବ୍ୟବସାୟୀମାନଙ୍କ ଲାଗି କାରବାର କରିବାର କୌଣସି ସୁଯୋଗ ରହୁନାହିଁ। ଇ-କମର୍ସ ବଜାର ଆଗକୁ ବଢ଼ିବା ପରେ ଖୁଚୁରା ବିକ୍ରେତାମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।

ଆଜି ସୁପ୍ରିମକୋର୍ଟ ରାୟ ଶୁଣାଇବା ପରେ ଭାରତୀୟ ବ୍ୟବସାୟୀ ମହାସଂଘ ଖୁସି ପ୍ରକଟ କରିଛି। ମହାସଂଘର ସଭାପତି ବି ସି ଭର୍ତିଆ ଓ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ୍ କହିଛନ୍ତି ଯେ ଉଭୟ କଂପାନି ଆଉ ତଦନ୍ତକୁ ଏଡ଼ାଇପାରିବେ ନାହିଁ। ଏହା ଏକ ବହୁତ ବଡ଼ ମାଇଲଖୁଣ୍ଟ। ନ୍ୟାୟ ମିଳିଲା ବୋଲି ସେମାନେ କହିଛନ୍ତି। ତଦନ୍ତ ପ୍ରକ୍ରିୟା ଜୋରଦାର କରିବା ପ‌ାଇଁ ପ୍ରତିଯୋଗିତା କମିସନଙ୍କୁ ନିର୍ଦେଶ ଦେବା ଲାଗି ମହାସଂଘ ତରଫରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଅନୁରୋଧ କରାଯାଇଛି। ଆମାଜନ୍ ଓ ଫ୍ଲିପ୍‌କାର୍ଟକୁ ନୋଟିସ୍‌ ପଠାଇବା ଲାଗି ‌ମହାସଂଘ ପକ୍ଷରୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)କୁ ଅନୁରୋଧ କରାଯାଇଛି। ଇ-କମର୍ସ କଂପାନିଗୁଡ଼ିକ ବିରୋଧରେ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ) ନିୟମ ଉଲ୍ଳଂଘନ ଅଭିଯୋଗ ରହିଛି। ବହୁ ଦିନ ଧରି ଏହାର ତଦନ୍ତ କରିବା ଲାଗି ବ୍ୟବସାୟୀ ମହାସଂଘ ଦାବି କରୁଛି।

ସମ୍ବନ୍ଧିତ ଖବର