ନୂଆଦିଲ୍ଲୀ: ଦୁନିଆର ସବୁଠୁ ଧନୀ ବ୍ୟକ୍ତି ତଥା ଆମାଜନ୍ର ମାଲିକ ଜେଫ୍ ବେଜୋସ୍ଙ୍କ ପ୍ରେମ କାହାଣୀକୁ ନେଇ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସୁଛି। ପୂର୍ବତନ ଟିଭି ଉପସ୍ଥାପିକା ଲରେନ୍ ସାଞ୍ଚେଞ୍ଜଙ୍କ ପ୍ରେମରେ ପଡ଼ିଥିବା ବେଜୋସ୍ ନିଜର ୨୫ ବର୍ଷ ପୁରୁଣା ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ନିଷ୍ପତ୍ତି ନେଇଛନ୍ତି। ଲରେନ୍ ଓ ବେଜୋସ୍ଙ୍କ ପ୍ରେମ ସମ୍ପର୍କ ଆଠ ମାସ ପୂର୍ବରୁ ଆରମ୍ଭ ହୋଇଥିଲା। ସେମାନେ ପ୍ରାଇଭେଟ୍ ବିମାନ ଓ ହେଲିକପ୍ଟରରେ ଏକସଙ୍ଗେ ଉଡ଼ୁଥିଲେ। ପଞ୍ଚତାରକା ହୋଟେଲ୍ରେ ଲୁଚିଛପି ପରସ୍ପର ଭେଟୁଥିଲେ ଏବଂ ରୋମାଣ୍ଟିକ୍ ରାତ୍ରୀ ଭୋଜନରେ ମଧ୍ୟ ସାମିଲ ହେଉଥିଲେ। ତାଙ୍କର ଏହି ସବୁ କାର୍ଯ୍ୟ ଉପରେ ନଜର ରଖିଥିଲା ଆମେରିକାର ଏକ ଟାବ୍ଲଏଡ୍ ‘ନ୍ୟାସନାଲ୍ ଇନକ୍ବାରର୍’। ଦୀର୍ଘ ଚାରି ମାସ ପର୍ଯ୍ୟନ୍ତ ଏହି ସଂସ୍ଥାର ପ୍ରତିନିଧିମାନେ ବେଜୋସ୍ଙ୍କ ଉପରେ ନଜର ରଖିଥିଲେ। ବେଜୋସ୍ଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ତଥ୍ୟ ହାସଲ କରିବା ପାଇଁ ସେମାନେ ୪୦,୦୦୦ ମାଇଲ୍ ଯାତ୍ରା କରିଥିଲେ। ଯେତେବେଳେ ସୁଯୋଗ ମିଳୁଥିଲା ଲରେନ୍ ଓ ବେଜୋସ୍ଙ୍କ ଅନ୍ତରଙ୍ଗ ଫଟୋ ଉଠାଇବାକୁ ଭୁଲୁନଥିଲେ। ଏଭଳି ଅନେକ ଫଟୋ ନ୍ୟାସନାଲ୍ ଇନ୍କ୍ବାରର୍ର ପ୍ରତିନିଧିମାନେ ଉଠାଇଥିଲେ। ଏହି ଟାବ୍ଲଏଡ୍ ନିଜର ପରବର୍ତୀ ସଂସ୍କରଣ ପ୍ରକାଶ କରିବାର ୪୮ ଘଣ୍ଟା ପୂର୍ବରୁ ବେଜୋସ୍ଙ୍କୁ ସବୁ କଥା ଜଣାଇଥିଲା। ତାହାର କିଛି ସମୟ ପରେ ବେଜୋସ୍ ଓ ତାଙ୍କ ପତ୍ନୀ ମାକେଞ୍ଜି ବେଜୋସ୍ ଟ୍ବିଟର୍ରେ ବିବାହ ବିଚ୍ଛେଦ ବିଷୟରେ ଘୋଷଣା କରିଥିଲେ। ତଦନ୍ତ ସମୟରେ ଟାବ୍ଲଏଡ୍ର ପ୍ରତିନିଧିମାନେ ଲରେନଙ୍କ ପାଖକୁ ବେଜୋସ୍ ପଠାଇଥିବା ଅନେକ ମେସେଜ୍କୁ ସଫଳତାର ସହ ହାସଲ କରିଥିଲେ। ଅତ୍ୟନ୍ତ ଅନ୍ତରଙ୍ଗ ବାର୍ତା ଥିବା ମେସେଜ୍ ସବୁ ଲରେନ୍ଙ୍କ ପାଖକୁ ବେଜୋସ୍ ପଠାଉଥିଲେ। କିଛି ମେସେଜ୍କୁ ଏହି ସଂସ୍ଥା ସାର୍ବଜନୀନ ମଧ୍ୟ କରିଛି। ବେଜୋସ୍ଙ୍କ ବିବାହ ଭାଙ୍ଗିବାର ଶ୍ରେୟ ମଧ୍ୟ ଏହି ଟାବଲଏଡ୍ ଦାବି କରିଛି। ବେଜୋସ୍ଙ୍କ ବୟସ ୫୪ ବର୍ଷ ହୋଇଥିବା ବେଳେ ଲରେନ୍ଙ୍କୁ ୪୯ ବର୍ଷ ହୋଇଛି। ବେଜୋସ୍ଙ୍କ ପ୍ରେମରେ ପଡ଼ିଥିବା ଲରେନ୍ ୨୦୦୫ରେ ହଲିଉଡ୍ର ଜଣାଶୁଣା ବ୍ୟକ୍ତିତ୍ବ ପ୍ୟାଟ୍ରିକ୍ ହ୍ବାଇଟ୍ସେଲ୍କୁ ବିବାହ କରିଥିଲେ। କିଛି ମାସ ହେଲାଣି ସେମାନେ ପରସ୍ପର ଠାରୁ ଅଲଗା ରହୁଥିଲେ। ବେଜୋସ୍ ମଧ୍ୟ ନିଜ ପତ୍ନୀଙ୍କ ଠାରୁ କିଛି ମାସ ହେଲାଣି ଅଲଗା ରହୁଥିଲେ ବୋଲି ତାଙ୍କ ଆଇନଜୀବୀ କହିଛନ୍ତି। ଏକା ଏକା ରହୁଥିବା ବେଜୋସ୍ ଓ ଲରେନ୍ ଯେତେବେଳେ ପରସ୍କରକୁ ଦେଖିଲେ ସେମାନଙ୍କ ଭିତରେ ପ୍ରେମ ସୃଷ୍ଟି ହୋଇଥିଲା ବୋଲି କୁହାଯାଉଛି।
ଟ୍ରମ୍ପ୍ ବହୁତ ଖୁସି
ବେଜୋସ୍ଙ୍କ ବିବାହ ବିଚ୍ଛେଦ ଖବର ଶୁଣି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବହୁତ ଖୁସି ହୋଇଯାଇଛନ୍ତି। ଏହା ପଛରେ ମଧ୍ୟ ଏକ ବଡ଼ କାରଣ ରହିଛି। ତାହା ହେଉଛି ବେଜୋସ୍ଙ୍କ ମାଲିକାନାରେ ଥିବା ‘ୱାସିଂଟନ୍ ପୋଷ୍ଟ’ ଟ୍ରମ୍ପ୍ ପ୍ରଶାସନ ବିରୋଧରେ ସବୁ ବେଳେ ସମାଲୋଚନାମୂଳକ ଲେଖାମାନ ପ୍ରକାଶ କରୁଥିଲା। ତେଣୁ ବେଜୋସ୍ ଓ ତାଙ୍କ କଂପାନି ଆମାଜନ୍ ଉପରେ ଟ୍ରମ୍ପ୍ ଆଦୌ ଖୁସି ନଥିଲେ। ବେଜୋସ୍ଙ୍କୁ ବୁଦ୍ଧି ଶିଖାଇବାକୁ ସେ ସୁଯୋଗ ସନ୍ଧାନରେ ଥିଲେ। ସଂଯୋଗର ବିଷୟ ହେଉଛି, ଯେଉଁ ଟାବଲଏଡ୍ଟି ଲରେନ୍ ଓ ବେଜୋସ୍ଙ୍କ ପ୍ରେମ ସମ୍ପର୍କକୁ ସାର୍ବଜନୀନ କରିଛି ତାହାର ମାଲିକ ଓ ଟ୍ରମ୍ପ୍ ହେଉଛନ୍ତି ଘନିଷ୍ଠ ବନ୍ଧୁ। ଆମେରିକା ରାଷ୍ଟ୍ରପତି ନିର୍ବାଚନ ବେଳେ ଏହି ଟାବ୍ଲଏଡ୍ ଟ୍ରମ୍ପ୍ଙ୍କ ସମର୍ଥନରେ ଅନେକ ଲେଖା ପ୍ରକାଶ କରିଥିଲା। ସବୁ ଦିଗକୁ ଅନୁଧ୍ୟାନ କରିବା ପରେ ଯାହା ଜଣାପଡ଼ୁଛି େବଜୋସ୍ଙ୍କ ଜୀବନରେ ଝଡ଼ ସୃଷ୍ଟି କରିବା ପାଇଁ ଏହି ଟାବ୍ଲଏଡ୍ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରି ଆଗକୁ ବଢ଼ିଥିଲା ଓ ନିଜ ମିସନ୍ରେ ସଫଳ ମଧ୍ୟ ହୋଇଛି।