ଟ୍ବିଟର, ମେଟା ପରେ ଆମାଜନ : ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରୁଛନ୍ତି ଟେକନଲୋଜୀ କମ୍ପାନି

ନୂଆଦିଲ୍ଲୀ : ବିଶ୍ବରେ ମାନ୍ଦାବସ୍ଥାର ପ୍ରଭାବ ଟେକନଲୋଜୀ କମ୍ପାନିମାନଙ୍କ ଉପରେ ପଡ଼ିଛି । ସୋସିଆଲ ମିଡିଆ କମ୍ପାନି ଟୁଇଟର ଓ ମେଟା (ପୂର୍ବର ଫେସବୁକ) ପରେ ଏବେ ଇ-କମର୍ସ କମ୍ପାନି ଆମାଜନ ପକ୍ଷରୁ ବି କର୍ମଚାରୀ ଛଟେଇ କରାଯିବା ସମ୍ପର୍କରେ ଘୋଷଣା କରାଯାଇଛି । କମ୍ପାନି ପକ୍ଷରୁ ପ୍ରାୟ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବା ସଂପର୍କରେ ଘୋଷଣା କରାଯାଇଛି । କେବଳ ଏତିକି ନୁହେଁ, କେତେକ ଠିକା କର୍ମଚାରୀଙ୍କୁ ବି ଛଟେଇ କରିବାକୁ ଯୋଜନା କରୁଛି ଆମାଜନ । କମ୍ପାନି ପକ୍ଷରୁ ଭାରତରେ ବି ଛଟେଇ କରାଯାଇପାରେ ବୋଲି ଜଣାପଡ଼ିଛି ।

କେବଳ ଏହି ତିନି କମ୍ପାନି ନୁହଁନ୍ତି ମାଇକ୍ରୋସଫ୍ଟ, ବାଇଜୁସ, ବେଦାନ୍ତୁ, ଗୁଗୁଲ ବି ଛଟେଇ କରିବାକୁ ଯୋଜନା କରୁଛନ୍ତି । ଆଗକୁ ଆଉ କେତେକ କମ୍ପାନି ବି ଛଟେଇ କରିବାର ଆଶଙ୍କା ରହିଛି । ଏପରିକି ଟେକନଲୋଜୀ କମ୍ପାନିମାନଙ୍କ ଇତିହାସରେ ଏହାକୁ ଏକ କଳା ସମୟ ଚାଲିଛି ବୋଲି କେତେକ କହୁଛନ୍ତି । ଆଗକୁ ସ୍ଥିତି ଅଧିକ ଜଟିଳ ହେବାର ଆଶଙ୍କା ରହିଛି ।

ଗତ ସପ୍ତାହରେ ସାରା ବିଶ୍ବରେ ଥିବା ନିଜର କର୍ମଚାରୀମାନଙ୍କୁ ଛଟେଇ କରିଥିଲା ଟ୍ବିଟର । ଭାରତରେ ଟ୍ବିଟରର ୯୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା ।

ସେହିପରି ମେଟା ପକ୍ଷରୁ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା । ଗତ ମଙ୍ଗଳବାର ହୋଇଥିବା କମ୍ପାନିର ଏକ ବୈଠକରେ ଜୁକରବର୍ଗ କହିଥିଲେ ଯେ କମ୍ପାନିରେ କର୍ମଚାରୀ ସଂଖ୍ୟା ଆବଶ୍ୟକତାଠାରୁ ଅଧିକ ରହିଛି । ଏଣୁ ଏସବୁ ଛଟେଇ କରାଯାଉଛି ।

 

ସମ୍ବନ୍ଧିତ ଖବର