ଏବେ ଆମାଜନରେ ମିଳିବ କୁଟୀର ଶିଳ୍ପ ସାମଗ୍ରୀ

ନୂଆଦିଲ୍ଲୀ : ଏବେ ଅନଲାଇନରେ ମିଳିପାରିବ ଦେଶର କୁଟୀର ଶିଳ୍ପ ସାମଗ୍ରୀ । କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟିକ ସଂସ୍ଥାର ତଥା କୁଟୀର ଶିଳ୍ପର ବିକାଶ ପାଇଁ ଦେଶର ଅଗ୍ରଣୀ ଅନଲାଇନ୍‌ ଇ-କମର୍ସ ସଂସ୍ଥା ଆମାଜନ୍‌ ଇଣ୍ଡିଆ ପକ୍ଷରୁ୍‌ ଅନ୍‌ଲାଇନ୍‌ରେ କେନ୍ଦ୍ରୀୟ କୁଟୀର ଶିଳ୍ପ ଏମ୍ପୋରିୟମ୍‌ (ସିସିଆଇଇ) ସ୍ଥାପିତ ହୋଇଛି । ଭାରତୀୟ କେନ୍ଦ୍ରୀୟ କୁଟୀର ଶିଳ୍ପ ନିଗମ ଦ୍ୱାରା ପରିଚାଳିତ ଏହି ଏମ୍ପୋରିୟମ ଦେଶରେ କୁଟୀର ଶିଳ୍ପ ସାମଗ୍ରୀର ମାର୍କେଟିଂ ଦିଗରେ ଉଦ୍ୟମ କରୁଛି । ଏବେ ଅନଲାଇନରେ ପ୍ରବେଶ କରିବା ଦ୍ୱାରା ଏସବୁ ଉତ୍ପାଦ ଦେଶର ପ୍ରତି କୋଣରେ ପହଞ୍ଚିପାରିବ । ଏହାମାଧ୍ୟମରେ କୁଟୀର ଶିଳ୍ପ କାରିଗରଙ୍କ ଦ୍ୱରା ପ୍ରସ୍ତୁତ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଅନ୍‌ଲାଇନ୍‌ରେ ଉପଲବ୍ଧ ହୋଇପାରିବ। ବିଭିନ୍ନ ଉତ୍ପାଦ ମଧ୍ୟରେ ସିଲ୍କ ଶାଢ଼ି, କଟନ ଶାଢ଼ି, ବେଡ୍‌ ସିଟ୍‌, ଆର୍ଟ ୱେର, ମେଟାଲ କ୍ରାଫ୍ଟ ପ୍ରଭୃତି ଆମାଜନରେ ଉପଲବ୍ଧ ହେବ। ସିସିଆଇଇର ବହୁବିଧ ଉତ୍ପାଦ ନୂଆଦିଲ୍ଲୀ, ମୁମ୍ବାଇ, କୋଲକତା, ଚେନ୍ନାଇ, ବାଙ୍ଗାଲୁର୍‌, ହାଇଦ୍ରାବାଦ୍‌, ପାଟନା ଆଦି ଶୋ’ରୁମ୍‌ରେ ଉପଲବ୍ଧ ହେଉଥିବାବେଳେ ଏଥିରେ ବିଭିନ୍ନ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ, କାର୍ପେଟ, ଶାଲ୍‌, ବିଭିନ୍ନ ପୋଷାକ, ଶାଢ଼ି, ସାଣ୍ଡାଲ୍‌ ଉଡ୍‌ ସାମଗ୍ରୀ, ସୁଲଭର୍‌ ଉତ୍ପାଦ, ଅଳଙ୍କାର, ପେଣ୍ଟିଂ ଆଦି ମହଜୁଦ୍‌ ରହିଛି। ଆମାଜନର ଏହି ଉଦ୍ୟମକୁ ଭାରତୀୟ ହସ୍ତଶିଳ୍ପ ମନ୍ତ୍ରଣାଳୟ, ଟ୍ରାଇବାଲ୍‌ ସମବାୟ ବିପଣନ ବିକାଶ ସଂସ୍ଥା, ତେଲେଙ୍ଗାନା ସରାକର, ନାଗାଲାଣ୍ଡ ସରକାର ତଥା ଜାତୀୟ ଦକ୍ଷତା ବିକାଶ ନିଗମ, ଗୁଜରାଟ ଟ୍ରାଇବାଲ୍‌ ବିକାଶ ବିଭାଗ, ଉତ୍ତରପ୍ରଦେଶ ଖଦୀ ଓ ଗ୍ରାମୀଣ ଶିଳ୍ପ ବିକାଶ ବୋର୍ଡ ପ୍ରଭୃତି ସହାୟତା ଯୋଗାଇ ଦେଉଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ରୀୟ କୁଟୀର ଶିଳ୍ପ ଏମ୍ପୋରିୟମ୍‌(ସିସିଆଇଇ) ୧୯୫୨ରେ ସ୍ଥାପିତ ହୋଇଥିବାବେଳେ ଏହାର ଶୋ’ରୁମ୍‌ ଦେଶର ବଡ଼ ବଡ଼ ସହରରେ ଅଛି ।

ସମ୍ବନ୍ଧିତ ଖବର