ଭାରତରେ ଫୁଡ୍‌ ଡେଲିଭରି ସେବା ବନ୍ଦ କରିବ ଆମାଜନ

ନୂଆଦିଲ୍ଲୀ: ଭାରତରେ ଆମାଜନ ଏହାର ଫୁଡ୍ ଡେଲିଭରି ସେବାକୁ ଆସନ୍ତାମାସ ୨୯ ତାରିଖରୁ ବନ୍ଦ କରିବ। ଅନଲାଇନ୍ ଶିକ୍ଷା ସେବା ବନ୍ଦ ଘୋଷଣା ପରେ କମ୍ପାନି ଅନଲାଇନ ଖାଦ୍ୟପ୍ରଦାନ ସେବାକୁ ମଧ୍ୟ ବନ୍ଦ କରିବ ବୋଲି ଘୋଷଣା କରିଛି। କମ୍ପାନି ଏହାର ‌ରେସ୍ତୋରାଁ ସହଯୋଗୀମାନଙ୍କୁ ଏ ନେଇ ଇ-ମେଲ୍‌ ଜରିଆରେ ସୂଚନା ଦେଇଛି। ଅର୍ଥାତ ଡିସେମ୍ବର ୨୯ ପରେ ଗ୍ରାହକମାନେ ଆଉ ଆମାଜନ ଫୁଡ୍‌ ଜରିଆରେ ଖାଦ୍ୟ ଅର୍ଡର କରିପାରିବେ ନାହିଁ। କିନ୍ତୁ ‌ଡିସେମ୍ବର ୨୯ ପର୍ଯ୍ୟନ୍ତ ରେସ୍ତୋରାଁଗୁଡ଼ିକ ଅର୍ଡର ଗ୍ରହଣ କରିପାରିବେ।

ଉଲ୍ଲେଖ‌ଯୋଗ୍ୟ, ୨୦୨୦ ମେ ମାସରେ କମ୍ପାନି ବେଙ୍ଗାଲୁରୁରେ ପ୍ରଥମେ ଏହି ସେବା ଆରମ୍ଭ କରିଥିଲା। ପରେ ଏହାକୁ ‌ଦେଶର ଅନ୍ୟ କେତେକ ସହରକୁ ସଂପ୍ରସାରିତ କରିଥିଲା। ଗତ ଗୁରୁବାର କମ୍ପାନି ଏହାର ଅନଲାଇନ ପ୍ଲାଟଫର୍ମ ଆମାଜନ ଏକାଡେମି ‌ବନ୍ଦ ନେଇ ଘୋଷଣା କରିଥିଲା। ଉକ୍ତ ପ୍ଲାଟଫର୍ମ ଜରିଆରେ ପିଲାମାନେ ବିଭିନ୍ନ ପ୍ରକାର ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନରେ ଶିକ୍ଷାଲାଭ କରୁଥିଲେ। ତେବେ ୨୦୨୩ ଅଗଷ୍ଟରୁ କମ୍ପାନି ପର୍ଯ୍ୟାୟକ୍ରମେ ଏହାକୁ ବନ୍ଦ କରିବ। ଏସବୁ ସତ୍ତ୍ବେ କମ୍ପାନି ଭାରତ ବଜା‌ରକୁ ନେଇ ପ୍ରତିଶ୍ରୁତିବଦ୍ଧ ରହିଛି। ଗ୍ରୋସରି, ସ୍ମାର୍ଟଫୋନ, କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ, ଫେସନ ଆଣ୍ଡ ବିୟୁଟି ଏବଂ ବି୨ବି ବ୍ୟବସାୟ ଜାରି ରଖିବ ବୋଲି କେହିଛି। ଭାରତରେ କମ୍ପାନି ଗତ ୮ ବର୍ଷ ମଧ୍ୟରେ ୬.୫ ବିଲିୟନ ଡଲାର ନିବେଶ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ଭାରତରେ ଆମାଜନ ଏକ ଲାଭଦାୟକ କମ୍ପାନିରେ ପରିଣତ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର