ନୂଆଦିଲ୍ଲୀ : ଭାରତକୁ ଟୁ-ଜି ମୁକ୍ତ କରିବାକୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନି ଲକ୍ଷ୍ୟ ରଖିଛନ୍ତି । ଭାରତକୁ ଟୁଜି-ମୁକ୍ତ କରିବାକୁ ଭାରତ ସରକାର ନୀତିଗତ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି ।
ଭାରତରେ ମୋବାଇଲ ସେବା ଆରମ୍ଭ ହେବାର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏକ ସମାରୋହକୁ ଏକ ଭିଡିଓ ବାର୍ତ୍ତା ଦେଇ ସେ କହିଛନ୍ତି ଯେ ସମଗ୍ର ବିଶ୍ୱ ୫-ଜି ଟେକନଲୋଜୀ ବ୍ୟବହାର କରିବାକୁ ଯାଉଥିବାବେଳେ ଭାରତରେ ଏବେ ବି ପ୍ରାୟ ୩୦ କୋଟି ଲୋକ ଟୁ-ଜି ମୋବାଇଲ ସେବା ବ୍ୟବହାର କରୁଛନ୍ତି । ଏହା ଫଳରେ ଭାରତୀୟ ଜନତାର ଏକ ବଡ଼ ଅଂଶ ଡିଜିଟାଲ ବିପ୍ଲବର ଲାଭ ଉଠାଇପାରୁନାହିଁ । ଆମକୁ ଏହାର କାରଣ ଖୋଜିବାକୁ ହେବ ।
ସେ କହିଛନ୍ତି ଯେ ଜିଓ ଭାରତରେ ଡିଜିଟାଲ ବିପ୍ଲବକୁ ତ୍ୱରାନ୍ଵିତ କରିଛି । ଜିଓ ସୁଲଭ ମୂଲ୍ୟରେ ମୋବାଇଲ ସେବା ଲୋକମାନଙ୍କ ପାଖରେ ପହଞ୍ଚାଇଛି । ଏହା ଦ୍ୱାରା ଲୋକମାନଙ୍କ ପାଇଁ ନୂଆ ଜୀବିକା ସୃଷ୍ଟି ହୋଇପାରିଛି ।
କରୋନା ଲକଡାଉନକୁ ଉଦାହରଣ ଭାବେ ନେଇ ସେ କହିଛନ୍ତି ଯେ ମୋବାଇଲ ଫୋନ ଓ ଇଣ୍ଟରନେଟ ଲୋକମାନଙ୍କ ପାଇଁ କେତେକ ଜରୁରୀ, ଲୋକଙ୍କୁ ଏହା କିପରି ସଶକ୍ତ କରିଛି ତାହା ଲକଡାଉନ ବେଳେ ପ୍ରମାଣିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ ଭାରତରେ ୧୯୯୫ରେ ମୋବାଇଲ ସେବା ଆରମ୍ଭ ହୋଇଥିଲା ।