ଅକ୍ଷୟ ଶକ୍ତିରେ ଅମ୍ବାନି ବନାମ ଆଦାନି: ମୁକେଶ ଖଟାଇବେ ୭୫ ହଜାର କୋଟି

ଆଦାନି ନିବେଶ କରିବେ ଦେଢ଼ ଲକ୍ଷ କୋଟି

ନୂଆଦିଲ୍ଲୀ: ଦେଶର ଦୁଇ ପ୍ରମୁଖ ଧନୀ ବ୍ୟକ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି ଓ ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନି ଅକ୍ଷୟ ଶକ୍ତି କ୍ଷେତ୍ରରେ ପରସ୍ପର ସହ ପ୍ରତିଦ୍ବନ୍ଦ୍ବିତା କରିବାକୁ ପ୍ରସ୍ତୁତ ହୋଇଛନ୍ତି। ଯେଉଁ ସବୁ କ୍ଷେତ୍ରରେ ମୁକେଶ କାରବାର କରୁଛନ୍ତି ଆଦାନି ଧୀରେ ଧୀରେ ସେହି ସବୁ କ୍ଷେତ୍ରରେ ପ୍ରବେଶ କରୁଛନ୍ତି। ଏବେ ଉଭୟ ଅକ୍ଷୟ ଶକ୍ତି କ୍ଷେତ୍ରରେ ଆଧିପତ୍ୟ ବିସ୍ତାର କରିବା ଲାଗି ‌ଦୌଡ଼ ଆରମ୍ଭ କରିଛନ୍ତି।

ଅକ୍ଷୟ ଶକ୍ତି କ୍ଷେତ୍ରରେ ଆସନ୍ତା ୧୦ ବର୍ଷରେ ୨୦୦୦ କୋଟି ଡଲାର (ପ୍ରାୟ ଦେଢ଼ ଲକ୍ଷ କୋଟି) ବିନିଯୋଗ କରିବାକୁ ଆଦାନି ଗ୍ରୁପ୍‌ ଘୋଷଣା କରିଛି। ଏହା ଅକ୍ଷୟ ଶକ୍ତି ସୃଷ୍ଟି କରିବା, ଏହି କ୍ଷେତ୍ରରେ ବ୍ୟବହାର ହେଉଥିବା ଉପକରଣ ନିର୍ମାଣ କରିବା ଏବଂ ବିଶ୍ବର ସବୁଠୁ ସୁଲଭ ମୂଲ୍ୟର ହାଇଡ୍ରୋଜେନ୍ ଇନ୍ଧନ ବିକଶିତ କରିବାକୁ ଲକ୍ଷ୍ୟ ରଖିଛି। ଜେପି ମୋର୍ଗାନ୍ ଇଣ୍ଡିଆ ନିବେଶକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଆଦାନି କହିଛନ୍ତି ଯେ ଆସନ୍ତା‌ ଚାରି ବର୍ଷରେ ଆଦାନି ଗ୍ରୁପ୍‌ ଏହାର ଅକ୍ଷୟ ଶକ୍ତି ଉତ୍ପାଦନରେ ତିନି ଗୁଣା ବୃଦ୍ଧି ଆଣିବ। ସବୁଜ ହାଇଡ୍ରୋଜେନ୍ ଇନ୍ଧନ ଉତ୍ପାଦନ କ୍ଷେତ୍ରରେ ପ୍ରବେଶ କରିବ। ସବୁ ଡାଟା ସେଣ୍ଟର୍‌କୁ ଅକ୍ଷୟ ଶକ୍ତି ଯେଗାଇବ ଏବଂ ଏହା ଅଧୀନରେ ଥିବା ବନ୍ଦରଗୁଡ଼ିକରୁ ନିର୍ଗତ ହେଉଥିବା ଅଙ୍ଗାରକାମ୍ଳକୁ ୨୦୨୫ ସୁଦ୍ଧା ଶୂନ ସ୍ତରକୁ ହ୍ରାସ କରିବ।

ଅକ୍ଷୟ ଶକ୍ତି କ୍ଷେତ୍ରରେ ୭୫ ହଜାର କୋଟି ଟଙ୍କା (୧୦ ବିଲିଅନ ଡଲାର) ନିବେଶ କରିବାକୁ କିଛି ସପ୍ତାହ ପୂର୍ବରୁ ମୁକେଶ ଘୋଷଣା କରିଥିଲେ। ଅକ୍ଷୟ ଶକ୍ତି ଉତ୍ପାଦନ, ଉପକରଣ ନିର୍ମାଣ ଓ ହାଇଡ୍ରୋଜେନ୍ ଇନ୍ଧନ ଉତ୍ପାଦନ କରିବା ଲାଗି କଂପାନି ତିନି ବର୍ଷରେ ଏହି ପୁଞ୍ଜିନିବେଶ କରିବ। ମୁକେଶଙ୍କ କଂପାନି ତୁଳନାରେ ଆଦାନି ଦୁଇ ଗୁଣା ଅଧିକ ନିବେଶ କରିବାର ପ୍ରତିଶ୍ରୁତି ଦେଇଛି। ଦଶ ବର୍ଷ ଭିତରେ ହାଇଡ୍ରୋଜେନ୍ ଇନ୍ଧନ ମୂଲ୍ୟକୁ କିଲୋଗ୍ରାମ ପିଛା ୧ ଡଲାରକୁ ହ୍ରାସ କରିବା ଉପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କାର୍ଯ୍ୟ କରିବ ବୋଲି ମୁକେଶ ଘୋଷଣା କରିଛନ୍ତି। ଆଜି ଆଦାନି କହିଛନ୍ତି ଯେ ତାଙ୍କ କଂପାନି ବିଶ୍ବର ସବୁଠୁ ସୁଲଭ ମୂଲ୍ୟର ହାଇଡ୍ରୋଜେନ୍ ତିଆରି କରିବ। ଏମିତିରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଆଦାନି ଗ୍ରୁପ୍ ବହୁ ବର୍ଷ ଧରି ବ୍ୟବସାୟ କରୁଛି। ପେଟ୍ରୋକେମିକାଲ୍‌ସ କାରବାର ଜରିଆରେ ବିଶାଳ ସାମ୍ରାଜ୍ୟ ଗଠନ କରିଥିବା ମୁକେଶ ଏବେ ସେହି କ୍ଷେତ୍ରରେ ପାଦ ଦେଉଛନ୍ତି। କିନ୍ତୁ ଶିଳ୍ପରେ ବଡ଼ ଧରଣର ବିଭ୍ରାଟ ଆଣିବାରେ ମୁକେଶଙ୍କ ଥିବା କ୍ଷମତାକୁ କେହି ଅସ୍ବୀକାର କରିପାରିବେ ନାହିଁ। ଜିଓ ମାଧ୍ୟମରେ ଟେଲିକମ୍‌ ଶିଳ୍ପର ରୂପରେଖକୁ ସେ ବଦଳାଇ ଦେଇଛନ୍ତି। ତେଣୁ ତାଙ୍କୁ ଆଦାନି ଗ୍ରୁପ୍ ହାଲୁକା ଭାବେ ନେଇପାରିବ ନାହିଁ। ଆଦାନି ଗ୍ରୁପ୍ ପାଖରେ ଏବେ ୪୯୨୦ ମେଗାୱାଟ୍‌ର ଅକ୍ଷୟ ଶକ୍ତି ଉତ୍ପାଦନ କରିବାର କ୍ଷମତା ରହିଛି। ନିକଟ ଭବିଷ୍ୟତରେ ଏହି କ୍ଷମତାରେ ଆଉ ୫,୧୨୪ ମେଗାୱାଟ୍ ଯୋଡ଼ି ହେବ।

ସମ୍ବନ୍ଧିତ ଖବର