ଅମ୍ବାନି ବନାମ ଆଦାନି: ଟେଲିକମ୍ ପରେ ବାୟୋ ଗ୍ୟାସ୍, ଉଭୟ ସଂସ୍ଥା ୬୦୦ କୋଟି ଲେଖାଏଁ ଖଟାଇବେ

ମୁମ୍ବାଇ: ଦେଶର ଦୁଇ ବଡ଼ ଧନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି ଓ ଆଦାନିର ମୁଖ୍ୟ ଗୌତମ ଆଦାନିଙ୍କ ମଧ୍ୟରେ ଲଢ଼େଇ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଅମ୍ବାନିଙ୍କ ବ୍ୟବସାୟ ଯେଉଁ କ୍ଷେତ୍ରରେ ଦୃଢ଼ ରହିଛି ସେହି ସବୁ କ୍ଷେତ୍ର‌ରେ ଆଦାନି ଧୀରେ ଧୀରେ ପ୍ରବେଶ କରୁଛନ୍ତି। ମୋବାଇଲ୍‌ ସେବାକୁ ନେଇ ଉଭୟଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହେବାକୁ ଯାଉଛି। ଉଭୟଙ୍କ ସଂସ୍ଥା ରିଲାଏନ୍ସ ଜିଓ ଓ ଆଦାନି ଡାଟା ନେଟ୍‌ୱର୍କସ୍‌ ୫ଜି ସ୍ପେକ୍ଟ୍ରମ୍ କିଣିଛନ୍ତି। ଏବେ ଆଉ ଏକ କ୍ଷେତ୍ରରେ ଅମ୍ବାନି ବନାମ ଆଦାନି ଲଢ଼େଇ ଦେଖିବାକୁ ମିଳିବ। ସେହି କ୍ଷେତ୍ର ହେଉଛି ବାୟୋ ଗ୍ୟାସ୍। ଅମ୍ବାନି ଓ ଆଦାନି ଏହି କ୍ଷେତ୍ରରେ ୬୦୦ କୋଟି ଟଙ୍କା ଲେଖାଏଁ ନିବେଶ କରିବାକୁ ଯୋଜନା ରଖିଛନ୍ତି।
ଆଦାନିଙ୍କ ସଂସ୍ଥା ଆଦାନି ନିଉ ଇଣ୍ଡଷ୍ଟ୍ରିଜ୍ (ଏଏନ୍‌ଆଇଏଲ୍‌) ଉତ୍ତରପ୍ରଦେଶ ଓ ଗୁଜରାଟରେ ବାର୍ଷିକ ୪୦ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ କମ୍ପ୍ରେସଡ୍‌ ବାୟୋ ଗ୍ୟାସ୍‌ କାରଖାନା ସ୍ଥାପନ କରିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମଧ୍ୟ ସମାନ ଧରଣର ଦୁଇଟି କାରଖାନା ବସାଇବ। କିନ୍ତୁ ଏହା ଏପର୍ଯ୍ୟନ୍ତ ସ୍ଥାନ ଚୟନ କରିନାହିଁ।

କୃଷିଜାତ ବର୍ଜ୍ୟ, ଆଖୁ, କାଦୁଅ, ମୁନିସିପାଲିଟିରୁ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁକୁ କଞ୍ଚାମାଲ ଭାବେ ବ୍ୟବହାର କରି ଉଭୟ ସଂସ୍ଥା ବାୟୋ ଗ୍ୟାସ୍‌ ଉତ୍ପାଦନ କରିବେ। ତାହାକୁ ପାଇପ୍‌ ଜରିଆରେ ଯୋଗାଣ ହେଉଥିବା ନାଚୁରାଲ୍ ଗ୍ୟାସ୍‌ର ବିକଳ୍ପ ଭାବେ ବିଚାର କରାଯାଉଛି। ବା‌ୟୋ ଗ୍ୟାସ୍‌ ଉତ୍ପାଦନରେ ଭାରତ ଆତ୍ମନିର୍ଭରଶୀଳ ହେଲେ ନାଚୁରାଲ୍ ଗ୍ୟାସ୍‌ ଆମଦାନିରେ ଖର୍ଚ୍ଚ ହେଉଥିବା ବିଦେଶୀ ମୁଦ୍ରା ସଞ୍ଚୟ ହୋଇପାରିବ। ଏହା ପୂର୍ବରୁ ପେଟ୍ରୋଲିୟମ୍ କ୍ଷେତ୍ରରେ ଅମ୍ବାନି ଓ ଆଦାନିଙ୍କ ସଂସ୍ଥା ଦୁଇଟି ବଡ଼ ବିଦେଶୀ କଂପାନି ସହିତ ବୁଝାମଣା କରିସାରିଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ବିପି ସହିତ ବୁଝାମଣା ସ୍ବାକ୍ଷର କରାଯାଇଥିବା ବେଳେ ଆଦାନି ଗ୍ରୁପ୍ ଟୋଟାଲ୍ ଗ୍ୟାସ୍‌ ସହିତ ବୁଝାମଣା କରିଛି। ଜିଓ-ବିପି ନାମରେ ଭାରତରେ ୧୪୦୦ରୁ ଅଧିକ ପେଟ୍ରୋଲ୍ ପମ୍ପ୍ ରହିଛି।

ଆଦାନି ଟୋଟାଲ୍ ଗ୍ୟାସ୍‌ ସହରାଞ୍ଚଳରେ ଯୋଗାଣ ହେଉଥିବା ଗ୍ୟାସ୍‌ କ୍ଷେତ୍ରରେ କାମ କରୁଛି। ଉଭୟ ସଂସ୍ଥା ନିଜ ନିଜର ଭିତ୍ତିଭୂମିକୁ ବ୍ୟବହାର କରି କମ୍ପ୍ରେସ୍‌ଡ ବା‌ୟୋ ଗ୍ୟାସ୍ ବିକ୍ରି କରିବାକୁ ଯୋଜନା ରଖିଛନ୍ତି। ବାୟୋ ଗ୍ୟାସ୍‌ର କିଲୋ ପିଛା ଦାମ୍ ୭୦-୭୬ ଟଙ୍କା ରହିଛି। ବାୟୋ ଗ୍ୟାସ୍‌ କାରଖାନାରୁ ଯେଉଁ ଉପ ଉପାଦାନ ବାହାରିବ ତାହାକୁ ସାର ଭାବେ ବ୍ୟବହାର କରାଯାଇପାରିବ। ବାୟୋ‌ ଗ୍ୟାସ୍‌ ଉତ୍ପାଦନ ବଢ଼ାଇବା ଲାଗି ୨୦୧୮ ଅକ୍ଟୋବରରେ କେନ୍ଦ୍ର ସରକାର ଏକ ସ୍କିମ୍ ଘୋଷଣା କରିଥିଲେ। ୨୦୨୨-୨୩ ଶେଷ ସୁଦ୍ଧା ଦେଶରେ ୫୦୦୦ କମ୍ପ୍ରେସଡ୍‌ ବା‌ୟୋ ଗ୍ୟାସ୍ କାରଖାନା ସ୍ଥାପନ କରିବା ଲାଗି ସେଥିରେ ଲକ୍ଷ୍ୟ ରଖାଯାଇଛି। ବାୟୋ ଗ୍ୟାସ୍‌ରେ ୬୦% ମିଥେନ୍ ରହୁଥିବା ବେଳେ ୪୦-୪୫% ଅଙ୍ଗାକାମ୍ଳ ଗ୍ୟାସ୍‌ ଓ ହାଇଡ୍ରୋଜେନ୍‌ ସଲ୍‌ଫାଇଡ୍‌ ରହୁଛି।

ସମ୍ବନ୍ଧିତ ଖବର