ପୁଣି ଫେରିବ ଆମ୍ବାସାଡର କାର, ଇଲେକ୍ଟ୍ରିକ୍ ଭର୍ସନ୍ ବି ଆସିପାରେ

ନୂଆଦିଲ୍ଲୀ : ଦିନେ ସମଗ୍ର ଭାରତୀୟ ସଡ଼କରେ ରାଜ୍ କରୁଥିବା ଆମ୍ବାସାଡର କାର ପୁଣି ଫେରିବ । ଆସନ୍ତା ଦୁଇ ବର୍ଷରେ ଏକ ନୂଆ ରୂପରେ ଫେରିବ କିମ୍ବଦନ୍ତି ପାଲଟିଥିବା ଏହି କାର ।

ଏହି କାରକୁ  ପୁଣି ବଜାରକୁ ଆଣିବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ହିନ୍ଦ୍ ମୋଟର୍ସ ଫାଇନାନ୍ସ କର୍ପୋରେସନ ଓ ଫ୍ରାନ୍ସର କାର କମ୍ପାନି ପିଉଜିଆଟ୍ । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଏହି ନୂଆ ମଡେଲ ହିନ୍ଦୁସ୍ତାନ ମୋଟର୍ସର ଚେନ୍ନାଇ ପ୍ଲାଣ୍ଟରେ ଉତ୍ପାଦନ ହେବ । ଏହି କାରର ଇଂଜିନ, ଡିଜାଇନ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ହିନ୍ଦୁସ୍ତାନ ମୋଟର୍ସର ସିଇଓ ଉତ୍ତମ ବୋଷ କହିଛନ୍ତି ।

ଦେଶର ସବୁଠାରୁ ପୁରୁଣା କାର କମ୍ପାନିଭାବେ ଜଣାଶୁଣା ହିନ୍ଦୁସ୍ତାନ ମୋଟର୍ସ ୨୦୧୪ରେ ଆମ୍ବାସାଡର କାରର ଉତ୍ପାଦନ ବନ୍ଦ କରିଦେଇଥିଲା । ଆମ୍ବାସାଡର କାରର ଚାହିଦା କମିବା ସହ କମ୍ପାନିର ଋଣଭାର ବଢିଯାଇଥିଲା। ଏହା ଫଳରେ ବାଧ୍ୟ ହୋଇ କମ୍ପାନି ଉତ୍ପାଦନ ବନ୍ଦ କରିଥିଲା । ପରେ ହିନ୍ଦୁସ୍ତାନ ମୋଟର୍ସ ଆମ୍ବାସାଡର କାର ବ୍ରାଣ୍ଡକୁ ଫ୍ରାନ୍ସର କାର କମ୍ପାନି ପିଉଜିଆଟକୁ ୮୦ କୋଟି ଟଙ୍କାରେ ବିକ୍ରି କରିଦେଇଥିଲା । ସେହି ଦିନଠାରୁ ଏହି ବ୍ରାଣ୍ଡକୁ ପୁଣି ସ୍ଥାପିତ କରିବାକୁ ପିଉଜିଆଟ୍ ଉଦ୍ୟମ ଚଳାଇଛି । ପୂର୍ବରୁ ଆସିଥିବା କେତେକ ରିପୋର୍ଟ ଅନୁସାରେ ଆମ୍ବାସାଡରର ଇଲେକ୍ଟ୍ରିକ ଭର୍ସନ ମଧ୍ୟ ବଜାରକୁ ଛାଡ଼ିବାକୁ କମ୍ପାନି ଉଦ୍ୟମ କରୁଛି ।

 

 

ସମ୍ବନ୍ଧିତ ଖବର