ଆମେରିକା ଫେଡେରାଲ୍‌ ରିଜର୍ଭ ମୁଖ୍ୟ ପଦ ପାଇଁ ଚର୍ଚାରେ ରାଜନ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ନେଇ ପୁଣି ଥରେ ଚର୍ଚା ଆରମ୍ଭ ହୋଇଛି। ଏଥର ଏକ ବଡ଼ କାରଣ ପାଇଁ। ରାଜନ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ‘ଆମେରିକା ଫେଡେରାଲ୍‌ ରିଜର୍ଭ’ର ମୁଖ୍ୟ ହୋଇପାରନ୍ତି ବୋଲି ଏକ ପତ୍ରିକା ପୂର୍ବାନୁମାନ କରିଛି। ବାରୋନସ୍‌ ନାମକ ଆର୍ଥିକ ପତ୍ରିକାରେ ପ୍ରକାଶ ପାଇଥିବା ଏକ ଲେଖାରେ କୁହାଯାଇଛି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଖୁବ୍‌ଶୀଘ୍ର ଫେଡେରାଲ୍‌ ରିଜର୍ଭ ନୂଆ ମୁଖ୍ୟଙ୍କ ନାମ ଘୋଷଣା କରିବେ। ଏବେ ଏହାର ମୁଖ୍ୟ ଭାବେ ଜାନେଟ୍‌ ୟାଲେନ୍‌ କାମ କରୁଛନ୍ତି। ତାଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ପ୍ରାରମ୍ଭିକ ପର୍ଯ୍ୟାୟରେ ଶେଷ ହେବ।

ରାଜନଙ୍କୁ ଫେଡେରାଲ୍‌ ରିଜର୍ଭର ନୂଆ ମୁଖ୍ୟ ଭାବେ ନିଯୁକ୍ତ କରିବା ପାଇଁ ଦାବି କରି ଏହି ନିବନ୍ଧରେ ଲେଖାଯାଇଛି ଯେ ଯଦି କ୍ରୀଡ଼ା ଟିମ୍‌ରେ ବିଶ୍ୱର ଶ୍ରେଷ୍ଠ ପ୍ରତିଭାମାନଙ୍କୁ ନିଯୁକ୍ତ କରାଯାଉଛି, ତେବେ କେନ୍ଦ୍ରୀୟ ବ୍ୟାଙ୍କ କ୍ଷେତ୍ରରେ ସେଭଳି କାହିଁକି ନ ହେବ? ଏଥିରେ ଲେଖାଯାଇଛି ଯେ ସାମ୍ପ୍ରତିକ ସ୍ଥିତିରେ ଫେଡେରାଲ୍‌ ରିଜର୍ଭର କାର୍ଯ୍ୟଭାର ସମ୍ଭାଳିବା ପାଇଁ ଭଲ ପ୍ରାର୍ଥୀ ନାହାନ୍ତି। ୨୦୧୩ରେ ରାଜନଙ୍କୁ ଉପା ସରକାର ଅମଳରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ନିଯୁକ୍ତ କରାଯାଇଥିଲା। ଯଦିଓ ସେ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଆଗ୍ରହୀ ଥିଲେ କିନ୍ତୁ ତାଙ୍କୁ ସେହି ସୁଯୋଗ ମିଳିନଥିଲା। ଆର୍‌ବିଆଇ ଗଭର୍ଣ୍ଣର ଭାବେ କାମ କରୁଥିବା ବେଳେ ସରକାରଙ୍କ ନୀତିକୁ ସମାଲୋଚନା କରି ସେ ଅନେକ ଥର ଚର୍ଚାର ପରିସରକୁ ଆସିଥିଲେ। ବୋଧହୁଏ ସେହି କାରଣ ଯୋଗୁଁ ଏବେର ସରକାର ତାଙ୍କୁ ଗଭର୍ଣ୍ଣର ଭାବେ ଦ୍ୱିତୀୟ ପାଳି ପ୍ରଦାନ କରିବାକୁ ଅମଙ୍ଗ ହୋଇଥିଲେ। ଏବେ ସେ ଚିକାଗୋ ବିଶ୍ୱବିଦ୍ୟାଳୟର ବୁଥ୍‌ ସ୍କୁଲ ଅଫ୍‌ ବିଜନେସ୍‌ରେ ପ୍ରଫେସର ଭାବେ ପାଠ ପଢ଼ାଉଛନ୍ତି।

ସମ୍ବନ୍ଧିତ ଖବର