ଆମେରିକା ସରକାରରେ ଅଚଳାବସ୍ଥା

ସିନେଟ୍‌ରେ ଗୃହୀତ ହୋଇପାରିଲାନି ବିଲ୍‌, ଦରମା ନପାଇ ଘରେ ବସିବେ ୮.୫ ଲକ୍ଷ କର୍ମଚାରୀ

ଓ୍ଵାସିଂଟନ୍‌: ଆମେରିକା ସରକାରରେ ବଡ଼ ଧରଣର ଅଚଳାବସ୍ଥା ସୃଷ୍ଟି ହୋଇଛି। ଗତ ଶୁକ୍ରବାର ମଧ୍ୟରାତ୍ରିରେ ସମୟସୀମା ଶେଷ ହେବା ପୂର୍ବରୁ ଆମେରିକା କଂଗ୍ରେସ ବିଲ୍‌ ଗୃହୀତ କରିବାରେ ବିଫଳ ହେବାକୁ ସରକାରୀ କର୍ମଚାରୀମାନଙ୍କୁ ବିନା ବେତନରେ କାର୍ଯ୍ୟ କରିବା ପରିସ୍ଥିତି ସୃଷ୍ଟି ହୋଇଛି। ଆମେରିକା ସରକାରଙ୍କୁ ଆସନ୍ତା ଫେବ୍ରୁଆରି ୧୬ ତାରିଖ ପର୍ଯ୍ୟନ୍ତ ପାଣ୍ଠି ଯୋଗାଣ ନେଇ ଏହି ବିଲ୍‌ରେ ବ୍ୟବସ୍ଥା ରହିଥିଲା। ବିଲ୍‌ଟି ଗୃହୀତ ହେବା ପାଇଁ ସିନେଟ୍‌ର ୬୦ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ଥିବାବେଳେ ୫୦ ଜଣ ଏହାକୁ ସମର୍ଥନ କରିଥିଲେ। ଉଭୟ ଆମେରିକା କଂଗ୍ରେସ ଓ ହ୍ଵାଇଟ୍‌ ହାଉସ୍‌ ସମାନ ଦଳ ରିପବ୍ଲିକାନ୍‌ ଅଧୀନରେ ଥିବାବେଳେ ଏଭଳି ପରିସ୍ଥିତି ଉପୁୁଜିଛି।ଡେମୋକ୍ରାଟିକ ଦଳ ଆମେରିକୀୟଙ୍କ ସ୍ୱାର୍ଥ ପରିବର୍ତେ ରାଜନୀତିକୁ ଅଧିକ ପ୍ରାଧାନ୍ୟ ଦେଉଥିବାରୁ ଏପରି ହୋଇଛି ବୋଲି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଡେମୋକ୍ରାଟିକ୍‌ ଦଳର ବରିଷ୍ଠ ସିନେଟ୍‌ ସଦସ୍ୟ ଚୁକ୍‌ ସ୍କୁମର୍‌ ଏଥିପାଇଁ ରାଷ୍ଟ୍ରପତିଙ୍କୁ ଟ୍ରମ୍ପ୍‌ଙ୍କୁ ଦୋଷାରୋପ କରିଛନ୍ତି। ରାଷ୍ଟ୍ରପତି ଡୋନାଲ୍‌ ଟ୍ରମ୍ପଙ୍କ ଶାସନର ୧ ବର୍ଷ ପୂର୍ତ୍ତି ଅବସରରେ ଏଭଳି ଅସୁବିଧା ଆମେରିକାର ସରକାରୀ କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି। ଆମେରିକା ପ୍ରଶାସନରେ କାର୍ଯ୍ୟରତ ମୋଟ ୩୫ ଲକ୍ଷ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ସାଢ଼େ ଆଠ ଲକ୍ଷ କର୍ମଚାରୀ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଗତ ୫ ବର୍ଷ ମଧ୍ୟରେ ଆମେରିକାରେ ଦ୍ୱିତୀୟ ଥର ପାଇଁ ଏଭଳି ସ୍ଥିତି ଦେଖାଦେଇଛି। ଶେଷଥର ପାଇଁ ୨୦୧୩ ମସିହା ଅକ୍ଟୋବର ମାସରେ ଆମେରିକାରେ ସମାନ ପ୍ରକାରର ଅବସ୍ଥା ୧୫ ଦିନ ପାଇଁ ଦେଖାଦେଇଥିଲା। ସେତେବେଳେ ପ୍ରାୟ ୮ ଲକ୍ଷ କର୍ମଚାରୀ ପ୍ରଭାବିତ ହୋଇଥିଲେ। ଚଳିତଥର ପୁଣି ସମାନ ଧରଣର ଅସୁବିଧା ଦେଖାଦେଇଛି। ଆମେରିକା କଂଗ୍ରେସରେ ସରକାରଙ୍କୁ ଖର୍ଚ ପ୍ରଦାନ ଅନୁମତି ସଂକ୍ରାନ୍ତ ବିଲ୍‌ ଗୃହୀତ ନହେବା ଯାଏ ଏଭଳି ପରିସ୍ଥିତି ଜାରି ରହିବ।

ସୂଚନା ଅନୁଯାୟୀ ଆମେରିକା କଂଗ୍ରେସରେ ବଜେଟ୍‌ ସଂକ୍ରାନ୍ତ ବିଲ୍‌ଟି ଗୃହୀତ ନହେଲେ ୩୫ ଲକ୍ଷ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ସାଢ଼େ ୮ ଲକ୍ଷ କର୍ମଚାରୀ ବିନା ଦରମାରେ ଘରେ ବସିବେ। ଆମେରିକା ସେନାରେ ସକ୍ରିୟ ଦାୟିତ୍ୱ ନିର୍ବାହ କରୁଥିବା ସବୁ ସାମରିକ କର୍ମଚାରୀ ସେମାନଙ୍କ ଦାୟିତ୍ୱ ସମ୍ପାଦନ କରିବେ ବୋଲି ପେଣ୍ଟାଗନ୍‌ ପକ୍ଷରୁ ନିର୍ଦେଶ ଦିଆଯାଇଛି। କିନ୍ତୁ ସେନା ଓ ପ୍ରତିରାକ୍ଷା ବିଭାଗରେ କାର୍ଯ୍ୟ କରୁଥିବା ବେସାମରିକ କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ ଘରେ ବିନା ଦରମାରେ ବସି ରହିବେ। ସେହିଭଳି ସୀମାରେ ପାଟ୍ରୋଲିଂ କରୁଥିବା କର୍ମଚାରୀ, ଆପ୍ରବାସନ ଓ ସୀମା ଶୁଳ୍କ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ମଧ୍ୟ କାର୍ଯ୍ୟ କରିବେ। ଏହି କର୍ମଚାରୀମାନେ ଆମେରିକାକୁ ଜଳ, ସ୍ଥଳ ଓ ଆକାଶ ମାର୍ଗରେ ପ୍ରବେଶ କରୁଥିବା ଲୋକମାନଙ୍କୁ ଯାଞ୍ଚ କରିଥନ୍ତି। ହ୍ଵାଇଟ୍‌ ହାଉସ୍‌, କଂଗ୍ରେସ, ସଂଘୀୟ ଅଦାଲତ ଆଦି ପୂର୍ବଭଳି କାର୍ଯ୍ୟ ଜାରି ରଖିବେ। ସେହିଭଳି ଆମେରିକାର ଡାକ ବିଭାଗ ମଧ୍ୟ ମେଲ୍‌ ସେବା ଜାରି ରଖିବ। କିନ୍ତୁ ଆମେରିକାର ରାଜଧାନୀ ଓ୍ଵାସିଂଟନ୍‌ର କାର୍ଯ୍ୟ ପ୍ରଭାବିତ ହେବ। ରାସ୍ତା ସଫେଇ ଓ ପାଠାଗାର ଆଦି ବନ୍ଦ ରହିବ। କିନ୍ତୁ ସ୍କୁଲ ଓ ସରକାରୀ ପରିବହନ ସେବା ଚାଲିବ।
ପ୍ରଭାବିତ ହେବ କେଉଁସବୁ ସେବା
ପାର୍କ ଓ ସଂଗ୍ରହାଳୟ
ବର୍ତମାନର ଅସ୍ଥାୟୀ ଯୋଜନା ଅନୁଯାୟୀ ଦେଶରେ ପାର୍କ ଓ ସଂଗ୍ରହାଳୟ ଗୁଡ଼ିକ ଖୋଲା ରହିବ। କିନ୍ତୁ ସରକାରୀ କର୍ମଚାରୀମାନଙ୍କ ସ୍ଥାନରେ କିଛି ଘରୋଇ ଠିକାଦାରଙ୍କ ମାଧ୍ୟମରେ ଏହି କାର୍ଯ୍ୟ ସମ୍ପାଦନ ହେବ। ଯେଉଁ ଘରୋଇ ଠିକାଦାରମାନେ ଖାଦ୍ୟ ଓ ଅନ୍ୟ ସେବା ଯୋଗାଇ ଦିଅନ୍ତି ସେମାନେ ରକ୍ଷଣାବେକ୍ଷଣ କାର୍ଯ୍ୟ କରିବେ।
ସ୍ୱାସ୍ଥ୍ୟସେବା
ଦେଶରେ ସ୍ୱାସ୍ଥ୍ୟସେବା ପ୍ରଭାବିତ ହେବ। ବିଭିନ୍ନ ରୋଗର ନିୟନ୍ତ୍ରଣ ଓ ନିରାକରଣ କାର୍ଯ୍ୟ ମନ୍ଥର ହେବ। ରୋଗ ନିୟନ୍ତ୍ରଣ କେନ୍ଦ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୬୧ ପ୍ରତିଶତ କର୍ମଚାରୀ ଦରମା ନପାଇ ଘରେ ବସି ରହିବେ। ସେହିଭଳି ଅନେକ ଗବେଷଣା ଭିତ୍ତିକ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର କାର୍ଯ୍ୟ ମଧ୍ୟ ବ୍ୟାହତ ହେବ।
ବିଭିନ୍ନ ସରକାରୀ ସେବା
ବିଭିନ୍ନ ପ୍ରକାର ସରକାରୀ ଏଜେନ୍ସିଙ୍କ ସେବା ବନ୍ଦ ରହିବ। ଏଥିରେ ଆଭ୍ୟନ୍ତରୀଣ ରାଜସ୍ୱ ସେବା, ସାମାଜିକ ନିରାପତ୍ତା ପ୍ରଶାସନ, ଗୃହ ଓ ନଗର ଉନ୍ନୟନ ବିଭାଗ, ଶିକ୍ଷା ବିଭାଗ, ବାଣିଜ୍ୟ ବିଭାଗ, ଶ୍ରମ ବିଭାଗ ଓ ପରିବେଶ ସୁରକ୍ଷା ଏଜେନ୍ସି ଗୁଡ଼ିକ ପ୍ରାୟତଃ ବନ୍ଦ ରହିବ।
ପ୍ରଭାବିତ ହେବନି ବିମାନସେବା
ଆମେରିକାର ବିମାନସେବା ପ୍ରଶାସନ କାର୍ଯ୍ୟ ଜାରି ରଖିବ। ଏହି ସଂସ୍ଥା ଦେଶରେ ବିମାନ ଟ୍ରାଫିକ୍‌ ନିୟନ୍ତ୍ରଣ କରିଥାଏ। ଯାତ୍ରୀଙ୍କ ପାଇଁ ବିମାନ ବନ୍ଦର ଗୁଡ଼ିକ ମଧ୍ୟ ଖୋଲା ରହିବ। ୨୦୧୮ ଏବଂ ୨୦୧୩ ମସିହାର ଅଚଳାବସ୍ଥା ପୂର୍ବରୁ ଆମେରିକାରେ ୧୯୯୫ ଡିସେମ୍ବରରୁ ୧୯୯୬ ଜାନୁଆରି ଏବଂ ୧୯୯୫ ମସିହା ନଭେମ୍ବରରେ ଏଭଳି ପରିସ୍ଥିତି ଉପୁଜିଥିଲା। ତତ୍କାଳୀନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନଙ୍କ ସମୟରେ ଏହି ସମସ୍ୟା ଦେଖାଦେଇଥିଲା। ପ୍ରଥମେ ୩ ସପ୍ତାହ ଓ ପରେ ୫ ଦିନ ପାଇଁ ସରକାରରେ ଅଚଳାବସ୍ଥା ଦେଖାଦେଇଥିଲା। ଆମେରିକା ସରକାରରେ ଦେଖାଦେଇଥିବା ଏହି ଅବସ୍ଥା ଭାରତ ସମେତ ବିଶ୍ୱର ଅନ୍ୟାନ୍ୟ ଦେଶର ଅର୍ଥନୀତି ଉପରେ ପଡ଼ିବା ଆଶଙ୍କା ରହିଛି। ତେବେ ଏହାର ମାତ୍ରା କେତେ ରହିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର