ନୂଆଦିଲ୍ଲୀ: ବାଣିଜ୍ୟ ବୁଝାମଣା ଲାଗି ଉଦ୍ୟମ କରୁଥିବା ଦେଶଗୁଡ଼ିକୁ ଆମେରିକା ଚରମବାଣୀ ଶୁଣାଇଛି। ପାଲଟା ଟିକସ ଲଗାଇବା ଲାଗି ଧାର୍ଯ୍ୟ କରାଯାଇଥିବା ଅଗଷ୍ଟ ୧ ମହଲତ ଆଉ ବଢ଼ିବନି ବୋଲି ଆମେରିକା ବାଣିଜ୍ୟ ମନ୍ତ୍ରୀ ହୋୱାର୍ଡ ଲୁଟ୍‌ନିକ୍ କହିଛନ୍ତି। ଅଗଷ୍ଟ ପହିଲାରୁ ସୀମା ଶୁଳ୍କ ଅଧିକାରୀମାନେ ଟିକସ ଆଦାୟ ଆରମ୍ଭ କରିବେ। ଆଉ କୌଣସି ଅତିରିକ୍ତ ସମୟ ଦିଆଯିବ ନାହିଁ ବୋଲି ‌ସେ ସ୍ପଷ୍ଟ କରିଛନ୍ତି। 

Advertisment

ଆମେରିକା ସହ ବାଣିଜ୍ୟ ରାଜିନାମା କରିବା ଲାଗି ୟୁରୋପୀୟ ସଂଘ (ଇୟୁ) ଉପରେ ପ୍ରବଳ ଚାପ ରହିଛି। ଇୟୁ ଉପରେ ୩୦ ପ୍ରତିଶତ ଟିକସ ଲଗାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେଇଛନ୍ତି। ନିର୍ଧାରିତ ସମୟ ପୂର୍ବରୁ ଏହି ରାଜିନାମା ହେବାର ସମ୍ଭାବନା ୫୦:୫୦ ରହିଥିବା ଲୁଟ୍‌ନିକ୍ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ବ୍ରିଟେନ୍‌, ଭିଏତ୍‌ନାମ, ଇଣ୍ଡୋନେସିଆ, ଫିଲିପାଇନ୍ସ ଓ ଜାପାନ ପକ୍ଷରୁ ଆମେରିକା ସହ ବାଣିଜ୍ୟ ରାଜିନାମା ସ୍ବାକ୍ଷର କରାଯାଇଛି। ଭାରତ ସରକାର ମଧ୍ୟ ଆମେରିକା ସହ ମୁଲଚାଲ ଜାରି ରଖିଛନ୍ତି। କିନ୍ତୁ ଅଗଷ୍ଟ ୧ ଆଉ ଅଳ୍ପ ଦିନ ବାକି ଥିବା ବେଳେ ସେହି ସମୟ  ଭିତରେ କୌଣସି ରାଜିନାମା ହେବାର ସମ୍ଭାବନା କମ୍ ରହିଛି।

ଦୁଗ୍ଧଜାତ ଓ କୃଷିଜାତ ସାମଗ୍ରୀ ଲାଗି ନିଜ ବଜାର ଖୋଲିବାକୁ ଭାରତ ଉପରେ ଆମେରିକା ଚାପ ପକାଉଛି। ସେଥିରେ ଭାରତ ରାଜି ହେଉନାହିଁ। ସେଥିପାଇଁ ଉଭୟ ପକ୍ଷ ମଧ୍ୟରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରୁନି। ଇତି ମଧ୍ୟ‌ରେ ବ୍ରିଟେନ୍ ସହ ଭାରତ ଏହାର ଐତିହାସିକ ବାଣିଜ୍ୟ ଚୁକ୍ତି ସ୍ବାକ୍ଷର କରିଛି। ଭାରତ ଉପରେ ଆମେରିକା ୨୬ ପ୍ରତିଶତ ପାଲଟା ଟିକସ ଲଗାଇବାକୁ ଘୋଷଣା କରିଥିଲା। ତେଣୁ ଅଗଷ୍ଟ ୧ରୁ ତାହା ଲାଗୁ ହେଉଛି ନା ନାହିଁ, ସେହି ସମୟ ଆସିଲେ ଜଣାପଡ଼ିବ।