ବିକଳ୍ପ ତେଲ ଯୋଗାଣରେ ଭାରତକୁ ସହଯୋଗ କରିବ ଆମେରିକା

ନ୍ୟୁୟର୍କ: ଇରାନ ବିରୋଧରେ ଆମେରିକାର ଦ୍ବିତୀୟ ପର୍ଯାୟ କଟକଣା ଆସନ୍ତା ନଭେମ୍ବର ୪ରୁ କାର୍ଯ୍ୟକାରୀ ହେବ। ଏଥିରେ ଇରାନଠାରୁ ଅନ୍ୟ ଦେଶମାନଙ୍କୁ ପେଟ୍ରୋଲିୟମ ଉତ୍ପାଦ କିଣିବାକୁ ବାରଣ କରାଯାଇଛି। ତେବେ ଭାରତ ବିଶ୍ବର ଏକ ବୃହତ୍ ତୈଳ ଆମଦାନିକାରୀ ରାଷ୍ଟ୍ର ହୋଇଥିବା ବେଳେ ଇରାନଠାରୁ ହିଁ ବହୁ ଅଧିକ ତେଲ କିଣିଥାଏ। ଆମେରିକାର କଟକଣା ଦ୍ବାରା ଭାରତ ସାଂଘାତିକ ମାତ୍ରାରେ ପ୍ରଭାବିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଆମେରିକା ପକ୍ଷରୁ କୁହାଯାଇଛି, ବନ୍ଧୁ ରାଷ୍ଟ୍ର ଭାରତକୁ ଯେଭଳି ବିକଳ୍ପ ଇନ୍ଧନ ଯୋଗାଣ କରାଯାଇ ପାରିବ ସେ ନେଇ ଆଲୋଚନା ଚାଲିଛି। ଭାରତକୁ କିଭଳି ବିକଳ୍ପ ଉପାୟରେ ତେଲ ଯୋଗାଣ ହୋଇପାରିବ ତାହା ଉପରେ ଆଲୋଚନା ଚାଲିଛି ବୋଲି ଦକ୍ଷିଣ ଓ କେନ୍ଦ୍ରୀୟ ଏସିଆ ଅଞ୍ଚଳ ପାଇଁ ନିଯୁକ୍ତ ଆମେରିକାର ପ୍ରିନ୍ସପାଲ ଡେପୁଟି ଆସିଷ୍ଟାଣ୍ଟ ସେକ୍ରେଟାରି ଏଲସି ୱେଲସ କହିଛନ୍ତି। ଆମେରିକା ଦ୍ବାରା ଲାଗୁ କରାଯାଇଥିବା କଟକଣାକୁ ଜାତିସଂଘ ଏପର୍ଯ୍ୟନ୍ତ ସ୍ବୀକୃତି ଦେଇନାହିଁ। ଏହା ସତ୍ତ୍ବେ ଯେଉଁ ରାଷ୍ଟ୍ର ଆମେରିକାର କଟକଣାକୁ ନମାନିବ ସେହି ଦେଶକୁ ଆମେରିକାର ଆର୍ଥିକ ସହାୟତା ମିଳିବ ନାହିଁ। ଆମେରିକା ସେହି ଦେଶ ବିରୋଧରେ ମଧ୍ୟ କଟକଣା ଲାଗୁ କରିବା ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର