ଆମେରିକା-ଇରାନ ବିବାଦ, ତେଲକୁ ନେଇ ଚିନ୍ତା ବଢ଼ିଲା

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଏବେ ସମ୍ପର୍କ ବିଗିଡ଼ିବାରେ ଲାଗିଛି। ବି‌ଶେଷକରି ଆମେରିକାର ଏକ ସୁରକ୍ଷା ଡ୍ରୋନକୁ ଇରାନ୍ ଗୁଳି କରି ଖସାଇ ଦେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ଟ୍ରମ୍ପଙ୍କ ଏହି କଡ଼ା ଆଭିମୁଖ୍ୟ ଏବେ ବିଶ୍ବବ୍ୟାପୀ ଚର୍ଚାର ବିଷୟ ପାଲଟିଥିବାବେଳେ ଭାରତ ପାଇଁ ଏହା ଚିନ୍ତାର କାରଣ ପାଲଟିଛି।  ମୋଦୀ ୨.୦ ସରକାର କ୍ଷମତାକୁ ଆସିବା ପରେ ନୂଆ ନିଯୁକ୍ତି ସୃଷ୍ଟି କରିବା ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଏବଂ ବିଭିନ୍ନ ସାମାଜିକ ମଙ୍ଗଳ ଯୋଜନା କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି। ନୂଆ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ମାସ ୫ ତାରିଖରେ ଆଗତ କରିବେ। ତେଣୁ ହର୍ମୁଜ ଷ୍ଟ୍ରେଟ୍‌ରେ କୌଣସି ପ୍ରକାର ଅସୁବିଧା ଦେଖାଦେଲେ ତାହାର ପ୍ରଭାବ ତେଲ ପରିବହନ ଉପରେ ପଡ଼ିବ। ବର୍ତମାନ ସୁଦ୍ଧା ତେଲ ଦର ସ୍ଥିର ରହିଛି। କିନ୍ତୁ ଆଗାମୀ ଦି‌ନରେ ଏହି କାରଣରୁ ତେଲ ଦର ବଢ଼ିବାର ଆଶଙ୍କା ଯଥେଷ୍ଟ ରହିଛି।

ତେଲ ଦର ସ୍ଥିର ରହିଲେ ସରକାର ସ୍ବଚ୍ଛ ଭାରତ, ସମସ୍ତଙ୍କ ପାଇଁ ଘର, ସ୍ବାସ୍ଥ୍ୟ, ବିଜୁଳି, ଗରିବଙ୍କୁ ମାଗଣା ଏନପିଜି ସଂଯୋଗ ଆଦି ଜନହିତକର ଯୋଜନାରେ ଅଧିକ ଅର୍ଥ ଖର୍ଚ କରିବାକୁ ସମର୍ଥ ହେବେ। କିନ୍ତୁ ଯଦି ତେଲ ଦର ବୃଦ୍ଧି ଘଟେ ତାହେଲେ ସରକାରଙ୍କ ଉପରେ ଏହାର ପ୍ରଭାବ ପଡ଼ିବ। ତେଲ ଆମଦାନୀ ବାବଦରେ ସରକାରଙ୍କୁ ଅଧିକ ଆର୍ଥିକ ବୋଝ ବହନ କରିବାକୁ ହେବ। ରେଟିଂ ଏଜେନ୍ସିଙ୍କ ରିପୋର୍ଟ ଅନୁଯାୟୀ, ଅଶୋଧିତ ତେଲ ଦର ବ୍ୟାରେଲ ପିଛା ଯଦି ୧୦ ଡଲାର ବୃଦ୍ଧି ଘଟେ ତାହେଲେ ଜିଡିପି ୦.୪ ପ୍ରତିଶତ ହ୍ରାସ ପାଇବ। ଏଥିସହିତ ଚଳନ୍ତି ଖାତା ନିଅଣ୍ଟ ରାଶିରେ ୧୨ ବିଲିଅନ ଡଲାର ବୃଦ୍ଧି ଘଟିବ। ଅଶୋଧିତ ତେଲ ଆମଦାନୀ ବାବଦରେ ସରକାରଙ୍କୁ ଅଧିକ ଅର୍ଥ ଖର୍ଚ କରିବାକୁ ହେଲେ ବିଦେଶୀ ମୁଦ୍ରା ଭଣ୍ଡାରରେ ମହଜୁଦ ରାଶି ହ୍ରାସ ପାଇବ। ତେଲ ଦର ବୃଦ୍ଧି ନେଇ ଗତ ଶୁକ୍ରବାର ଭାରତ ଚିନ୍ତା ବ୍ୟକ୍ତ କରିଥିଲା। ଓପେକ୍‌ର ପ୍ରମୁଖ ସଦସ୍ୟ ସାଉଦି ଆରବକୁ ତେଲ ଦର ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସକ୍ରିୟ ଭୂମିକା ଗ୍ରହଣ କରିବା ନିମନ୍ତେ ଭାରତ କହିଥିଲା। ଆମେରିକା ଏବଂ ଇରାନ ମଧ୍ୟରେ ନିକଟରେ ଉତ୍ତେଜନା ବୃଦ୍ଧି ପାଇବା କାରଣରୁ ଅଶୋଧିତ ତେଲ ଦରରେ ୫ ପ୍ରତିଶତ ବୃଦ୍ଧି ଦେଖାଦେଇଛି, ଯାହା କି ଗତ ଜାନୁଆରି ପରଠାରୁ ସର୍ବାଧିକ ବୃଦ୍ଧି। ହର୍ମୁଜ ଷ୍ଟ୍ରେଟ୍ ବା ଜଳମାର୍ଗ ଇରାନ ଏବଂ ୟୁଏଇ ମଧ୍ୟ ଦେଇ ଯାଇଛି। ଏହି ମାର୍ଗରେ ବିଶ୍ବର ୨୦ ପ୍ରତିଶତ ଅଶୋଧିତ ତେଲ ଏବଂ ବିଶୋଧିତ ପେଟ୍ରୋଲିୟମ ଉତ୍ପାଦ ଯାତାୟାତ ହୋଇଥାଏ। ଏହି ବାଟରେ ୨୫ ପ୍ରତିଶତ ଏଲଏନଜି ମଧ୍ୟ ଯୋଗାଣ ହୋଇଥାଏ। ଭାରତ ଏହାର ମୋଟ ଅଶୋଧିତ ତେଲ ଚାହିଦାର ପ୍ରାୟ ୮୩ ପ୍ରତିଶତ ଆମଦାନୀ ମାଧ୍ୟମରେ ପୂରଣ କରିଥାଏ।

ସମ୍ବନ୍ଧିତ ଖବର