ଡଲାର ବଳରେ ଆମେରିକା ବଳିୟାନ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ସବୁଠୁ ଶକ୍ତିଶାଳୀ ଦେଶ। ଦୁନିଆ ଉପରେ ରାଜୁତି କରିବା ପାଇଁ ଏହା ପାଖରେ ଯେଉଁ ଅମୋଘ ଅସ୍ତ୍ର ରହିଛି ତାହା ଅନ୍ୟ କୌଣସି ଦେଶ ପାଖରେ ନାହିଁ। ସେହି ଅସ୍ତ୍ରଟି ହେଉଛି ଡଲାର। ବିଶ୍ୱରେ ହେଉଥିବା ଅଧାରୁ ଅଧିକ କାରବାର ଡଲାର ଜରିଆରେ ହେଉଛି। ଦେଶଦେଶ ଭିତରେ ହେଉଥିବା କାରବାରଗୁଡ଼ିକ ମୁଖ୍ୟତଃ ଡଲାରରେ ହୋଇଥାଏ। ସେଥିପାଇଁ ଡଲାର ସାରା ବିଶ୍ୱରେ ଏକ ଶକ୍ତିଶାଳୀ ମୁଦ୍ରା। ପୂର୍ବରୁ ଡଲାର ଏତେ ଶକ୍ତିଶାଳୀ ନଥିଲା। ୧୯୪୪ ମସିହାରେ ହୋଇଥିବା ବ୍ରିଟନ୍‌ ଉଡସ୍‌ ଚୁକ୍ତି ପରେ ସବୁ କିଛି ବଦଳିଯାଇଥିଲା। ୧୯୭୧ରେ ଡଲାର ଓ ସୁନା ଭିତରେ ଥିବା ସମ୍ପର୍କ ଛିନ୍ନ ହୋଇଯିବା ପରେ ଡଲାର ହୋଇଯାଇଥିଲା ସର୍ବଶକ୍ତିମାନ। ସାରା ଦୁନିଆ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଏହା ଆମେରିକାକୁ ଦେଲା ଅଖଣ୍ଡ କ୍ଷମତା। ଯେହେତୁ ଆନ୍ତର୍ଜାତିକ ସ୍ତରରେ କାରବାର କରିବା ପାଇଁ ଡଲାର ଦରକାର ହୋଇଥାଏ, ସେଥିପାଇଁ ପ୍ରାୟ ସବୁ ଦେଶ ନିଜ ଭଣ୍ଡାରରେ ବିପୁଳ ପରିମାଣର ଡଲାର ଗଚ୍ଛିତ ରଖୁଛନ୍ତି। ଅନ୍ୟ ଦେଶ ପାଇଁ ପେମେଣ୍ଟ୍‌ ସଙ୍କଟ ସମସ୍ୟା ରହିଛି। ଆମେରିକା କେବେବି ସେଭଳି ସଙ୍କଟରେ ପଡ଼ିବ ନାହିଁ। କାରଣ ଏହାର ନିଜସ୍ୱ ମୁଦ୍ରା ହେଉଛି ଡଲାର। ଆମେରିକାକୁ ଡଲାର କିଣିବାକୁ ପଡ଼େ ନାହିଁ।

ଅନ୍ୟ ଦେଶଗୁଡ଼ିକୁ ଧମକାଇବା ବେଳେ ଆମେରିକା ଏବେ ଦୁଇଟି ଅସ୍ତ୍ର ବ୍ୟବହାର କରୁଛି। ତାହା ହେଉଛି ଅର୍ଥନୈତିକ କଟକଣା ଓ ଡଲାର। କୌଣସି ବ୍ୟକ୍ତି, ସଂସ୍ଥା, ସଂଗଠନ କିମ୍ବା ଦେଶ ଉପରେ ଆମେରିକା କଟକଣା ଲଗାଇବାର ଅର୍ଥ ହେଉଛି ସେମାନେ ବାହ୍ୟ ଜଗତରୁ ବିଛିନ୍ନ ହେବା ଭଳି। ଆମେରିକା କଟକଣା ଲଗାଇଥିବା ଦେଶ ସହିତ ଅତୀତରେ ଯେଉଁ ସଂସ୍ଥା କାରବାର କରିବାକୁ ପ୍ରୟାସ କରିଥିଲେ ସେମାନଙ୍କୁ ବିପୁଳ ପରିମାଣର ଜରିମାନା ଗଣିବାକୁ ପଡ଼ିଥିଲା। କିଛି ସଂସ୍ଥା ଦେବାଳିଆ ମଧ୍ୟ ହୋଇଯାଇଥିଲେ। ଡଲାର ମାଧ୍ୟମରେ ସାରା ବିଶ୍ୱରେ ଯେତେ ସବୁ କାରବାରହେଉଛି ତାହା କୌଣସି ନା କୌଣସି ଆମେରିକୀୟ ବ୍ୟାଙ୍କ ଜରିଆରେ ହୋଇଥାଏ। ସୋସାଇଟି ଫର୍‌ ଓ୍ଵାର୍ଲଡ୍‌ଓ୍ଵାଇଡ୍‌ ଇଣ୍ଟରବ୍ୟାଙ୍କ୍‌ ଟେଲିକମ୍ୟୁନିକେସନ୍‌ (ସ୍ୱିଫ୍ଟ) ତଥ୍ୟ ହାସଲ କରିବାର ଅଧିକାର ମଧ୍ୟ ଆମେରିକା ପାଖରେ ରହିଛି। ତେଣୁ ଏହା ଅତି ସହଜରେ ବିଶ୍ୱ ଅର୍ଥନୈତିକ କାର୍ଯ୍ୟକଳାପକୁ ନିଜ ନିୟନ୍ତ୍ରଣରେ ରଖିପାରୁଛି।

ଅନ୍ୟ ବିକଳ୍ପ ନାହିଁ
ଡଲାର କାହିଁକି ଶକ୍ତିଶାଳୀ ତାହା ସବୁ ଦେଶ ଜାଣିଛନ୍ତି। କିନ୍ତୁ ଏହାର ବିକଳ୍ପ ଆଜି ପର୍ଯ୍ୟନ୍ତ ସୃଷ୍ଟି ହୋଇନାହିଁ। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ମିଳିତ ହୋଇ ଏକ ପ୍ରୟାସ କରିଥିଲେ। ନିଜ ନିଜ ଭିତରେ କାରବାର ପାଇଁ ୟୁରୋ ନାମରେ ମୁଦ୍ରା ପ୍ରଚଳନ କଲେ। କିନ୍ତୁ ତାହା ଡଲାରର ବିକଳ୍ପ ହୋଇପାରିଲା ନାହିଁ। ୟୁରୋପୀୟ ସଂଘରୁ ବ୍ରିଟେନ୍‌ ହଟିଯିବା ପରେ ୟୁରୋର ଗୁରୁତ୍ୱ ଆହୁରି ହ୍ରାସ ପାଇଛି। ଡଲାର୍‌ର ବିକଳ୍ପ ସୃଷ୍ଟି କରିବାକୁ ଚୀନ୍‌ ଓ ରୁଷିଆ ମଧ୍ୟ ଚାହୁଛନ୍ତି। କିନ୍ତୁ ସେମାନେ ମଧ୍ୟ ଜାଣିଛନ୍ତି ନିକଟ ଭବିଷ୍ୟତରେ ତାହା ପ୍ରାୟ ଅସମ୍ଭବ। ଚୀନ୍‌ ଓ ରୁଷିଆର ଅର୍ଥନୈତିକ ଓ ରାଜନୈତିକ ସ୍ଥିତି ଯାହା ସେମାନଙ୍କ ମୁଦ୍ରା ଉପରେ ବିଶ୍ୱର ସବୁ ଦେଶ ଭରସା ପ୍ରକଟ କରିପାରିବେ ନାହିଁ। ଡଲାର ସହ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ କେବଳ ନୂଆ ମୁଦ୍ରା ପ୍ରଚଳନ କଲେ ଚଳିବ ନାହିଁ। ସାରା ବିଶ୍ୱର ପେମେଣ୍ଟ୍‌ ଭିତ୍ତିଭୂମିକୁ ବଦଳାଇବାକୁ ପଡ଼ିବ। ସେହି ମୁଦ୍ରା ଯଦି ଡଲାର ବଦଳରେ କରେନ୍ସି ଅଫ୍‌ ରେଫରେନ୍ସରେ ପରିଣତ ହୋଇପାରିବ ତେବେ ହିଁ ସବୁ ଦେଶ ଦ୍ୱାରା ଗ୍ରହଣୀୟ ହେବ। ଯେଉଁ ଦେଶର ମୁଦ୍ରା ଡଲାରର ବିକଳ୍ପ ହେବ ସେହି ଦେଶ ଉପରେ ଅନେକ ଦାୟିତ୍ୱ ରହିବ। ବିଶ୍ୱ ବଜାରରେ ସନ୍ତୁଳନ ରକ୍ଷା କରିବା ବିଷୟରେ ତାହାକୁ ଚିନ୍ତା କରିବାକୁ ପଡ଼ିବ। ସେହି ଭୂମିକା ଗ୍ରହଣ କରିବାକୁ କୌଣସି ଦେଶ ଆଗ୍ରହୀ ନୁହନ୍ତି।

ସମ୍ବନ୍ଧିତ ଖବର