ଖିଲାପରୁ ବର୍ତ୍ତିଯିବ ଆମେରିକା; ଋଣ ସୀମା ବଢ଼ାଇବା ନେଇ ସହମତି: ବାଇଡେନ୍‌

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ବିତ୍ତଶାଳୀ ରାଷ୍ଟ୍ର ଆମେରିକା ସମ୍ଭାବ୍ୟ ଋଣ ଖିଲାପ ସଙ୍କଟରୁ ବର୍ତ୍ତିଯିବା ଏକ ପ୍ରକାର ନିଶ୍ଚିତ ହୋଇଛି। ଏହା ସମଗ୍ର ବିଶ୍ବ ପାଇଁ ଏକ ଆଶ୍ବସ୍ତିଭରା ଖବର। କାରଣ ଆମେରିକା ଋଣ ଖିଲାପ କରିଥି‌ଲେ ବିଶ୍ବ ଅର୍ଥନୀତି ଦୋହଲଯିବା ସହ କୋଟି କୋଟି ଚାକିରି ଚାଲିଯିବାର ଆଶଙ୍କା ଥିଲା। ସମ୍ଭବତଃ ସେହି ସଙ୍କଟ ଆଉ ସାମ୍ନା କରିବାକୁ ପଡ଼ିବନି। କାରଣ ଆମେରିକା ସରକାରଙ୍କ ପାଖରେ ନୂଆ ପାଣ୍ଠି ପହଞ୍ଚାଇବା ଲାଗି ସହମତି ହୋଇଛି। ଗତ ଶନିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ବାଚସ୍ପତି କେଭିନ୍ ମାକ୍‌କ୍ୟାଥିଙ୍କ ମଧ୍ୟରେ ଫୋନ୍‌ରେ ଆଲୋଚନା ପରେ ଋଣ ସୀମା ବୃଦ୍ଧି ନେଇ ସହମତି ହୋଇଥିଲା।

ବିଭିନ୍ନ ଆର୍ଥିକ ଦାୟିତ୍ବ ଯଥା କର୍ମଚାରୀଙ୍କୁ ବେତନ ଦେବା, କଲ୍ୟାଣମୂଳକ ‌ଯୋଜନାରେ ଖର୍ଚ୍ଚ କରିବା ଓ ଋଣ ଶୁଝିବା ଲାଗି ସରକାରଙ୍କୁ ଯେତିକି ଖର୍ଚ୍ଚ କରିବା ପାଇଁ ଆମେରିକା ସଂସଦ ଅନୁମତି ଦିଆଯାଇଥିଲା, ସେହି ରାଶି ପ୍ରାୟ ଶେଷ ହେବାକୁ ବସିଛି। ଆମେରିକା ଅର୍ଥନୀତିକୁ ଆଗକୁ ବଢ଼ାଇବା ଲାଗି ନୂତନ ପାଣ୍ଠିର ଆବଶ୍ୟକତା ଥିଲା। ନିୟମ ଅନୁସାରେ କେବଳ ଋଣ ସୀମା ବୃଦ୍ଧି ଦ୍ବାରା ନୂଆ ପାଣ୍ଠି ମିଳିଥାଏ। ଜୁନ୍ ୫ ସୁଦ୍ଧା ସେହି କାମ ଶେଷ ନକଲେ ଗମ୍ଭୀର ସଙ୍କଟ ମାଡ଼ିଆସିବ ବୋଲି ଟ୍ରେଜେରି ସଚିବ ଜାନେଟ୍‌ ୟାଲେନ୍ ବାରମ୍ବାର ଚେତାବନୀ ଦେଉଥିଲେ। ସମୟ ସୀମା ଶେଷ ହେବାକୁ ଆଉ କିଛି ଦିନ ବାକି ଥିବା ବେଳେ ଋଣ ସୀମା ବଢ଼ାଇବାକୁ ନେଇ ସହମତି ହୋଇଛି। ଆମେରିକା ଆଉ ଋଣ ଖିଲାପ କରିବ ନାହିଁ। ଯଦିଓ ଆମେରିକାର ଦୁଇ ରାଜନୈତିକ ଦଳ ଡେମୋକ୍ରାଟ୍ ଓ ରିକପ୍ଲିକାନ୍ ମଧ୍ୟରେ ଋଣ ସୀମା ବଢ଼ାଇବାକୁ ନେଇ ସହମତି ହୋଇଛି, କିନ୍ତୁ ଏଥି‌ପାଇଁ ଉଭୟ ପକ୍ଷ ବହୁ ସାଲିସ କରିଛନ୍ତି। କୌଣସି ଗୋଟିଏ ପକ୍ଷର ଏକତରଫା ବିଜୟ ହୋଇନାହିଁ। ଅସଲ ପରୀକ୍ଷା ଆଗକୁ ବାକି ଅଛି। ଯେଉଁ ସର୍ତ୍ତ ଆଧାରରେ ସହମତି ହୋଇଛି, ତାହାକୁ ସଂସଦର ଅନୁମୋଦନ ଦରକାର। ସେଥିପାଇଁ ସଂସଦରେ ‌ଭୋଟିଂ ହେବ। ଆସନ୍ତା ବୁଧବାର ସୁଦ୍ଧା ଭୋଟିଂ ହୋଇଯିବ ବୋଲି ଆଶା କରାଯାଉଛି।

ଋଣ ସୀମାକୁ ନେଇ ଗତକାଲି (ଶନିବାର) ରାଷ୍ଟ୍ରପତି ବାଇଡେନ୍ ଓ ମ୍ୟାକ୍‌କାଥିଙ୍କ ମଧ୍ୟରେ ଫୋନ୍‌ରେ ଆଲୋଚନା ହୋଇଥିଲା। ଆଲୋଚନା ଶେଷ ହେବା ପରେ ବାଇଡେନ୍ କହିଛନ୍ତି ଯେ କିଛି ବିଷୟରେ ସାଲିସ କରାଯିବା ପରେ ସହମତି ହୋଇଛି। ଏହାର ଅର୍ଥ ହେଉଛି ଉଭୟ ପକ୍ଷ ଯାହା ଚାହୁଥିଲେ ତାହା ପାଇନାହାନ୍ତି। ପୂର୍ବରୁ ଉଭୟ ପକ୍ଷ ଋଣ ସୀମା ବୃଦ୍ଧିକୁ ନେଇ ନିଜ ନିଜ ଜିଦ୍‌ରେ ଅଟଳ ଥିଲେ। ବିରୋଧୀ ରିପବ୍ଲିକାନ୍ ଚାହୁଥିଲେ ଯେ ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ଲୋକପ୍ରିୟ କଲ୍ୟାଣମୂଳକ ଯୋଜନାର ଖର୍ଚ୍ଚକୁ କମ୍ କରିବାକୁ ସରକାର ରାଜି ହେଲେ ସେମାନେ ଋଣ ସୀମା ବଢ଼ାଇବା ଲାଗି ସହମତି ପ୍ରକାଶ କରିବେ। ରାଷ୍ଟ୍ରପତି ‌ବାଇଡେନ୍‌ ସେଥିରେ ରାଜି ହେଉନଥିଲେ। ସେଭଳି ସର୍ତ୍ତ ରଖିଲେ ଆଲୋଚନା ଅସମ୍ଭବ ‌ବୋଲି ବାଇଡେନ୍ ରୋକଠୋକ୍ ଶୁଣାଇଥିଲେ। ବିନା ଆଲୋଚନାରେ ଋଣ ସୀମା ବଢ଼ୁ ବୋଲି ବାଇଡେନ୍ ଚାହୁଥିଲେ। କିନ୍ତୁ ଶେ‌ଷରେ ସେ କିଛିଟା ସାଲିସ କରିବାକୁ ରାଜି ହୋଇଥିଲେ।

ସମ୍ବନ୍ଧିତ ଖବର